ପାଣି ନିଷ୍କାସନ ବ୍ୟବସ୍ଥା : କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି ରାସ୍ତା
ବିଞ୍ଝାରପୁର : କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା । ଅସରାଏ ବର୍ଷାରେ ରାସ୍ତାରେ ଜମୁଛି ଆଣ୍ଠୁଏ ପାଣି । ପାଣିରେ ଜଣା ପଡୁନି ଖାଲ ଖମା ଆଉ ବଢ଼ୁଛି ଦୁର୍ଘଟଣା । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର କଣ୍ଡିଆ ମୁଖ୍ୟ ରାସ୍ତାର ସିଂହପୁର ପଞ୍ଚାୟତର ୧୧ନମ୍ବର ୱାର୍ଡର ଦଳିତ ସାହି ନିକଟରେ । ରାସ୍ତା ନିକଟରେ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଯାହା ଫଳରେ ବର୍ଷା ଦିନରେ ଅସଳାଏ ବର୍ଷାରେ ଏଠି ଆଣ୍ଠୁଏ ଉଚ୍ଚର ପାଣି ଜମେ । ପାଣି ଜମିବା ଦ୍ୱାରା ରାସ୍ତାର ଅବସ୍ଥା ନକହିବା ଭଲ । ଖାଲ ଢିପରେ ରାସ୍ତା ପରିଣତ ହେଲାଣି । ଏହି ଖାଲ ଢିପରେ ବର୍ଷା ଦିନେ ପାଣି ଜମେ । ଆଉ ପାଣି ଜମିଯିବା ପରେ ରାସ୍ତାର ଖାଲ ଢିପ ଜଣାପଡ଼େ ନାହିଁ ଆଉ ନଜଣା ପଡ଼ିବା ଦ୍ୱାରା ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ଯାତ୍ରୀ ମାନେ ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି । ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଏଭଳି ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ବାରମ୍ୱାର ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ଯଥା ଶୀଘ୍ର ପାଣି ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।