ଡ୍ରେନ୍ ନିର୍ମାଣ ଅର୍ଥ ଆତ୍ମସାତ : ଧାରଣାରେ ବସିଲେ ବିଜେପି ନେତା

ହିଞ୍ଜିଳିକାଟୁ : କ୍ଷୁଦ୍ର ଜଳସେଚନ (କାଡା) ବିଭାଗୀୟ ଯନ୍ତ୍ରୀଙ୍କ ନିଦେ୍ର୍ଦଶକ୍ରମେ ୧୦ଲକ୍ଷ ଟଙ୍କା ବ୍ୟୟରେ ଜୈନିକ ବିଜେପି ନେତା ଡ୍ରେନ୍ ନିର୍ମାଣ କରିଥିବାବେଳେ ତାଙ୍କର ବିଲ୍କୁ ପାଣି ପଞ୍ଚାୟତ ସଭାପତି ଓ ସମ୍ପାଦକ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଡ୍ରେନ ନିର୍ମାଣ କରିଥିବା ସଂପୃକ୍ତ ବିଜେପି ନେତା ଘଟଣା ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ଏସଡିଓ ଏବଂ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ହେଲେ କୌଣସି ସୁଫଳ ମିଳିପାରିନାହିଁ । ଶେଷରେ ଉପାୟଶୂନ୍ୟ ହୋଇ ଗୁରୁବାର ଠାରୁ ବ୍ରହ୍ମପୁର ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।  ଏଭଳି ଏକ ଘଟଣା ହିଞ୍ଜିଳିକାଟୁ ବ୍ଳକ ନିମିଗାଁରେ ଦେଖିବାକୁ ମିଳିଛି ।
ଚାଷ ଓ ଚାଷୀଙ୍କ ଉନ୍ନତି ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା ପ୍ରଣୟନ କରିଛନ୍ତି । ଚାଷଜମିକୁ ଜଳଯୋଗାଣ ସକାଶେ କ୍ଷୁଦ୍ର ଜଳସେଚନ (କାଡା)ବିଭାଗ ପକ୍ଷରୁ ହିଞ୍ଜିଳିକାଟୁ ବ୍ଲକ୍ ନିମିଗାଁ ଠାରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ  ଡ୍ରେନ୍ ନିର୍ମାଣ ସକାଶେ ବିଭାଗୀୟ ଯନ୍ତ୍ରୀଙ୍କ ନିଦେ୍ର୍ଦଶକ୍ରମେ ୬୮ ନଂ ବିଜେପି ମଣ୍ଡଳ ସଭାପତି ମାର୍କଣ୍ଡ ପାଣିଗ୍ରାହୀ  ଡ୍ରେନ୍  ନିର୍ମାଣ କରିଥିଲେ । କାର୍ଯ୍ୟ ସମ୍ପାଦନ ପରେ ନିର୍ମାଣ କରାଯାଇଥିବା  ଡ୍ରେନ୍ ବାବଦକୁ ଅର୍ଥରାଶି ପାଇବା ସକାଶେ ବହୁବାର ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଦୌଡ଼ିଥିଲେ । ହେଲେ କୌଣସି ସୁଫଳ ମିଳିପାରିନଥିଲା । ମା ନିମେଶ୍ୱରୀ ପାଣି ପଞ୍ଚାୟତ, ନିମିଗାଁ ସଭାପତି ପ୍ରମୋଦ କୁମାର ମହାନ୍ତି ଓ ସମ୍ପାଦକ ନିରାକାର ମହାନ୍ତି ଗତ ମାର୍ଚ୍ଚ ୧୭ ତାରିଖରେ ନିର୍ମାଣ କରାଯାଇଥିବା  ଡ୍ରେନ୍ ବ୍ୟୟବରାଦ ବାବଦରେ ୧୦ ଲକ୍ଷ ଟଙ୍କା ହଡପ କରିଥିବା ନେଇ ସଂପୃକ୍ତ ବିଜେପି ନେତା ଜାଣିବାକୁ ପାଇଥିଲେ । ଘଟଣା ନେଇ ଏପ୍ରିଲ ୪ ତାରିଖରେ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ହେଲେ ବିଭାଗୀୟ ସହକାରୀ ଯନ୍ତ୍ରୀ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ । ଫଳରେ ବିଜେପି ନେତା ମାର୍କଣ୍ଡ ଏପ୍ରିଲ ୧୫ ତାରିଖରେ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ୨ ଦିନ ଧାରଣାରେ ବସିବା ପରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ବୁଝାସୁଝା କରିବା ସହ ଆସନ୍ତା ୨/୩ ଦିନ ମଧ୍ୟରେ  ଡ୍ରେନ୍ ନିର୍ମାଣ ବାବଦକୁ ଅର୍ଥରାଶି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ମାର୍କଣ୍ଡ ଧାରଣାରୁ ଉଠିଥିଲେ । ଦୀର୍ଘ ୧୭ ଦିନ ଅତିବାହିତ ହୋଇଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଅର୍ଥରାଶି ପ୍ରଦାନ କରାନଯିବାରୁ ଅର୍ଥ ତୋଷାରପାତ କରିଥିବା ନେଇ ମାର୍କଣ୍ଡ, ପାଣି ପଞ୍ଚାୟତ ସଭାପତି ଓ ସମ୍ପାଦକଙ୍କ ନାମରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ଘଟଣା ନେଇ ମାର୍କଣ୍ଡ ଗଞ୍ଜାମ ଜିଲ୍ଲାପାଳ,ଉପଜିଲ୍ଲାପାଳ, ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ବ୍ରହ୍ମପୁର ସମ୍ମୁଖରେ ଗୁରୁବାର ଠାରୁ ଧାରଣାରେ ବସିଛନ୍ତି ।  ଅନ୍ୟପକ୍ଷରେ  ଡ୍ରେନ୍  ନିର୍ମାଣ କାର୍ଯ୍ୟର କାର୍ଯ୍ୟାଦେଶ ସଂପୃକ୍ତ ପାଣି ପଞ୍ଚାୟତର ସଭାପତି ଓ ସମ୍ପାଦକଙ୍କ ନାମରେ ରହିଥିବା ବେଳେ ମାର୍କଣ୍ଡ ଜୋରଜବରଦସ୍ତ  ଡ୍ରେନ୍ ନିର୍ମାଣ କାର୍ଯ୍ୟ କରିଥିବା ଶୁଣିବାକୁ ମିଳିଛି ।  ଡ୍ରେନ୍  ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଆଇନ ଅନୁଯାୟୀ କାର୍ଯ୍ୟାଦେଶ ପ୍ରକାରେ ବିଲ୍ ପାସ୍ କରାଯାଇଛି ବୋଲି ଜଣାପଡ଼ିଛି । ଘଟଣା ନେଇ ଜଳସେଚନ(କାଡା) ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରିନାହିଁ । ଏ ନେଇ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କୁ ପଚାରିବାରୁ ସେ କୁହନ୍ତି ପ୍ରମୋଦ କୁମାର ମହାନ୍ତିଙ୍କୁ ମାର୍କଣ୍ଡ ପାଣିଗ୍ରାହୀ ଗାଳିଗୁଲଜ କରିଥିଲେ ବୋଲି ପ୍ରମୋଦ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଘଟଣା ସମ୍ପର୍କରେ ପୁଲିସ ମାର୍କଣ୍ଡଙ୍କୁ ଥାନାକୁ ଡାକି ପଚରାଉଚରା କରିବା ବେଳେ ପ୍ରମୋଦ ଓ ଜଣେ ସାଥି ମିଶି ତାଙ୍କୁ ଗାଳିଗୁଲଜ କରିଥିବା ନେଇ ମାର୍କଣ୍ଡ ହିଞ୍ଜିଳି ଥାନାରେ ପାଲଟା ଅଭିଯୋଗ କରିଛନ୍ତି । ଘଟଣାରେ ପୁଲିସ ୨ଟି ପୃଥକ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଅର୍ଥ ତୋଷାରପାତ ନେଇ ଅଭିଯୋଗ ହୋଇନଥିବା ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି ।