ପରିବେଶ ମଞ୍ଜୁରୀ ଜନଶୁଣାଣି : ସୁକୁରୁଙ୍ଗୀ ଖଣି ଉତ୍ପାଦନ କ୍ଷମତା ବୃଦ୍ଧିକୁ ସମର୍ଥନ

କାଳିଆପାଣି : ଓଡିଶା ଖଣି ନିଗମ ପରିଚାଳନାଧିନ ସୁକୁରୁଙ୍ଗୀ କ୍ରୋମାଇଟ ଖଣିର ଉତ୍ପାଦନ କ୍ଷମତା ବୃଦ୍ଧି ନିମନ୍ତେ ଆୟୋଜିତ ଜନଶୁଣାଣି ଆଜି ଦୁଇ ତୃତୀୟାଂଶ ସମର୍ଥନରେ ସଫଳ ହୋଇଯାଇଛି । ରାଜ୍ୟ ପ୍ରଦୂଷଣ ବୋର୍ଡ ଦ୍ୱାରା ପରିବେଶ ମଞ୍ଜୁରୀ ନିମନ୍ତେ ଜନଶୁଣାଣି ଆୟୋଜିତ କରାଯାଇଥିଲା । କାଳିଆପାଣି ସେଣ୍ଟ୍ରାଲ ଖେଳ ପଡିଆ ଠାରେ ଆୟୋଜିତ ଜନଶୁଣାଣିରେ ସମୁଦାୟ ୨୦୪ଜଣ ମହିଳା ଏବଂ ପୁରୁଷ ନିଜନିଜର ମତାମତ ରଖିଥିଲେ । ଏହାମଧ୍ୟରୁ ୧୩୬ଜଣ ଜନଶୁଣାଣୀ ସପକ୍ଷରେ ସମର୍ଥନ କରିଥିଲେ । 
ଜନଶୁଣାଣୀ ବିରୋଧରେ  କାଳିଆପାଣି ପଞ୍ଚାୟତର ସୁକୁରୁଙ୍ଗୀ, କଅଁସ ପଞ୍ଚାୟତର ସାରୁଆବିଲି, ଓସ୍ତପାଳ ଓ ତଳଙ୍ଗି ଗାଁର ଖଣି ପ୍ରଭାବିତ ଗ୍ରାମବାସୀ ବିରୋଧ କରିଥିଲେ । ତେବେ ଖଣି ଅଞ୍ଚଳର ସମସ୍ତ ଗ୍ରାମ ପଂଚାୟତ ସରପଞ୍ଚ ଅର୍ଥାତ କାଳିଆପାଣି, ଚିଙ୍ଗୁଡ଼ିପାଳ, କଅଁସ, ରାଁସୋଳ ଏବଂ କାଙ୍କଡ଼ପାଳ ପଂଚାୟତ ସରପଂଚ ଓଡିଶା ଖଣି ନିଗମ ସପକ୍ଷରେ ସମର୍ଥନ ଦେଇଥିଲେ । ଉକ୍ତ ପଂଚାୟତର ସମସ୍ତ ପୂର୍ବତନ ସରପଞ୍ଚ, ସମିତିସଭ୍ୟ ଏବଂ ଗ୍ରାମବାସୀ ମାନେ ଏହାକୁ ସମ୍ପୂର୍ଣ ସମର୍ଥନ କରିଥିଲେ । କଳିଙ୍ଗନଗର ଏଡିଏମ୍ ସପନ କୁମାର ନନ୍ଦ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣିର ପ୍ରାରମ୍ଭରେ  କଳଙ୍ଗନଗର ଆଞ୍ଚଳିକ ଅଧିକାରୀ ମଦନ ମୋହନ ସାହୁ ଓଏମସି ପ୍ରସ୍ତାବ ଉପରେ ଅଞ୍ଚଳବାସୀଙ୍କ ମତାମତ ଆହ୍ୱାନ କରିଥିଲେ । ଓଏମସି ପକ୍ଷରୁ ଆଂଚଳିକ ପ୍ରବନ୍ଧକ ଇଂ ଆଶିଷ କୁମାର ସାମନ୍ତରାୟ ଖଣିର ସାରମର୍ମ ଉପସ୍ଥାପନ କରି ପାରିପାର୍ଶ୍ୱିକ ଉନ୍ନୟନ ଓ ପରିବେଶ ସନ୍ତୁଳନରେ ଓଏମସିର ଉଲ୍ଲେଖନୀୟ ପଦକ୍ଷେପ ବର୍ଣ୍ଣନା କରିଥିଲେ । ଓଏମସିକୁ ସମର୍ଥନ ବିନିମୟରେ ଶିକ୍ଷାର ଉନ୍ନତୀକରଣ, ନିଯୁକ୍ତି ସୁଯୋଗ ସୃଷ୍ଟି, ଜୀବନଜୀବିକା, ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା, ଧନ୍ଦାମୂଳକ ତାଲିମ, ଆଦିବାସୀ ସଂଗ୍ରହାଳୟ, ବନୀକରଣ ଓ ପ୍ରଦୂଷଣ ନିୟନ୍ତ୍ରଣ ଦାବି କରିଥିଲେ । ଓଏମସି ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗ କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ତଲତ ଆଫ୍ରିନ୍ ସମସ୍ତ ଦାବି ପୂରଣ ଦିଗରେ ଓଏମସି ଉଚ୍ଚ କର୍ତୃପକ୍ଷଙ୍କୁ ଅବଗତ କରାଯାଇ ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାନବ ସମ୍ବଳ ମହାପ୍ରବନ୍ଧକ ମଳୟ ରଞ୍ଜନ କର, ଜଙ୍ଗଲ ଓ ପରିବେଶ ମହାପ୍ରବନ୍ଧକ ସନ୍ଧ୍ୟା ମିଶ୍ର, କାର୍ମିକ ଉପମହାପ୍ରବନ୍ଧକ ଦେବାଶିଷ ସାମଲ, ବରିଷ୍ଠ ଖଣି ପ୍ରବନ୍ଧକ ଇଂ ନିଗମାନନ୍ଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । କଳିଙ୍ଗନଗର ଏଏସପି ସୁପ୍ରସନ୍ନ ମଲ୍ଲିକ ଓ ସୁକିନ୍ଦା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ବିଡିଓ ପ୍ରଜ୍ଞା ପରମିତା ପୃଷ୍ଟିଙ୍କ ଉପସ୍ଥିତିରେ ୮ପ୍ଲାଟୁନ ପୁଲିସ ଫୋର୍ସ ଆଇନଶୃଙ୍ଖଳା ପାଇଁ ମୃତୟନ ହୋଇଥିଲେ ।