ପାନୀୟ ଜଳ ଯୋଗାଣ ବିଭାଗ ସଚିବଙ୍କ ଗୁଣପୁର ଗସ୍ତ :ଉନ୍ନୟନମୂଳକ କାର୍ଯ୍ୟର କଲେ ତଦାରଖ
ଗୁଣପୁର: ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ଜଳ ଯୋଗାଣ ବିଭାଗ କମିଶନର ତଥା ସଚିବ ଗିରିଶ ଏସ୍ଏନ ଗୁଣପୁର ଉପଖଣ୍ଡର ଗୁଣପୁର ଓ ପଦ୍ମପୁର ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ସଚିବ ଶ୍ରୀ ଗିରିଶ ଗୁଣପୁର ପହଞ୍ଚô ପ୍ରଥମେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ପ୍ରିଦର୍ଶନ କରି ରୋଗୀଙ୍କ ସହ ସ୍ୱାସ୍ଥ୍ୟସେବା ବିଷୟରେ ପଚାରି ବୁଝିଥିଲେ । ଡାକ୍ତରମାନଙ୍କ ସହ ଚିକିତ୍ସାଳୟର ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ । ନୂତନ ଭାବେ ନିର୍ମାଣ ଚାଲିଥିବା କୋଠା ତୁରନ୍ତ ସାରିବାକୁ ନିଦେ୍ର୍ଦଶ ଦେଇଥିଲେ । ପରେ ଗୁଣପୁର ବ୍ଲକ ସିନାସାରି ଓ କୁଲୁସିଂ ଗ୍ରାମକୁ ଯାଇ ସେଠାରେ ବିକଶିତ ଗ୍ରାମ ବିକଶିତ ଓଡିଶା ମାଧ୍ୟମରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ଦେଖିଥିଲେ ଏବଂ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । କୁଲୁସିଂ ଅଞ୍ଚଳରେ ଚାଲିଥିବା ପ୍ରଧାନମନ୍ତ୍ରୀ ଜନମନ କାର୍ଯ୍ୟର ତଦାରଖ କରିଥିଲେ । ପରେ ପୁଟାସିଂ ସରକାରୀ ଉଚ୍ଚ ବିଦ୍ୟାଳୟ ଯାଇ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟଶୈଳୀ ଓ ଶିକ୍ଷାଦାନ ଉପରେ ପଚାରି ବୁଝିଥିଲେ । ମଧ୍ୟାହ୍ନ ଭୋଜନ, ପରିବେଶ ଭିତ୍ତିକ ଶିକ୍ଷା, ହଷ୍ଟେଲ ସୁପରିଚାଳନା ଆଦି ଉପରେ ଗୁରୁତ୍ୱ ଦେବାକୁ ଶିକ୍ଷକମାନଙ୍କୁ ତାଗିଦ କରିଥିଲେ । ପରେ ରିଜିଙ୍ଗତାଳ ଗ୍ରାମକୁ ଯାଇ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ଶିଶୁମାନଙ୍କୁ ପୋଷଣ ଖାଦ୍ୟ ଦିଆଯାଉଛି ନା ନାହିଁ ପଚାରି ବୁଝିଥିଲେ । ଏବଂ ଶିଶୁମାନଙ୍କ ଶିକ୍ଷାଦାନ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ । ସଚିବଙ୍କ ଗସ୍ତ ସମୟରେ ଗୁଣପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାର, ସହକାରୀ ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା, ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ସେଠାରୁ ଫେରିବା ପରେ ପଦ୍ମପୁର ବ୍ଲକର ପଦ୍ମପୁର, ଖମପଦର, ଡିବିରିସିଂ ଆଦି ଅଞ୍ଚଳ ଗସ୍ତ କରିଥିଲେ । ପଦ୍ମପୁର ଖମପଦରରେ ନିର୍ମାଣ ଚାଲିଥିବା ଅମୃତ ସରୋବର ପରିଦର୍ଶନ କରି ପାରିପାର୍ଶିକ ଉନ୍ନୟନ କାର୍ଯ୍ୟ ସାରିବାକୁ ପରାମର୍ଶ ଦେଇଥିଲେ । ପରେ ପଦ୍ମପୁରର ଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ଆକାଂକ୍ଷା ହାଟ ପରିଦର୍ଶନ କରି ଖୁସିବ୍ୟକ୍ତ କରିଥିଲେ । ସେଠାରୁ ଡିବିରିସିଂ ଗ୍ରାମକୁ ଯାଇ ଅନ୍ତ୍ୟୋଦୟ ଘର ଯୋଜନାରେ ଘର ପାଇଥିବା ହିତଧକାରୀଙ୍କ ସହ ଆଲୋଚନା କରିଥିଲେ । ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶୁ ଜାନି ସଚିବଙ୍କ ସହ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖ ଉପରେ ଆଲୋକପାତ କରିଥିଲେ ।