ଅଜଣା ଜଗତର ଡାକ
“ଅକ୍ଟୋପସ ପରା ଆଉ କାହାର ଶିକାର ହୋଇଯାଏ ।”-ଶୋଭନା କହିଲେ । ସମୁଦ୍ରରେ କେବଳ ଶାର୍କ ବୋଧେ ଆପେକ୍ସ ପ୍ରିଡେଟର । ଅନ୍ୟମାନେ କାହାର ନା କାହାର ଶିକାର ହୋଇଯାଆନ୍ତି । ବଡ ମାଛ ଛୋଟମାଛକୁ ଖାଏ, ଆଉ ବଡ ମାଛ ତାଠାରୁ ବଡ ଶିକାରୀରର ଶିକାର ହୋଇଯାଏ । ଏକ ଫୁଡ ଚେନ । ଅକ୍ଟୋପସ ବିଷୟରେ ବହୁତ କଥା ଲେଖାଆଛି । ଆଠାଟା ହାତ ଥିବା ଲମ୍ବା ବାହୁରେ ସେ ଶିକାରକୁ ଧରିଥାଏ ଆଉ ତା’ ବାହୁରୁ ଖସି ପଳାଇବା ସମ୍ଭବ ନୁହେଁ । ଅକ୍ଟୋପସର ରକ୍ତ କାଳେ ଲାଲ ନୁହେଁ ।
ଅକ୍ଟୋପସର ଅଛି କାଳି ଗ୍ଲାଣ୍ଡ । ନିଜର ସୁରକ୍ଷାପାଇଁ ଅକ୍ଟୋପସ ପାଣିରେ କାଳି ପଚକାରୀ ଭଳି ଛାଡେ । ଫଳରେ ପାଣି ଗୋଳିଆ ହୋଇଯାଏ ଆଉ ଅକ୍ଟୋପସ ଶିକାରୀଙ୍କ ଠାରୁ ଲୁଚିଯାଇପାରେ । ଅକ୍ଟୋପସ ଜାଗା ସହ ରଙ୍ଗ ପରିବର୍ତ୍ତନ କରି ସହଜରେ ମିଶି ଯାଇପାରେ । ଏହି ଜୀବ କାମଫ୍ଲାଉଜିଙ୍ଗରେ ଏକ୍ସପର୍ଟ ।”-ଅସୀମ ବୁଝାଇଲେ ।
“ତୁମେ ଏମିତି ଯାଗରେ ଅନେକ ଇଲ ପାଇବ । ସେମାନେ ଏମିତି କିଛି ଲୁଚିବା ସ୍ଥାନରୁ ମୁଣ୍ଡ ବାହାର କରି ହଲୁଥିବେ । ପାଟି ଖୋଲି ହେଉଥିବ ବନ୍ଦ ହେଉଥିବ ।”-ଅସୀମ ଆଉ ଏକ ଅଜୀବ ଜୀବ ବିଷୟରେ କହିଲେ ।
“ସାପ!”- ଶୋଭନା ବିସ୍ମିତ ହେଉଥିଲେ । ଇଲ ନାଁଟା ଶୁଣିଲେ ତାଙ୍କୁ ଲାଗେ ସାପମାନେ ମାଡ଼ିଆସୁଛନ୍ତି । ଏମିତି ତ ପାଣି ଭିତରେ ସାପମାନେ ସେମିତି କେଉଁଠି ଛପି ରହି ଶିକାରର ସନ୍ଧାନ କରନ୍ତି ।
“ଇଲ ଦେଖିବାକୁ ବେଶି ସମୁଦ୍ର ସାପ ଭଳି ଲାଗେ । କିନ୍ତୁ ସାପ ଠାରୁ ଭିନ୍ନ । ଏହା ଏକ ମାଛ ।”-ଅସୀମ କହିଲେ । ତାଙ୍କ ଆଖି ଇଲକୁ ଖୋଜୁଥିଲା ।
ସମୁଦ୍ର ଭିତରେ ଅନେକ ଜୀବ ଡଙ୍କ ମାରିଥାନ୍ତି ବା କାମୁଡି ଦେଇଥାନ୍ତି । ସେମିତି ଏକ ଜୀବ ହେଉଚି ଇଲ । ଇଲମାଛଗୁଡା ପାଣିରେ ଥିବା ଗାତ ଭିତରୁ ବା ଖୋଲ ଭିତରୁମୁଣ୍ଡ ବାହାରକରି ହଲୁଥାନ୍ତି । ସବୁବେଳେ ମୁହଁ ଖୋଲୁଥିବା ଆଉ ବନ୍ଦ କରୁଥିବା ଯୋଗୁ ସେମାନଙ୍କ ରୂପ ବିକଟାଳ ଲାଗେ । ପ୍ରକୃତରେ ସେମାନେ ପାଣିକୁ ନିଜ ଭିତରକୁ ପମ୍ପ କରି ଶ୍ୱାସ ନେଉଥାନ୍ତି । ଆଉ ଇଲଗୁଡା କାମୁଡା । ସେମାନଙ୍କର ମୁନିଆ ଦାନ୍ତ ଦେହରୁ ପୁଳାଏ ମାଂସ ଛିଣ୍ଡାଇ ଦେଇପାରେ ।”- ଅସୀମ ଇଲ ବିଷୟରେ ଆଉ ଟିକେ ଅଧିକ ବୁଝାଇ କହିଲେ । ଶୋଭନା ପଥର ଫାଙ୍କକୁ ଭଲକରି ଅନାଇଲେ । ଇଲଠାରୁ ତାଙ୍କୁ ସାବଧାନ ରହିବାର ଅଛି । ତାଙ୍କ ଆକାର ଦେଖି ଇଲ ନକାମୁଡିପାରେ । ମଝିରେ ମଝିରେ କିଛି ପଥର ଖୋପରେ କଳା ରଙ୍ଗର ସି ଓର୍ମମାନ ପଡିଥିଲା । କେଉଁଠି କେଉଁଠି ବଡ କଉଡି ଭଳି ଲାଗୁଥିବା ଶାମୁକା ନିଜ ନରମ ଶରୀରକୁ ସାମାନ୍ୟ ବାହାର କରି ପଥର ଓ ବାଲିରୁ ଖାଦ୍ୟ ଆହରଣ କରୁଥିଲା । କିଛି ଶଂଖ ପ୍ରଜାତିର ପ୍ରାଣୀ କେଉଁଠି କେଉଁଠି ପଡିଥିଲା । କିଛି ଶଂଖ ଦେହରେ ତ ଶିଉଳି ମାଡ଼ିଯାଇଥିଲା । ତଳେ ଥିଲା ଏମିତି ବହୁ ପ୍ରକାର ସି ଓର୍ମ ଆଉ ଶାମୁକା ବା ଶଂଖମାନ । କେଉଁଠି କେଉଁଠି ଟୋପୀ ଭଳି ଲାଗୁଥିବା ସେଲମାନ ଧାଡିକରି ପଥରରେ ଲାଗିରହିଥିଲେ । କୂଳର ପାଣିରେ ତାହାହେଲେ ଅଛି ଅସଂଖ୍ୟ ଜୀବନ ।
“କିଏ ନମନୀୟ ତ କିଏ ରୁଦ୍ର ସୁନ୍ଦର ।”- ଶୋଭନା ସେତିକି କହିପାରିଲେ ।
ଥରେ ସେମାନେ ପୂର୍ବ ପଟକୁ ଆସିଲେ । ସ୍ଥାନଟା ନେଭିଡେରା କ୍ୟାମ୍ପ ପାଖାପାଖି ।
ଏପଟକୁ କୂଳରେ ସବୁଆଡେ ଖଣ୍ଡ ଖଣ୍ଡ ପଥର ପଡିଥିଲା । ପଥରମାନ ରାସାୟନିକ କାରଣରୁ ଭାଙ୍ଗି କ୍ଷୟ ହୋଇ ବଡ ଗେଟିର ତଳ ତିଆରି ହୋଇଯାଇଛି । ଏସବୁ ପଥୁରିଆ କୂଳ ପରେ କୂଳରେ ସାମାନ୍ୟ ବାଲିର ଧାର ମିଳେ ଆଉ ତା’ ପରେ ଭୂମିଆଡକୁ ମିଳେ ସମୁଦ୍ରକୂଳିଆ ଜଙ୍ଗଲ । ଅସୀମ ଭାବୁଥିଲେ କ୍ୟାମ୍ପବେଲ ବେର ସମୁଦ୍ରକୂଳ ତାଙ୍କ ଦେଶରେ ଦେଖା ସମୁଦ୍ରକୂଳଠାରୁ କେତେ ଅଲଗା । ତାଙ୍କ ପୂର୍ବ ଦେଖା ସମୁଦ୍ରକୂଳରେ ଥାଏ ପାଣି ଆଉ ବାଲି, କେଉଁଠି ସାମାନ୍ୟ କାଦୁଅ, କିନ୍ତୁ ନଥାଏ ଏମିତିଆ ପଥୁରିଆ କୂଳ ଆଉ ପଥର ଖଣ୍ଡମାନ ।ଏଠି ଏ ଜାଗା ଏମିତି ଯେ ଗୋଡ ରଖିବା କଷ୍ଟ । ବୋଟ ଆଦି ଲାଗିପାରିବନି । ପାଣି ଭିତରକୁ ଏକ ପଥର ମୁଣ୍ଡିଆ ତାଙ୍କ ମନ ଟାଣିନେଲା । ମୁଣ୍ଡିଆରେ ଗୋଟାଏ ଗଛ, ଏମିତି ବି ବୁଦାଟିଏ ନାହିଁ । କୁଳରୁ ଏଇ ଶହେ ମିଟର ଭିତରେ ପାଣିରୁ ମୁଣ୍ଡ ଟେକିଛି । ଏମିତି ପଥରରେ ସି ଟର୍ନ ବା ସେମିତି କିଛି ପକ୍ଷୀ ବସୁଥିବେ ଆଉ ରହୁଥିବେ ଅପର୍ଯ୍ୟାପ୍ତ କଙ୍କଡା । ପଥରର ସବା ଉପରଟା ଧଳା ହୋଇଯାଇଛି । ପକ୍ଷୀଙ୍କର ମଳ ହୋଇପାରେ । ଏମିତିଆ ପଥୁରିଆ ଜାଗାରେ ବହୁତ ସାପ ଥାଆନ୍ତି । ଦୁଇ ବଡ ପଥର ଭିତର ଦେଇ ସମୁଦ୍ର ପାଣି ବହୁ ଜୋରରେ ଚାଲିଯାଉଥିଲା । ସେମାନେ ନିଜ ଗୋଡ ପାଖ କୂଳର ପାଣିକୁ ଅନାଇଲେ । ତଳେ କେବଳ ଛୋଟ ଛୋଟ ପଥର ଅଛି, ଆଉ ତା’ ଭିତରେ ପଡିଥିଲା ଏକ ସି ଅର୍ଚ୍ଚିନ । ତା’ ଦେହରୁ କିଛି କଣ୍ଟା ବାହାରି ଆସିଥିଲା ପରି ଲାଗୁଥିଲା । ଲାଗୁଥିଲା ଏକ ଲମ୍ବାଳିଆ ବେଲୁନର ଉପରେ କିଛି ନରମ କଣ୍ଟା କିଏ ଲଗାଇ ବେଲୁନକୁ ଜୋରରେ ଫୁଲାଇ ଦେଇଛି । ସାମାନ୍ୟ ବାଲି ଆଉ ତା’ ଭିତରେ ଏକ କଳା ରଙ୍ଗର ସି କୁକୁମ୍ବର ଶୋଇଛି । ଏମିତିଆ ପ୍ରାଣୀମାନେ କ’ଣପାଇଁ ଅଳ୍ପ ପାଣିରେ ପଡିଥାନ୍ତି କେଜାଣି? ପ୍ରକୃତିର ସବୁ ସ୍ଥାନରେ କିଛି ନା କିଛି କାରଣ ସହ ଜୀବନ ଅଛି? ଖୋଜିବାର କଥା ।
ଅସୀମ ଆଉ ଶୋଭନା ପାଣିରେ ପଶି ଆଉ କିଛି ସି କୁକୁମ୍ବରକୁ ଖୋଜୁଥିଲେ । ସି କୁକୁମ୍ବର ନିଜର ସାରା ଜୀବନ ସମୁଦ୍ର ତଳେ କଟାଏ । କେତେବେଳେ କୋରାଲ ଥିବା ସମୁଦ୍ରର ସାମାନ୍ୟ ବାଲିରେ, ଟିକେ ସମୁଦ୍ର ଘାସୁଆ ଅଂଚଳରେ ବା ପଥୁରିଆ ସ୍ଥାନରେ ଏମାନେ ପଡିଥାନ୍ତି । ଖୋଜି ଖୋଜି ପଥୁରିଆ ବେଡରେ ସେମାନେ ଆଉ କେତେଟା ସି କୁକୁମ୍ବରକୁ ପାଇଲେ । ଏ ଜୀବ ସେମାନଙ୍କୁ ଲାଗୁଥିଲା ଖୁବ ମୋଟା ମୋଟା ଲମ୍ବା ସଁବାଳୁଆ ।
ସଁବାଳୁଆର ଅସଂଖ୍ୟ ଗୋଡ ଅଛି, କିନ୍ତୁ ଏମାନଙ୍କର ଏତେ ଗୋଡ ନାହିଁ । ଏମାନଙ୍କ ରଙ୍ଗ ପୂରା କଳା ରଙ୍ଗ ତ କହିହେବନି, ପାଉଁଶିଆ ପଡିଯାଇଥିବା କଳା ରଙ୍ଗ ।ଅନେକ ପ୍ରକାର କଙ୍କଡା ଯଥା ପୋର୍ସିଲିନ କଙ୍କଡା ଏମାନଙ୍କ ଜୀବନ ସହ ଯୋଡି ହୋଇଥାନ୍ତି । ପୋର୍ସିଲିନ କ୍ରାବ ସି କୁକୁମ୍ବର ଦେହରୁ ପାରାସାଇଟ ଖାଇଥାଏ । ସି କୁକୁମ୍ବର ପାଣି ଭିତରେ ରହି ବାଲିରୁ ଖାଦ୍ୟ ପଦାର୍ଥ ଆହରଣ କରେ । ଏମାନେ ବହୁ ପରିମାଣର ତଳେ ପଡଥିବା ବାଲିକୁ ଢୋକିଥାନ୍ତି । ପେଟ ଭିତରେ ଅର୍ଗାନିକ ମ୍ୟାଟର ହଜମ ହୋଇଯାଏ ଆଉ ବାଲି ଗୁଳି ଆକାରରେ ମଳ ହୋଇ ବାହାରକୁ ଆସେ । ଆଉ ସମୁଦ୍ର ଶର୍ଯ୍ୟାରେ ମଳ କାଚ ଗୁଳି ଆକାରର ବଙ୍କା ଟଙ୍କା ଧାଡି ହୋଇ ପଡିଥାଏ । ପ୍ରତି ପ୍ରଜାତି ମଳର ଗୁଳି ଭିନ୍ନ ଆକାରର ।“ଏମାନଙ୍କୁ ସି କୁକୁମ୍ବର କ’ଣ ପାଇଁ କୁହାଯାଉଛି? ସମୁଦ୍ର ସଁବାଳୁଆ କହିଲେ ବୋଧେ ଭଲ ହୁଅନ୍ତା ।”- ଶୋଭନା କହିଲେ । “କଥାଟା ଠିକ । କିନ୍ତୁ ସମୁଦ୍ର ପୋକ ବା ସି ୱର୍ମସ ତ ଅଛନ୍ତି । ସଂବାଳୁଆ ଏକ ପୋକ । ସେଇଥି ପାଇଁ ବୋଧେ କିଏ ପରିବା ସହ ବେଶି ପରିଚିତ ବ୍ୟକ୍ତି ଏହାକୁ ସି କୁକୁମ୍ବର ନାମ ଦେଇଥିବେ ।”-ଅସୀମ କହିଲେ ।(କ୍ରମଶଃ)
ଭୁବନେଶ୍ୱର