ରାଜଧାନୀରେ ରାତି ପାଟ୍ରୋଲିଂ ଜୋରଦାର

ଭୁବନେଶ୍ୱର, ୭ା୧୧ : ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ପାଇଁ, ଭୁବନେଶ୍ୱର-କଟକ ଦୈତ୍ୟ ନଗରୀର ପୁଲିସ କମିଶନର ଏବଂ ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ନିଦେ୍ର୍ଦଶ କ୍ରମେ “ସେଫ ସିଟି ଡ୍ରାଇଭ”ରେ “କନଭେ ପାଟ୍ରୋଲିଂ” ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସହରାଂଚଳ ପୁଲିସ ପକ୍ଷରୁ ବିଭିନ୍ନ ଥାନା କ୍ଷେତ୍ରରେ ରାତିରେ ବ୍ଲକିଙ୍ଗ ଏବଂ ଚେକିଂ ଅଭିଯାନ କଡାକଡି ଭାବେ ଚାଲୁଅଛି । ଏହି ଧରପଗଡ ଅଭିଯାନରେ, ରାସ୍ତାରେ ଯାତାୟାତ କରୁଥିବା ସମସ୍ତ ଯାନବାହାନ ଯାଂଚ କରାଯାଉଛି ଏବଂ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଲୋକମାନଙ୍କୁ ସଚେତନ କରାଯାଉଛି । ଆବଶ୍ୟକ ସ୍ଥାନରେ ଯାନ ଜବତ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଉଛି ।
ଏହି ପରିପ୍ରେକ୍ଷୀରେ ଗତକାଲି ରାତିରେ ଭୁବନେଶ୍ୱର ସହରାଂଚଳରେ ପୋଲିସ ପେଟ୍ରୋଲିଂର କନଭେ ଜରିଆରେ ଏକ ବିଶେଷ ଟିମ ଗଠନ କରାଯାଇଥିବା ବେଳେ ଲୋକାଲ ଅଫିସରମାନଙ୍କ ନେତୃତ୍ୱରେ ଏହି ଟିମର ଚାରୋଟି ଗାଡିରେ ଲକ୍ଷ୍ମୀସାଗର, ବଡ଼ଗଡ଼, ଏୟାରପୋର୍ଟ, ଖଣ୍ଡଗିରି ଏବଂ ଭରତପୁର ଥାନା ଅଂଚଳର ବିଭିନ୍ନ ସମ୍ବେଦନଶୀଳ ଅଂଚଳମାନଙ୍କୁ ଧ୍ୟାନରେ ରଖି ରାତି ୧୧:୩୦ ରୁ ସକାଳ ୪:୩୦ ପର୍ଯ୍ୟନ୍ତ ପେଟ୍ରୋଲିଙ୍ଗ କରାଯାଇଥିଲା । ପେଟ୍ରୋଲିଂ ଜରିଆରେ ଦାଗୀ ଏବଂ ସନେ୍ଦହଜନକ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି, ତାଙ୍କୁ ଥାନାକୁ ଆଣି ପଚରାଉଚାର କରାଯାଇଥିଲା । ସେହିପରି କ୍ୟାପିଟାଲ, ଖାରବେଳନଗର, ମେ ଶ୍ୱର ଥାନା , ସହିଦନଗର, ମୈତ୍ରୀବିହାର, ଇନ୍ଫୋସିଟି ଏବଂ ଚନ୍ଦ୍ରଶେଖର ପୁର ଥାନା ଅଧୀନରେ ଥିବା ବିଭିନ୍ନ ସ୍ଥାନ ମାନଙ୍କରେ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନାଇଟ ବ୍ଲକିଙ୍ଗ କରାଯାଇଥିବା ବେଳେ, ଏହି ଅଭିଯାନରେ ପୋଲିସ ଅଧିକାରୀ ଏବଂ ଥାନା କର୍ମଚାରୀ ସମେତ ୧ ସେକ୍ସନ୍ ପୋଲିସ୍ ଫୋର୍ସ ମଧ୍ୟ ସାମିଲ ହୋଇଥିଲେ । ଏହି ଧରପକଡ ଅଭିଯାନରେ, ପୁଲିସ କର୍ମଚାରୀମାନେ ବଡି କ୍ୟାମେରା, ମ୍ୟାନପ୍ୟାକ ହାଣ୍ଡସେଟ୍, ରେଡିୟମ ଜାକେଟ ଏବଂ ଲାଇଟ୍ ବାଟନ୍ ବ୍ୟବହାର କରିଥିଲେ ।ଗତକାଲି କରାଯାଇଥିବା ଧରପଗଡ ଅଭିଯାନରେ ଆଇନ ଉଲଙ୍ଘନକାରୀ ତଥା ମଦ୍ୟପ ଗାଡିଚାଳକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ, କେତେକ କ୍ଷେତ୍ରରେ ପିଆର ଦିଆଯାଇଥିଲା ଏବଂ ଅନ୍ୟ କେତେକ ସ୍ଥଳେ ଆଇନ ଉଲଂଘନକାରୀଙ୍କ ନିକଟରୁ ଓଡିଶା ମୋଟର ଯାନ ଆଇନ ଏବଂ ଓଡିଶା ସହରାଂଚଳ ପୁଲିସ ଆଇନ ଅନୁଯାଇ ଜୋରିମନା ମଧ୍ୟ ଆଦାୟ କରଯାଇଥିଲା । ଏହି କ୍ରମରେ ଦୁଇ, ଚାରିଚକିଆ ଯାନ ଜବତ କରାଯାଇଥିବା ବେଳେ ଓଡିଶା ମୋଟରଯାନ ଆଇନ ଓ ଓଡିଶା ସହରାଂଚଳ ପୁଲିସ ଆଇନ ଅନୁଯାଇ ଆଇନ ଉଲଂଘନକାରୀଙ୍କ ନିକଟରୁ ମୋଟ ୧୨,୦୦୦ ଟଙ୍କା ଜୋରିମନା ମଧ୍ୟ ଆଦାୟ କରଯାଇଥିଲା ।