ପାଇପ୍ ଲାଇନ୍ କାମ ବେଳେ ମାଟି ଧସି ଶ୍ରମିକ ମୃତ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ସାଗାସାହି ଖଣିରୁ-ଦୁବୁନା ସ୍ଥିତ କାରଖାନାକୁ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ କମ୍ପାନୀର ସ୍ଲରି ପାଇପ ଲାଇନ କାମ ବେଳେ ହେସାବେଡା ନିକଟରେ ମାଟି ଧସି ଜଣେ ଶ୍ରମିକ ମୃତୁ୍ୟବରଣ କରିଛନ୍ତି । ମୃତ ଶ୍ରମିକଙ୍କ ନାମ କାର୍ତ୍ତିକ ସାମନ୍ତ(୪୦) ଏବଂ ତାଙ୍କ ଘର ପଶ୍ଚିମବଙ୍ଗ ରାଜ୍ୟର ମେଦିନପୁର ଗ୍ରାମରେ ବୋଲି ଜଣାପଡିଛି । ଗତକାଲି ଅପରାହ୍ନରେ ସ୍ଲରି ପାଇପ ଲାଇନ କାମ ବେଳେ ମାଟି ଅତଡା ଖସି ଶ୍ରମିକ ଚାପି ହୋଇ ଯାଇଥିଲେ । ଅସୁରକ୍ଷିତ ଅବସ୍ଥାରେ ତରବରିଆ ଭାବେ କାମ କରୁଥିବାବେଳେ ମାଟି ଧସି ଯିବାରୁ ଶ୍ରମିକ ଜଣକ ଚାପି ହୋଇଯାଇଥିଲେ । ବାମେବାରୀ ପୁଲିସ ଶବ ଜବତ୍ କରି ଆଜି ବ୍ୟବଚ୍ଛେଦ କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ଦେଖାଦେଇଛି । କ୍ଷତିପୂରଣ ଦାବିରେ ପରିବାର ଲୋକ ଏବଂ କାମ କରୁଥିବା ଶ୍ରମିକମାନେ ଦୁବୁନାସ୍ଥିତ ଆର୍ସେଲ ମିତ୍ତଲ ନିପନ ଷ୍ଟିଲ କାରଖାନା ମୁଖ୍ୟ ଗେଟ ସମ୍ମୁଖରେ ଶବ ରଖି ଧାରଣାରେ ବସିଥିଲେ । ଏ ନେଇ ଡିଭିଜନାଲ ଲେବର କମିଶନର ସୂର୍ଯ୍ୟ ନାରାୟଣ ମାଳୀଙ୍କ ସହ ଯୋଗାଯୋଗ କରିବାରୁ ଘଟଣା ତଦନ୍ତ ପରେ ପଦକ୍ଷେପ ନିଆଯିବ । ମୃତ ଶ୍ରମିକଙ୍କ ପରିବାର ଲୋକଙ୍କୁ କର୍ମଚାରୀ କ୍ଷତିପୂରଣ ଆଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।