ପଞ୍ଚଲିଙ୍ଗେଶ୍ୱର ପୀଠରେ ସ୍ପର୍ଶ ଦର୍ଶନ ବନ୍ଦ
ନୀଳଗିରି : ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ ସ୍ପର୍ଶ ଦର୍ଶନ ବନ୍ଦ ହୋଇଛି । ଲଗାଣ ବର୍ଷାରେ ଯୋଗୁଁ ଦେବଗିରି ପାହାଡ଼ର ୪ଫୁଟ ଉଚ୍ଚର ଝରଣା ପାଣିର ପ୍ରଖର ସ୍ରୋତ ଆସି ଶୈବପୀଠସ୍ଥଳୀ ଓ ପୂଜା ମଣ୍ଡପର ଦୀପ ଜାଳିବା ସ୍ଥାନରେ ଲହଡ଼ି ମାରୁଛି । ପାଣିର ସ୍ରୋତ ଏତେ ପ୍ରଖର ଯେ ପଥର ଖୋଲ ମଧ୍ୟରେ ଆବିର୍ଭୂତ ହୋଇଥିବା ପାଞ୍ଚଟି ଲିଙ୍ଗଙ୍କୁ ଭକ୍ତ ଓ ପର୍ଯ୍ୟଟକ ସ୍ପର୍ଶ କରିବା ବନ୍ଦ ରଖାଯାଇଛି । ଗତ ମଙ୍ଗଳବାର ସନ୍ଧ୍ୟାରେ ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, ସେଠାରେ ଛିଡା ହେବା କଷ୍ଟକର ହୋଇପଡ଼ିଥିଲା । ଯେଉଁସ୍ଥାନରେ ଭକ୍ତମାନେ ଛିଡ଼ା ହୋଇ ବାବାଙ୍କୁ ପୂଜାର୍ଚ୍ଚନା କରନ୍ତି, ସେହି ଚଟାଣରେ ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଥିଲା । ଏପରି ସମୟରେ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଝରଣା ଭିତରେ ପଞ୍ଚଲିଙ୍ଗ ସ୍ପର୍ଶ ବନ୍ଦ ରଖାଯାଇଥିବା ଜଣାପଡ଼ିଛି । ଉଲ୍ଲେଖ ଯେ, ରାଜ୍ୟ ଏବଂ ରାଜ୍ୟ ବାହାରୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସିଥାନ୍ତି । ପାହାଡ଼ ପାଣିରେ ବାବା ବୁଡ଼ି ଯାଇଥିବାରୁ ବହୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ବାହାରୁ ଦର୍ଶନ କରି ଫେରୁଥିବାର ଦେଖିବାକୁ ମିଳିଥିଲା ।