ପାଞ୍ଚବର୍ଷ ହେଲା ବନ୍ଦ ହୋଇପଡ଼ିଛି ମେସ୍କୋ କାରଖାନା : ୧୪ ଦିନ ମଧ୍ୟରେ ନଖୋଲିଲେ ଆମରଣ ଅନଶନ
ଯାଜପୁର-ବ୍ୟାସନଗର: ବିଜେଡ଼ି ସରକାର ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବାକୁ ଅଣ୍ଟା ଭିଡ଼ିଥିଲେ । ୨୪ବର୍ଷର ସରକାର ଚାଲିଯିବା ପରେ ଏବେ ରାଜ୍ୟରେ ବିଜେପି ସରକାର । ବିଜେପି ସରକାର ବି ରାଜ୍ୟକୁ ଶିଳ୍ପରେ ସମୃଦ୍ଧି କରିବାକୁ ଅଣ୍ଟାଭିଡ଼ି ବାହାରିଛନ୍ତି । ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯାଇ ଏକାଧିକ ଶିଳ୍ପପତିଙ୍କୁ ଭେଟିଛନ୍ତି । ୨୪ବର୍ଷ ଧରି ସରକାରରେ ଥିବା ବିଜେଡ଼ି କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଶିଳ୍ପହବରେ ପରିଣିତ କରିବାକୁ ପ୍ରତିଶ୍ରୁତି ଦେଇ କେତେକାଂଶରେ ସଫଳ ହୋଇଥିଲେ ହେଁ କାର୍ଯ୍ୟକ୍ଷମ ଥିବା ମେସ୍କୋ ଷ୍ଟିଲରେ ତାଲା ପଡ଼ିବା ଥିଲା ସବୁଠାରୁ ବଡ ବିଫଳତା ।
ଜମିବାଡ଼ି ଦେଇ କାରଖାନା ବସାଇବାରେ ସହଯୋଗ କରିଥିବା ପରିବାର ହୁଅନ୍ତୁ କି ଶ୍ରମଦାନ କରି ପରିବାର ପ୍ରତିପୋଷଣ କରୁଥିବା ଶ୍ରମଜୀବୀ ପରିବାର ଆଜି ଦୟନିୟ ଅବସ୍ଥାରେ ଚଳୁଛନ୍ତି । ଶିଳ୍ପ ଉପରେ ଗୁରୁତ୍ୱ ଦେଉଥିବା ବିଜେପି ସରକାର ଆସିବାର ପାଞ୍ଚମାସ ପରେ ବି ମେସ୍କୋ କର୍ମଚାରୀ ଓ ଶ୍ରମଜୀବୀଙ୍କ ଦୁର୍ଦ୍ଦଶା ଦୂର ହୋଇପାରିଲାନି । ସରକାର ମେସ୍କୋ କାରଖାନା ଉପରେ କୈାଣସି ଠୋସ ନିଷ୍ପତି ନେବାରେ ସମର୍ଥ ହୋଇପାରୁ ନାହାନ୍ତି । ବିଗତ ସରକାରରେ ହୋଇଥିବା ଏକାଧିକ ଥର ଆଲୋଚନା ବୈଠକର ନିଷ୍ପତିକୁ କାରଖାନା କର୍ତ୍ତୃପକ୍ଷ ମାନି ନାହାନ୍ତି । କାରଖାନା ଚଲାଇବାକୁ ନାଁ; ରେଲୱେ ସାଇଡିଂ ଚଳାଇବା ଜିଦ୍ରେ ରହିଥିବା ପରିଚାଳନା ନିଦେ୍ର୍ଦଶିକାଙ୍କ ମନମାନିକୁ ନେଇ ଅସନ୍ତୁଷ୍ଟ ଆମରଣ ଅନସନ ଚେତାବନୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଏଡ଼ିଏମ କଳିଙ୍ଗନଗରଙ୍କୁ କଳିଙ୍ଗନଗର ମଜଦୁର ୟୁନିଅନ ପକ୍ଷରୁ ପ୍ରଦାନ କରାଯାଇଥିବା ଅନସନ ଚେତାବନୀ ପତ୍ରରେ କୁହାଯାଇଛି କି ଚଳିତ ମାସ ୧୪ ତାରିଖ ମଧ୍ୟରେ ଯଦି କାରଖାନା ନଖୋଲେ, ତେବେ ଶ୍ରମଜୀବୀ ମେସ୍କୋ ଫାଠକ ଆଗରେ ଆମରଣ ଅନସନରେ ବସିବେ । ଆଉ ଏଥିପାଇଁ ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାର ଦାୟୀ ରହିବେ । ଯାହାର ନକଲ କପି ମୁଖ୍ୟ ଶାସନ ସଚିବ, ବିଭାଗୀୟ ମନ୍ତ୍ରୀ, ସୁକିନ୍ଦା ବିଧାୟକ ବା ମନ୍ତ୍ରୀ, ଜିଲାପାଳ, ଏସପି, ଅତିରିକ୍ତ ଏସପି କଳିଙ୍ଗନଗର, ନିଦେ୍ର୍ଦଶିକା ମେସ୍କୋ ଷ୍ଟିଲଙ୍କୁ ପ୍ରଦାନ କରିଛନ୍ତି । ୟୁନିୟନ ପକ୍ଷରୁ କୁହାଯାଇଛି କି ୧୯୯୩ ମସିହା ୧୫ରେ ସ୍ଥାପନ ହୋଇଥିବା ମେସ୍କୋ ଷ୍ଟିଲ ପାଞ୍ଚବର୍ଷ ହେଲା ବନ୍ଦ ହୋଇପଡ଼ିଛି । ୨୦୦ରୁ ଅଧିକ ପରିବାର ବିନା ପ୍ରତିବାଦ୍ରେ ୫୭୦ ଏକର ଜମି ଘର ବାଡ଼ି ଟେକି ଦେଇ ବିସ୍ଥାପିତ ହୋଇଥିଲେ । ୩ଶହରୁ ଅଧିକ ସ୍ଥାୟୀ,୪ଶହରୁ ଅଧିକ ଶ୍ରମଜୀବୀ ନିୟୋଜିତ ହୋଇଥିଲେ । ଶ୍ରମଜୀବୀ ପ୍ରାୟତ ବିସ୍ଥାପିତ ପରିବାର ଥିଲେ । ହେଲେ କର୍ତ୍ତୃପକ୍ଷ କ୍ଷତିର ବାହାରେ କାରଖାନାକୁ ଉତ୍ପାଦଶଶୂନ୍ୟ କରି ଦେଲେ । ପରେ ପରେ ‘ନୋ ୱାର୍କ ନୋ ପେ’ ଲାଗୁ କରି ଏକ ଅଚଳାବସ୍ତା ସୃଷ୍ଟି କଲେ । କାରଖାନା ପୁନଃ କାର୍ଯ୍ୟକ୍ଷମ ସହ ବାକିଆ ଦରମା ଦାବିରେ ଶହଶହ ଶ୍ରମଜୀବୀ ଫାଟକରେ ତାଲା ପକାଇ ଆନେ୍ଦାଳନ କଲେ । ହେଲେ କର୍ତୁପକ୍ଷ ନଛୋଡ଼ବନ୍ଧା ହେବା ସହରେଲୱେ ସାଇଡ଼ିଂ ଚଲାଇବା ଜିଦ୍ରେ ରହିଲେ । ଦୁଇବର୍ଷ ତଳେ ବାକିଆ ଦରମା ଏବଂ କାରଖାନା ଚାଲୁ ଜିଦ୍ରେ ବସିଥିବା ଶ୍ରମଜୀବୀଙ୍କୁ ଫାଟକ ଆଗରୁ ହଟାଇବା ପାଇଁ ରେଲୱେ ସାଇଡ଼ିଂ ଭଡ଼ା ପଇସାରେ ବେସିକ୍ ଡ଼ିଏ; ମହଦୁଜ ମାଲ ବିକି ଅଢେଇ ମାସର ଦରମା ଦେବାପରେ ଫେବ୍ରୁଆରି ୨୦୨୦ରୁ ଆନେ୍ଦାଳନ କରି ଆସୁଥିବା ଶ୍ରମଜୀବୀ ଆଶ୍ୱସ୍ଥ୍ୟ ହୋଇଥିଲେ । ଅଧୁନା ସଂପୃକ୍ତ କାରଖାନା ବନ୍ଦ ପଡ଼ିଥିବା ବେଳେ କର୍ମଚାରୀ ଏବଂ ଏକଜିକୁ୍ୟଟିଭ୍ ପ୍ୟାହାର ଅଧିକାରୀ, ଶ୍ରମଜୀବୀ ବିନା ଦରମାରେ କେବଳ ମେସ୍କୋ ଷ୍ଟିଲର କର୍ମଚାରୀ ପରିଚୟ ନେଇ ରହିଥିଲେ ହେଁ ବିନା ଶ୍ରମ ଏବଂ ବିନା ଦରମାରେ ଜୀବନ ବିତାଇ ଚାଲିଛନ୍ତି । ପାଞ୍ଚବର୍ଷ ହେଲା ମାନସିକ ଯନ୍ତ୍ରଣା ଏବଂ ଦୁର୍ଦ୍ଦିନରେ ଦିନ କାଟୁଥିବା ଶ୍ରମଜୀବୀ ରାଜ୍ୟ ସରକାରଙ୍କୁ ନିବେଦନ କରି ମେସ୍କୋ କାରଖାନା କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।