ପଞ୍ଚାୟତସ୍ତରୀୟ ଜନଶୁଣାଣି

 ଭୁବନେଶ୍ୱର : ବାଲିପାଟଣା ବ୍ଲକ ଅନ୍ତର୍ଗତ ଆମଣାକୁଦ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜିର ଗ୍ରାମ ପଞ୍ଚାୟତସ୍ତରୀୟ ପ୍ରତ୍ୟକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଆୟୋଜିତ ଏହି ମିଳିତ ଜଣାଶୁଣାଣିରେ ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟରେ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ଜଣାଶୁଣାଣି ସକାଳ ୭ ଘଟିକାରୁ ଆରମ୍ଭ କରାଯିବା ସହ ଜନସାଧାରଣମାନଙ୍କ ନିମନ୍ତେ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଆଜି ମୋଟ ୫୨୩ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିଲା । ସେଥିମଧ୍ୟରୁ ୪୭୯ଟି ଅଭିଯୋଗ ବ୍ୟକ୍ତିଗତ ଥିବାବେଳେ ୩୩ଟି ଗୋଷ୍ଠୀଗତ ଅଭିଯୋଗ ଥିଲା । ସେଥିମଧ୍ୟରୁ ୫ଟି ଅଭିଯୋଗକୁ ତୁରନ୍ତ ସମାଧାନ କରାଯାଇଥିଲା ।  ଏହି ଜଣାଶୁଣାଣି ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଜଣଙ୍କୁ ୮୫ ହଜାର ଟଙ୍କା ଏବଂ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ଜଣଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ସମସ୍ତ ଅଭିଯୋଗ ଗୁଡିକୁ ବିଚାରକୁ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ଜନସାଧାରଣମାନଙ୍କୁ ସେବା ଯୋଗାଇ ଦେବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ ।
ଆଜିର ମିଳିତ ଜନଶୁଣାଣି  ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ଭୁବନେଶ୍ୱର ଉପଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ବିଡିଓ ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶିନୀ, ତହସିଲଦାର କଳ୍ପନା ଦାଶ, ଜିଲ୍ଲା ଶିକ୍ଷାଧିକାରୀ ସୋନାମିକା ରାୟ, ଜିଲ୍ଲା ସାଧାରଣ ଅଭିଯୋଗ ଡେପୁଟି କଲେକ୍ଟର ଆର୍ତ୍ତତ୍ରାଣ ମଲ୍ଲିକ, ଆସିଷ୍ଟାଣ୍ଟ କଲେକ୍ଟର ଭୁବନେଶ୍ୱରୀ କହଁର, ଅତିରିକ୍ତ ଡିସିପି କୃଷ୍ଣଚନ୍ଦ୍ର ଦାଶ, ଆରତୀ ଗିରି ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।