ବାସ୍ତବତା ଓ କଳ୍ପନା
ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଜାଣିବା ଜୀବନର ବାସ୍ତବତା ଓ ଜୀବନର କଳ୍ପନା ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ବାସ୍ତବତା ଏବଂ କଳ୍ପନା ସବୁବେଳେ ଭିନ୍ନ । ଶାନ୍ତି ହେଉଛି କଳ୍ପନା ଏବଂ ଏହା ସଂପୂର୍ଣ୍ଣ ମାନସିକତା ଉପରେ ହିଁ ନିର୍ଭର କରେ । ଦୁଃଖକୁ ଜଣେ ଯଦି କ୍ଷଣକ ବୋଲି ଭାବି ନିଏ ତାହା ହେଲେ, ତା' ନିକଟରେ ଦୁଃଖ ବୋଲି ଆଉ କିଛି ନଥାଏ । ସୁଖକୁ ବି ବହୁ ବ୍ୟକ୍ତି ଦୁଃଖ ବୋଲି ଭାବନ୍ତି । କାରଣ ସେମାନଙ୍କର ଲୋଭର ଅନ୍ତ ନାହିଁ । ଲୋଭ ହିଁ ଅଶାନ୍ତିର କାରଣ । ଯେତେ ଭଲରେ ଥିଲେ ବି ଲୋଭ, ମଣିଷକୁ ଶାନ୍ତିରେ ରଖେଇ ଦିଏ ନାହିଁ । ମଣିଷ ଆଖି ବୁଜିଲେ ଆଖି ଖୋଲିବା ଠାରୁ ଅଧିକ ହଜାର ଗୁଣ ଦେଖିପାରେ । ଆଖି ଖୋଲାଥିବା ବେଳେ ମଣିଷ ଆଗରେ ନିଜ ଘରଟି ଯଦି ଦେଖାଯାଏ, ତେବେ ଆଖି ବନ୍ଦ କରିଦେଲେ ହଜାରେ ମାଇଲ୍ ଦୂରରେ ଥିବା ହିମାଳୟ ବି ଦେଖାଯିବ । ସେଥିପାଇଁ ଆଖି ଖୋଲିବା ଆଉ ଆଖି ବନ୍ଦ କରିବା ଏହା ଭିତରେ ପାର୍ଥକ୍ୟକୁ ବୁଝିବା ଆବଶ୍ୟକ । ଆଖି ଖୋଲି ଦେଖିବା ହେଉଛି ଏକ ବାସ୍ତବ ଦୁନିଆ । ଆଖି ବୁଜି ଚିନ୍ତା କରିବା ହେଉଛି ଏକ କାଳ୍ପନିକ ଦୁନିଆ । ବାସ୍ତବ ଏବଂ କଳ୍ପନା ମଧ୍ୟରେ ଏତେ ଦୂରତା ରହିଛି ଯେ ଏ ଦୁଇଟି ମଧ୍ୟରେ ସମ୍ପର୍କ ସ୍ଥାପନ କରିବା କେବେ ବି ସମ୍ଭବ ନୁହେଁ । ବାସ୍ତବ ଦୁନିଆରେ ମଣିଷ ପାଦରେ ଚାଲେ, ହାତରେ କାମ କରେ । କିନ୍ତୁ କଳ୍ପନାର ଦୁନିଆରେ ହାତ, ଗୋଡ଼ର ଆବଶ୍ୟକତା ନଥାଏ । ମନ ହିଁ ମନୁଷ୍ୟକୁ ଆକାଶରେ ଉଡ଼ାଏ । ଡ଼େଣା ନଥାଇ ଯାନବାହାନ ନଥାଇ ମଣିଷ ମୁହୂର୍ତ୍ତକ ମଧ୍ୟରେ କାହିଁ କେତେ ଦୂରର କଥା ଭାବିନଏ ଯେ ତାକୁ ମାପିବା ଅସମ୍ଭବ । ଏତେ କଥା ଭାବିନିଏ ଯେ ସେସବୁର ହିସାବ ରଖିବା ଅସମ୍ଭବ । ଆଉ ଯାହାର ମନ ଯେତେ ଅଧିକ ଅଶାନ୍ତ ସେ ସେତେ ଅଧିକ ଅବାନ୍ତର ସ୍ୱପ୍ନ ଦେଖି ବିବ୍ରତ ହୁଏ । କିଛି ସ୍ୱପ୍ନକୁ ପୂରଣ କରିବା ପାଇଁ ମରିଚୀକା ପଛରେ ଧାଇଁଲା ଭଳି ବ୍ୟର୍ଥ ଚେଷ୍ଟା ସବୁ କରେ । ଏଭଳି ବ୍ୟର୍ଥ ଚେଷ୍ଟାରେ ଶ୍ରମ ନଷ୍ଟ ହୁଏ, ସମୟ ନଷ୍ଟ ହୁଏ କିନ୍ତୁ ସଫଳତା ମିଳେ ନାହିଁ । ତେଣୁ ମନୁଷ୍ୟ ବିଚାରଶକ୍ତି ପ୍ରୟୋଗ କରି ନିଜର ସାମର୍ଥ୍ୟ ଏବଂ ଶକ୍ତି ଅନୁସାରେ ଯୋଜନା ବଦ୍ଧ ଭାବରେ ଲକ୍ଷ୍ୟ ଧାର୍ଯ୍ୟ କରିବା ଉଚିତ୍ । ବିନା ଲକ୍ଷ୍ୟରେ ଧାଇଁଲେ ଶେଷରେ କେଉଁ ଏକ ଗାତରେ ପଡ଼ି ଛଟପଟ ହେବା ବ୍ୟତୀତ ଆଉ କିଛି ଲାଭ ହେବ ନାହିଁ ।
ହଉ ଆଜ୍ଞା, ଆଜି ପାଇଁ ତାହା ହେଲେ ରହୁଛି । ଆପଣ ଭଲରେ ଥାଆନ୍ତୁ, ନମସ୍କାର ।