ବାସ୍ତବ ସତ୍ୟର ଅନୁସନ୍ଧାନ


ପଙ୍କଜ କୁମାର ପାଣିଗ୍ରାହୀ  : ସମଗ୍ର ବିଶ୍ୱବାସୀ ମଣିଷ ଆମେ ଗୋଟିଏ ପରିବାର ସଦୃଶ୍ୟ । ଜଣେ ଅନ୍ୟକୁ ସ୍ନେହ ଶ୍ରଦ୍ଧା କରି ସତ୍ୟ ପଥରେ ଚାଲି ବଂଚିବା ହେଉଛି ମାନବ ଧର୍ମ ।  କିନ୍ତୁ ଆଜି ସମୟରେ ସମାଜର ଚତୁର ବର୍ଗ ମଣିଷ କ’ଣ ସବୁ କରୁଛନ୍ତି ଏବଂ ସମଗ୍ର ମଣିଷ ସମାଜ ଆଜି ନିରାନନ୍ଦରେ କାହିଁକି ସେ କଥା ଆଜି ବିଚାର କରିବା ।
 ଆସନ୍ତୁ, ପ୍ରଥମେ ଜାଣିବା ସତ୍ୟ ଓ ବାସ୍ତବ ସତ୍ୟ ମଧ୍ୟରେ ପ୍ରଭେଦ କ’ଣ ? ଆମ ଦୈନନ୍ଦିନ ଜୀବନରେ ତାର ପ୍ରଭାବ ପ୍ରକୋପ ଗୁଡିକୁ ଅନୁଶୀଳନ କରି ଆମେ କ’ଣ କରୁଛେ ଓ କ’ଣ କରିବା କଥା ଦେଖିବା । ଆମକୁ ହୃଦ୍ବୋଧ ହେଉଥିବା ସତ୍ୟ ଗୁଡିକ ଅନେକ ସମୟରେ ପରିବର୍ତ୍ତିତ ହୋଇ ମିଥ୍ୟାରେ ପରିଣତ ହେବା ସମ୍ଭାବନା ରହିଥାଏ । ବାସ୍ତବ ସତ୍ୟ କିନ୍ତୁ ନିର୍ଦ୍ଧିଷ୍ଟ, ଏକକ, ଅପରିବର୍ତ୍ତିତ । ମନୁଷ୍ୟକୃତ ସତ୍ୟ ଗୁଡିକ ମଧ୍ୟରୁ କେତେକ ପ୍ରକୃତ ସତ୍ୟ ହୋଇଥିଲେ ମଧ୍ୟ ଅନେକ ଅବାସ୍ତବ, ଅସତ୍ୟ ରହିଥାଏ ସେଗୁଡ଼ିକରେ । କିନ୍ତୁ ପ୍ରାକୃତିକ ସତ୍ୟ ସବୁବେଳେ ବାସ୍ତବ ଓ ଅପରିବର୍ତ୍ତିତ । ସାଧାରଣ ମଣିଷ ପ୍ରାକୃତିକ ବା ବାସ୍ତବ ସତ୍ୟକୁ ପ୍ରତ୍ୟାଖ୍ୟାନ କରି ଆଜି ସମୟରେ ମନୁଷ୍ୟକୃତ ସତ୍ୟ ଗୁଡିକ ପଛରେ ପ୍ରଧାବିତ ଯାହା ହୁଏତ ତାକୁ ସଠିକ୍ ପଥରେ ପରିଚାଳିତ କରୁଛି କି ନାହିଁ ତାହା ଏକ ଅନୁଶୀଳନ ସାପେକ୍ଷ ବିଷୟ ଯାହା ଏଠାରେ ଆଲୋଚନା କରିବା । ଅନୂ୍ୟନ ୯୦ ପ୍ରତିଶତରୁ ଅଧିକ ମିଥ୍ୟାକୁ ସତ୍ୟ ରୂପରେ ଗ୍ରହଣ କରି ଆମେ ସମସ୍ତେ ଆଜି ପ୍ରଚୁର ନିଷ୍ପେସିତ ଏବଂ ଆମ ଜୀବନ ପଥରେ ଦୁଃଖର କାରଣ ଗୁଡିଏ ସୃଷ୍ଟି ହୋଇଥାଏ ସେଇଠୁ । ଦୈନନ୍ଦିନ ଜୀବନରେ ଆମେ ଯାହାସବୁ ପଢି, ଦେଖି, ଶୁଣି ଜାଣିଛେ ବା ଜାଣୁଛେ ସେଗୁଡିକ ପ୍ରକୃତ ସତ୍ୟ ଆଧାରିତ କି ନୁହେଁ ତାର ଅନୁଶୀଳନ ନକରି ତାହାହିଁ ଶେଷ, ସତ୍ୟ ବୋଲି ବିଚାର କରିବା ଆଦୌ ଠିକ୍ ନୁହେଁ । ପ୍ରକୃତ ସତ୍ୟକୁ ନଜାଣି କେବଳ ସାମାଜିକ ପରିବେଶ ମଧ୍ୟରୁ ଆହରଣ କରିଥିବା ଯେ କୌଣସି ବିଷୟକୁ ନିଦ୍ୱର୍ନ୍ଦ୍ୱରେ ଗ୍ରହଣ କରୁଥିବା ମଣିଷ ବାସ୍ତବ ସତ୍ୟକୁ ଜାଣିପାରି ନଥା’ନ୍ତି । ଯୁଗ ଯୁଗ ଧରି ମଣିଷ ପରାଶ୍ରିତ ଅବସ୍ଥାରେ ରହିବା ପଛର ମୁଖ୍ୟ କାରଣ ହେଉଛି ନିଜର ଚେତନା ଜ୍ଞାନ ଉଦୟ କରିବାରେ ବିଫଳତା ହେତୁ । ନିରାଧାରରେ ଗ୍ରହଣ କରି ଚାଲିଥିବା ଆମ ଜୀବନର ସବୁ କଥା, ବିଷୟ ଗୁଡିକ କେବଳ ମିଥ୍ୟା ଆଧାରିତ ଯାହା ପାଇଁ ସମଗ୍ର ମାନବ ଜାତି ଆଜି ପ୍ରତାରିତ ନିଷ୍ପେସିତ । କେମିତି ଓ କାହିଁକି, ତାହା କେହି କହୁନାହାନ୍ତି କିମ୍ବା ସାଧାରଣ ମଣିଷ ଜାଣିବା ମଧ୍ୟ ସମ୍ଭବ ହେଉନାହିଁ । ତେଣୁ ଆମେ ସମସ୍ତେ ଆଜି ନିରାନନ୍ଦ ଜୀବନ ଯାପନ କରୁଥିବା ସ୍ୱୀକାର କରିବେ ୯୯ ଶତକଡାରୁ ଅଧିକ ମଣିଷ । ବାସ୍ତବ ସତ୍ୟକୁ ଜାଣିବା କେମିତି ଓ ସାମାଜିକ ସତ୍ୟସ୍ୱରୂପ ମିଥ୍ୟା ଗୁଡିକୁ ଅନୁଶୀଳନ କରି ତା ପଛରେ ରହିଥିବା ରହସ୍ୟ ଗୁଡିକୁ ଜାଣିବା ହେଲେ ଆମ ଜୀବନ ସରଳ ସୁଗମ ହୋଇ ପାରିବ । ସେଗୁଡିକୁ ଆମେ ନିହାତି ଜାଣିବା ଆବଶ୍ୟକ । ତା ହେଲେହିଁ ଆମ ଜୀବନ ଆନନ୍ଦମୟ ହୋଇପାରିବ ଯାହା ଏହି ସଂସାରରେ ଆମକୁ କେହି କୁହନ୍ତି ନାହିଁ ! କାରଣ ସେଗୁଡିକ କେବଳ ସୀମିତ ହାତଗଣତି ସ୍ୱାର୍ଥପର ମଣିଷଙ୍କ ବ୍ୟତୀତ ସମସ୍ତେ ଜାଣନ୍ତି ନାହିଁ ! ଶିକ୍ଷା, ସ୍ୱାସ୍ଥ୍ୟ, ଧନ, ଜୀବନ, ଧର୍ମ ତଥା ଆହୁରି ଅନେକ ବିଷୟରେ ଆମେ ସତ୍ୟ ସ୍ୱରୂପ ମିଥ୍ୟା ଗୁଡିକ ପଛରେ ଦୌଡ଼ି ପିଢ଼ିକୁ ପିଢ଼ି କେମିତି ନିଜ ଜୀବନକୁ ଦହଗଞ୍ଜ କରି ଶେଷ ନିଶ୍ୱାସ ତ୍ୟାଗ କରୁଛେ ସେ ବିଷୟରେ ଗୋଟି ଗୋଟି କରି ବିଚାର କରିବା ।   ବାସ୍ତବ ସତ୍ୟ ଆଉ ମଣିଷର ଦୁଃଖ ମଧ୍ୟରେ ସମ୍ପର୍କ କ’ଣ ? ଦେଖିବାକୁ ଗଲେ ଦୁଃଖ, ନୈରାଶ୍ୟ ତଥା ବିଭିନ୍ନ ଅସୁବିଧା ହୁଏତ କାହାକୁ ଛାଡ଼ିନାହିଁ ଆମ ସମାଜରେ । ଧନୀ, ଗରିବ, ଶିକ୍ଷିତ, ଅଶିକ୍ଷିତ ଯାହାକୁ ପଚାରିଲେ ବିଭିନ୍ନ ଦିଗରେ କିଛି ନା କିଛି ଦୁଃଖ ବାଢ଼ିଥା’ନ୍ତି । କାହାର କେଉଁଥିରେ ଦୁଃଖ, ନୈରାଶ୍ୟ ଦେଖିବାକୁ ମିଳିଥାଏ ତାର କୌଣସି ସଂଜ୍ଞା କି ଦିଗ ବାରି ହୋଇ ନଥାଏ । ହେଲେ ସମସ୍ତେ ଯିଏ ଯେଉଁ ଦିଗରୁ ଦୁଃଖି ହୁଅନ୍ତୁ ନା କାହିଁକି ମଣିଷ ଦୁଃଖି ହେବାର ପ୍ରକୃତ କାରଣ କ’ଣ ହୋଇପାରେ ବିଚାର କରି ଦେଖିବା ।
କହିବାକୁ ଗଲେ ସାଧାରଣରେ ଆର୍ଥିକ କ୍ଳେଶ ଅଧିକାଂଶ ମଣିଷଙ୍କୁ ଦୁଃଖ ଘେରରେ ରଖିଥିବା ବେଳେ ଶାରୀରିକ ରୋଗ, ମାନସିକ ଯନ୍ତ୍ରଣା, ସାମାଜିକ ଅପମାନ ଭଳି ଅନ୍ୟାନ୍ୟ ଦୁଃଖ ଗୁଡିକ ମଧ୍ୟ କିଛି କମ ଯନ୍ତ୍ରଣାଦାୟୀ ନୁହନ୍ତି । ହେଲେ ମଣିଷକୁ ଯାହାସବୁ ଦୁଃଖ ଦେଇଥାଏ ସେଗୁଡିକ ମଧ୍ୟରୁ ପ୍ରାୟତଃ ସବୁ ଗୁଡିକ ମନୁଷ୍ୟକୃତ, କୃତ୍ରିମ ହୋଇଥିବା ବେଳେ ପ୍ରାକୃତିକ ପ୍ରଭାବ ଜନିତ ଦୁଃଖ ଅତ୍ୟନ୍ତ ନଗଣ୍ୟ ଯାହା ଅତି ବିରଳ ସମୟରେ ଆସିଥାଏ । ତାହେଲେ ମନୁଷ୍ୟକୃତ ଅପ୍ରାକୃତିକ ଦୁଃଖ ଗୁଡିକ ସାଧାରଣ ମଣିଷଙ୍କୁ ବ୍ୟଥିତ କରିବାର କାରଣ କ’ଣ ? 
ଯେ କୌଣସି ଦୁଃଖ ହେଉ କି ନୈରାଶ୍ୟର ଭିତ୍ତିଭୂମି ରହିଥାଏ କେବଳ ଅଜ୍ଞାନତାରେ ! ଅର୍ଥାତ ମଣିଷ ନିଜର ସଚେତନ ଜ୍ଞାନ ସୃଷ୍ଟି କରିବାରେ ଅସମର୍ଥ ହେବା କାରଣରୁ ସବୁବେଳେ ସବୁ କଥାରେ ଅନ୍ୟ କାହାର ମତବାଦ କିମ୍ବା ଉପଦେଶ ଉପରେ ନିର୍ଭର କରି ନିଜ ଜୀବନକୁ ପରିଚାଳିତ କରୁଥିବା ଅସ୍ୱୀକାର କରିପାରିବେ ନାହିଁ କେହି । କାରଣ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ମଣିଷ ଯାହାସବୁ କରିଥାଏ ସେଗୁଡିକ ଆଉ କାହା ଦ୍ୱାରା ଦିଆଯାଇଥିବା ପ୍ରେରଣା, ଉପଦେଶ କିମ୍ବା ଲିଖିତ ତଥ୍ୟ ଉପରେ ଆଧାରିତ ନିଶ୍ଚୟ । ତେଣୁ ସେହି ବିଷଭରା ଉକ୍ତି ଗୁଡିକ ମାଧ୍ୟମରେ ସେମାନେ ଶୋଷଣ କରିଥା’ନ୍ତି ଶ୍ରୋତାଙ୍କୁ ଯାହା ଏକ ଗମ୍ଭୀର ଷଡ଼ଯାନ୍ତ୍ରୀକ  ବିଷୟ ! ଏ କଥାକୁ ସାଧାରଣରେ କେହି ଜାଣି ପାରନ୍ତି ନାହିଁ କି ଜାଣିବାର କୌଣସି ଉପାୟ ମଧ୍ୟ ନାହିଁ ଆମ ସମାଜରେ । ତେଣୁ ସାଧାରଣ ନିର୍ବୋଧ ମଣିଷ ସେ ଶିକ୍ଷିତ ହୁଅନ୍ତୁ କିମ୍ବା ଅଶିକ୍ଷିତ, ଆଉ କାହାଦ୍ୱାରା ପ୍ରତ୍ୟକ୍ଷରେ ହେଉ କି ପରୋକ୍ଷରେ ଲୁଣ୍ଠିତ, ଶୋଷିତ ହୋଇଥା’ନ୍ତି ସବୁବେଳେ ନିଜର ଅଜ୍ଞାନତା କାରଣରୁ । ସେହି ବିଷ ଭରା ବିଷୟ ଗୁଡିକ ଆଧାରିତ ହୋଇଥାଏ ମଣିଷ ମନରେ, ଜୀବନରେ ଦୁଃଖ ସୃଷ୍ଟି କରିବା ପାଇଁ ଯାହା ସମସ୍ତଙ୍କୁ ଆଜି ଘେରି ରହିଛି ।
ଅତଏବ ପ୍ରତ୍ୟେକ ମଣିଷ ଚେତନା ଜ୍ଞାନ ସୃଷ୍ଟି କରି ନିଜ ବିବେକରେ ପରିଚାଳିତ ହୋଇ କାହାର ଉପଦେଶ ଗୁଡିକୁ ସନେ୍ଦହ ଘେରରେ ରଖି ତର୍ଜମା କରିବା ଶିକ୍ଷା କରିବା ଅତ୍ୟାବଶ୍ୟକ । ଅନ୍ୟଥା ଯେ କୌଣସି ମଣିଷ କେବେ ହେଲେ ଦୁଖରୁ ବାଦ ପଡ଼ିବେ ନାହିଁ ଏ କଥାରେ କୌଣସି ସନେ୍ଦହ ନାହିଁ । ଅତି ସୂକ୍ଷ୍ମ ଅନୁଧ୍ୟାନ କରି ଦେଖିଲେ ଜାଣିହେବ ଯେ ଆମ ଜୀବନର ପ୍ରତ୍ୟେକ ସମୟରେ ସବୁ କଥାରେ ଆମେ ନିର୍ଭର କରୁଛେ ଆଉ କାହାଦ୍ୱାରା ଦିଆଯାଇଥିବା ମନ୍ତବ୍ୟ, ଉପଦେଶ ଉପରେ । ହେଲେ ଆମେ ନିଜର ଚେତନା ଜ୍ଞାନ ଉଦୟ କରିବା କେମିତି ଏବଂ କାହାର କୌଣସି କଥାକୁ ନିଦ୍ୱର୍ନ୍ଦ୍ୱରେ ଗ୍ରହଣ କରିବା ପୂର୍ବରୁ ସେଗୁଡିକୁ ଅନୁଶୀଳନ କରି ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ କରିବା ଶିକ୍ଷା କରିବା କିପରି ତାହା କେହି କୁହନ୍ତି ନାହିଁ । ନିଜକୁ ସଚେତନ କରି ନିଜ ବିବେକରେ ପରିଚାଳିତ ହେବା ରାସ୍ତା ଦେଖାଇ ନଥା’ନ୍ତି କେହି । କେବଳ ନିଜର ସମସ୍ୟା ସମାଧାନ ପାଇଁ ଜଣେ ଗୁରୁ କିମ୍ବା ଭଗବାନଙ୍କ ସାହାରା ନେବା ପାଇଁ  ଉପଦେଶ ଦେଇଥା’ନ୍ତି ସମସ୍ତେ, କାହିଁକି !
                ମୋ:୯୪୩୭୩୨୪୯୧୭