ପରୀକ୍ଷା ଦେବାକୁ ଆସି ନାବାଳିକା ନିଖୋଜ: ଅଭିଯୋଗ ପରେ ବି ପୁଲିସ ନୀରବଦ୍ରଷ୍ଟା
ଚାନ୍ଦବାଲି : ବାଂଶଡା ଥାନା ଅଧିନସ୍ଥ ଷଣ୍ଢଗଡା ଗ୍ରାମର ଜଣେ ନାବାଳିକା ଘଂଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପରୀକ୍ଷା ଦେବାକୁ ଆସି ନିଖୋଜ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପ୍ରାପ୍ତ ଖବର ଅନୁଯାଇ ଷଣ୍ଢଗଡା ଗ୍ରାମର ରଞ୍ଜନ ସାମଲଙ୍କ ଝିଅ ଗତ ୨୧ ତାରିଖ ଦିନ ଘଂଟେଶ୍ୱରକୁ ପରୀକ୍ଷା ଦେବାକୁ ଆସିଥିବା ବେଳେ ପରୀକ୍ଷା ଦେଇ ସେ ଘରକୁ ଫେରିନଥିଲା । ଏ ନେଇ ରଞ୍ଜନ ସାମଲ ବାଂଶଡା ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ।
ଅଭିଯୋଗ ପରେ ଘଂଟେଶ୍ୱର ଅଂଚଳର ୨ଜଣ ନେତା ଝିଅର ବାପାକୁ ଡାକି ତାଙ୍କ ପୁଅ ସହ ବିବାହ କରାଇବାକୁ ସମ୍ମତି ଦେଲେ ବାପ ଝିଅଙ୍କୁ ସାମନା ସାମନି କରିଦେବୁ ବୋଲି କହିଥିଲେ । ଏହି କଥାରେ ରାଜି ନହେଲେ ସେମାନେ ଝିଅକୁ ଜୀବନରୁ ମାରିଦେବେ ବୋଲି ମଧ୍ୟ ଧମକ ଦେଇଛନ୍ତି । ମାତ୍ର ଝିଅର ବାପା ରଞ୍ଜନ ଏଥିରେ ସମ୍ମତି ନ ହୋଇ ପୁନଶ୍ଚ ବାଂଶଡା ଥାନାରେ ସେହି ୨ଜଣ ନେତାଙ୍କ ନାମରେ ପୁନଶ୍ଚ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପାଇବା ପରେ ମଧ୍ୟ ପୁଲିସ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି । କେଉଁ ପରିସ୍ଥିତିରେ ସଂପୃକ୍ତ ନାବାଳିକା ପିତାକୁ ପୁଲିସ ପ୍ରଶାସନ ନ୍ୟାୟ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ତାହା ତଦନ୍ତ ସାପେକ୍ଷ ହୋଇପଡିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଚାନ୍ଦବାଲିରେ ଏସଡିପିଓ ପଦବୀ ଫାଙ୍କା ପଡିଥିବା ବେଳେ ଦୀର୍ଘ ଦିନ ହେବ ଏହି ପଦ ପୂରଣ ଦିଗରେ ଭଦ୍ରକ ଆରକ୍ଷୀ ଅଧୀକ୍ଷକ କୌଣସି ପଦକ୍ଷେପ ନେଉ ନାହାନ୍ତି ଫଳରେ ସାଧାରଣ ଜନତା ଥାନାରୁ ନ୍ୟାୟ ନମିଳିଲେ କାହା ନିକଟରେ ଅଭିଯୋଗ କରିବେ? ଅନ୍ୟପକ୍ଷରେ ସମସ୍ତ ଜନସାଧାରଣ ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କ ନିକଟକୁ ଯିବାକୁ ସକ୍ଷମ ନଥିବା ବେଳେ କାହା ପାଖରେ ଏହି ଅଭିଯୋଗ କରିବେ ତାହା ମଧ୍ୟ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଦୀର୍ଘ ୭ ଦିନ ବିତିଯାଇଥିଲେ ମଧ୍ୟ ନାବାଳିକାର ବାପ-ମା’ ଝିଅର ବାଟକୁ ଅନେଇ ବସିଥିବା ବେଳେ ସେମାନେ ନିଜର ଝିଅକୁ ନ ପାଇଲେ ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କ ଅପିସ ଆଗରେ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।