ସହରବାସୀଙ୍କୁ ପଟ୍ଟା ଦେବା ପ୍ରକ୍ରିୟା ଆରମ୍ଭ 

 ଆସିକା : ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସହରବାସୀଙ୍କୁ ପଟ୍ଟା ଦେବା ପ୍ରକ୍ରିୟା କାର୍ଯ୍ୟର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ତହସିଲଦାର ସଙ୍ଗୀତା ସେନ, ଅତିରିକ୍ତ ତହସିଲଦାର ଅମରେଶ ସାବତ, ସୌଦାଗର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।  ଆସିକା ବିଜ୍ଞାପିତ ଅଂଚଳ ପରିଷଦର ୱାର୍ଡ ନମ୍ବର ୦୪ ଗୋପୀନାଥ ମନ୍ଦିର ପାର୍ଶ୍ୱ ଘରରୁ ଲୋକମାନଙ୍କୁ ପଟ୍ଟା ଦେବା ପାଇଁ ଘରର ମାପଜୁପ ଆରମ୍ଭ ହୋଇଛି । ସୂଚନା ଅନୁସାରେ  ଆସିକା ସହର ଗତ ୧୯୪୧ -୪୨ ମସିହାରେ ସେଟଲମେଣ୍ଟ  ହୋଇ ୧୯୪୯ ତହସିଲକୁ ରେକର୍ଡ ଆସିଥିଲା । ଆଜି ପର୍ଯ୍ୟନ୍ତ ଆସିକା ସହରର ସୁନାମ୍ବ, ଖମ୍ବେଶ୍ୱେରୀ, ଆସିକା, ପାକଲା ପଲ୍ଲୀ, ନରସିଂହପଲ୍ଲୀ ମୌଜାରେ ବସବାସ କରୁଥିବା ଲୋକମାନେ ଭୁ- ବନେ୍ଦାବସ୍ତ ହୋଇ ନଥିବା ରୁ ନାହିଁ ନ ଥିବା ଅସୁବିଧା ହେଉଥିଲା ।  ଏହି ସମସ୍ୟାକୁ ବିଧାୟକ ବହୁବାର ବିଧାନସଭାରେ ପ୍ରଶ୍ନ ଉଠାଇ ଥିଲେ ।  ତାହା ଆଜି ସାକାର ହୋଇଛି ବୋଲି ବିଧାୟକ ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ବିଜେପି ନେତା ବିଜୟ ସ୍ୱାଇଁ, ଶିବ କୁମାର ନାୟକ, ଅନିଲ ପରିଡାଙ୍କ ସମେତ ଶତାଧିକ ସହରବାସୀ ଉପସ୍ଥିତ ଥିଲେ ।