ମିଳିଲା ଆଡ଼ପ ଅବଢା
ପୁରୀ: ନବଦିନ ଯାତ୍ରାରେ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଡ଼ପମଣ୍ଡପରେ ଏବେ କରୁଛନ୍ତି ମାନବୀୟ ଲୀଳା । ଆଡ଼ପମଣ୍ଡପରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରି ନେତ୍ର ପବିତ୍ର କରିବା ପାଇଁ ଛୁଟିଛି ଶ୍ରଦ୍ଧାଳୁଙ୍କ ସ୍ରୋତ । ଉସôବମୁଖର ହୋଇଉଠିଛି ସମଗ୍ର ଶରଧାବାଲି ଅଞ୍ଚଳ । ରବିବାର ରାତିରେ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ବିଜେ କରି ଆଡ଼ପମଣ୍ଡପରେ ଅବସ୍ଥାନ କରିବା ପରେ ଆଜି ଗୁଣ୍ଡିଚା ମନ୍ଦିରରେ ଉପଲବ୍ଧ ହୋଇଛି ଆଡ଼ପ ଅବଢା । ପ୍ରତୁ୍ୟଷରୁ ଦର୍ଶନାର୍ଥୀମାନେ ବ୍ୟାରିକେଡ଼ ଦେଇ ମନ୍ଦିର ଭିତରକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମନ୍ଦିର ଭିତରେ ଦର୍ଶନ କରିଥିବାବେଳେ ଅପରାହ୍ନ ୩ଟା୫୦ମିନିଟ୍ ପରେ ଚତୁର୍ଦ୍ଧାମୁର୍ତ୍ତିଙ୍କ ଆଡ଼ପ ମହାପ୍ରସାଦ ସେବନ କରି ନିଜକୁ କୃତାର୍ଥ ମଣିଛନ୍ତି । ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିଥିବାବେଳ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ । ଆଡ଼ପ ଅବଢା ପାଇଁ ଭକ୍ତମାନଙ୍କ ମଧ୍ୟରେ ବ୍ୟାକୁଳ ପ୍ରତୀକ୍ଷା । ଅବଢା ବାହାରିବା ପରେ ଗୁଣ୍ଡିଚା ମନ୍ଦିରର ଆନନ୍ଦ ବଜାରରେ ଅବଢା ସଂଗ୍ରହ ପାଇଁ ଭକ୍ତମାନଙ୍କର ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା । ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ । ଭକ୍ତମାନେ ଭକ୍ତିଭରା ହୃଦୟରେ ଆଡ଼ପଅବଢା ସେବନ କରିବା ସହ ସ୍ୱଗୃହକୁ ନେଉଥିବା ଦେଖାଯାଇଥିଲା । ମହାପ୍ରସାଦର ମହକରେ ମହକି ଉଠିଥିଲା ଆନନ୍ଦ ବଜାର । ଗୁଣ୍ଡିଚା ମନ୍ଦିରରେ ଶୃଙ୍ଖଳିତ ଧର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବ୍ୟାରିକେଡ଼ ଦେଇ ଭକ୍ତମାନଙ୍କୁ ଛଡ଼ାଯାଇଥିବା ବେଳେ ମନ୍ଦିର ଦ୍ୱାର ପାଶ୍ୱର୍ରେ ବାଲିବସ୍ତା ରଖି ବନ୍ଧୁକଧାରୀ ପୁଲିସ ଜଗି ରହିଛନ୍ତି ।