ଗୁହାରି କଲା ପାକିସ୍ତାନ: ସିନ୍ଧୁ ଚୁକ୍ତିର ପୁନଃବିଚାର କର
ନୂଆଦିଲ୍ଲୀ : ଯୁଦ୍ଧବିରତି ନେଇ ଭାରତକୁ ପାକିସ୍ତାନ ଅନୁରୋଧ କରିଥିବାବେଳେ ଏବେ ସିନ୍ଧୁ ଚୁକ୍ତି ସ୍ଥଗିତାଦେଶର ପୁନଃବିଚାର କରିବାକୁ ବି ଅନୁରୋଧ କରିଛି ।
ପାକିସ୍ତାନର ଜଳସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ଭାରତକୁ ଏନେଇ ପତ୍ର ଲେଖାଯାଇଛି । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ସିନ୍ଧୁ ଚୁକ୍ତିକୁ ସ୍ଥଗିତ ରଖିଥିଲା । ଯାହା ଏବେ ପାକିସ୍ତାନ ପାଇଁ କାଳ ହୋଇଛି । ଜଳ ସଂକଟରେ ଛନ୍ଦି ହୋଇ ଯାଇଥିବା ପାକିସ୍ତାନର ବିପଦ ଆହୁରି ବଢ଼ିବାରେ ଲାଗିଛି । ପାକ୍ ପକ୍ଷରୁ କୁହାଯାଇଛିଯେ, ଯଦି ସିନ୍ଧୁ ଚୁକ୍ତି ସ୍ଥଗିତ ରଖାଯାଏ ତେବେ ପାକିସ୍ତାନ ବହୁ ସଂକଟର ସାମ୍ନା କରିବ । ଏହି ଚୁକ୍ତି ଅନୁଯାୟୀ, ସତଲେଜ, ବିଜ ଓ ରବି ନଦୀ ଜଳ ଭାରତକୁ ଓ ସିନ୍ଧୁ, ଝେଲମ ଓ ଚେନାବ ନଦୀ ଜଳ ପାକିସ୍ତାନକୁ ଯାଇଥାଏ । ସିନ୍ଧୁ ନଦୀ ଚୁକ୍ତି ସ୍ଥଗିତ ରଖାଯିବା ପରେ, ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସ୍ୱଳ୍ପ ମିଆଦୀ, ମଧ୍ୟମ ମିଆଦୀ ଓ ଦୀର୍ଘ ମିଆଦୀ ଯୋଜନା କରାଯାଇଛି । ପାକିସ୍ତାନକୁ କିଭଳି ସିନ୍ଧୁ ନଦୀର ଜଳ ଯିବ ନାହିଁ ସେନେଇ ପଦକ୍ଷେପ ନିଆଯାଇଛି । ପାକିସ୍ତାନ ଆତଙ୍କବାଦୀକୁ ସମର୍ଥନ କରୁଥିବା ପର୍ଯ୍ୟନ୍ତ ସିନ୍ଧୁ ନଦୀରୁ ବିନ୍ଦୁଏ ଜଳ ଦିଆଯିବ ନାହିଁ ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ସୂଚନାଯୋଗ୍ୟଯେ, ଭାରତ ଭଳି ସିନ୍ଧୁ ନଦୀ ପାକିସ୍ତାନର ମଧ୍ୟ ଜୀବନରେଖା । ପାକିସ୍ତାନର ଅନେକ ଅଞ୍ଚଳକୁ ଜଳସେଚନ ଓ ପାନୀୟ ଜଳର ଏହା ଏକ ପ୍ରମୁଖ ଉତ୍ସ । ଭାରତ ପାଣି ବନ୍ଦ କରିବା ପରେ ଅନେକ ଅଞ୍ଚଳ ଶୁଷ୍କ ହୋଇଯାଇଛି ।