ଡାଇରିଆ ରୋଗୀଙ୍କ ମୃତୁ୍ୟ : ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନାପରେ ପୁଲିସ ମୁତୟନ
ଯାଜପୁର ଟାଉନ: ଶନିବାର ସନ୍ଧ୍ୟାରେ ଯାଜପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ରୋଗୀ ମୃତୁ୍ୟକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ପହଁଚି ଉତ୍ତେଜନାକୁ ପ୍ରସମିତ କରିବା ପାଇଁ ଚେଷ୍ଟା ଜାରି ରଖିଛି । ଖବର ମତେ ଯାଜପୁର ପୌରାଞ୍ଚଳ ୧୬ ନଂ ୱାଡ଼ ନାଏକ ସାହି ଗ୍ରାମର ସୁଶାନ୍ତ ନନ୍ଦି (୩୨) ଆଜି ଦିବା ୧୨ ଘଟିକା ସମୟରେ ଡ଼ାଏରିଆରେ ପୀଡିତ ହୋଇ ଯାଜପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିଥିଲେ । ତାଙ୍କୁ ପ୍ରଥମେ ଡାକ୍ତର ଡାଏରିଆ ୱାର୍ଡରେ ଭର୍ତ୍ତି କରାଇଥିବା ବେଳେ କୌଣସି ଡାକ୍ତର ତାଙ୍କ ପାଖକୁ ଚିକିତ୍ସା କରିବା ନିମନ୍ତେ ଯାଇନଥିଲେ ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । କେତେକ ସେବିକା ତାଙ୍କୁ ସାଲାଇନ୍ ଏବଂ ଇଞ୍ଜେକସନ୍ ଦେଇ ଚିକିତ୍ସା କରିଥିବା ବେଳେ ହଠାତ୍ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡିଥିଲା । ଏହି ସମୟରେ ସେବିକାଙ୍କ ପକ୍ଷରୁ ସେହି ୱାର୍ଡର ଦାୟୀତ୍ୱରେ ଥିବା ଡାକ୍ତରଙ୍କୁ ଖବର ଦେଇଥିଲେ । ମାତ୍ର କୌଣସି ଡାକ୍ତର ସେଠାରେ ପହଁଚି ନଥିଲେ । ଚିକିତ୍ସା ଅବହେଳା କାରଣରୁ ସୁଶାନ୍ତଙ୍କ ମୃତୁ୍ୟ ଘଟିଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଉଥିବା ବେଳେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରିବା ପାଇଁ ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ମାତ୍ର ମୃତୁ୍ୟ ପରେ ସୁଶାନ୍ତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା ବୋଲି ପରିବାର ପକ୍ଷରୁ କୁହାଯାଇଛି । ଏହାକୁ ନେଇ ଯାଜପୁର ମୁଖ୍ୟ ତିକିତ୍ସାଳୟରେ ପରିବାର ଏବଂ ସେ ମାନଙ୍କର ସହଯୋଗୀଙ୍କ ପକ୍ଷରୁ ପ୍ରବଳ ପାଟିତୁଣ୍ଡ କରାଯାଇଥିବା ବେଳେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରିବା ସହ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।