ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଟ୍ରାଫିକ୍ କଟକଣା
ଭୁବନେଶ୍ୱର,୬ା୧ : ଆସନ୍ତା ୮ ତାରିଖ ଦିନ ଠାରୁ ଆରମ୍ଭ ହେବ ୩ ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ । ଏଥିଲାଗି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ଏପରିକି କିଛି କିଛି ପ୍ରବାସୀ ଭାରତୀୟମାନେ ଭୁବନେଶ୍ୱରରେ ଆସି ପହଞ୍ଚିବା ଆରମ୍ଭ କଲେଣି । ଏହାରି ମଧ୍ୟରେ କମିଶନରେଟ ପୁଲିସ ପକ୍ଷରୁ ସହରରେ ଟ୍ରାଫିକ କଟକଣା ଜାରି କରାଯାଇଛି । ଜାରି ହୋଇଥିବା ଟ୍ରାଫିକ କଟକଣା ଅନୂଯାୟୀ ପୁଲିସ ପକ୍ଷରୁ ଧାର୍ଯ୍ୟ ହୋଇଥିବା ସମୟ ମଧ୍ୟରେ ଉକ୍ତ ରାସ୍ତା ଦେଇ ସାଧାରଣ ଲୋକଙ୍କ ଯାତାୟତ ଉପରେ ରୋକ ଲଗାଯାଇଛି । କେବଳ ଜରୁରୀକାଳୀନ ସେବା ଯୋଗାଉଥିବା ଗାଡ଼ି ଗୁଡ଼ିକ ହିଁ ଏହି ସମୟରେ ଏହି ରାସ୍ତା ଦେଇ ଯାତାୟତ କରିପାରିବ ବୋଲି ଜାରି ହୋଇଥିବା ନିଦେ୍ର୍ଦଶନାମାରେ ଉଲ୍ଲେଖ କରାଯାଇଛି । ଏହିକ୍ରମରେ ଆସନ୍ତା ୮ ତାରିଖ ସନ୍ଧ୍ୟା ୭ଟା୫୦ରୁ ରାତି ୮ଟା ୨୦ ମିନିଟ ମଧ୍ୟରେ ଏୟାରପୋର୍ଟ ଛକରୁ ରାଜଭବନ ଛକମଧ୍ୟରେ କୌଣସି ଯାନବାହନ ଚଳାଚଳ କରିପାରିବ ନାହିଁ । ଅର୍ଥାତ ଏହି ଦୁଇଟି ସ୍ଥାନ ମଧ୍ୟରେ ଥିବା ହସ୍ପିଟାଲ ଛକ ଓ ଏଜି ଛକ ଦେଇ ମଧ୍ୟ କୌଣସି ଗାଡ଼ି ଯାତାୟତ କରିବ ନାହିଁ । ସେହିପରି ଉକ୍ତ ଦିନ ସକାଳ ୯ଟା ୩୦ରୁ ୧୦ ମଧ୍ୟରେ ରାଜଭବନ ଛକ, ପାୱାର ହାଉସ ଛକ, ୧୨୦ ବାଟାଲିୟନ ଛକ, ଶାସ୍ତ୍ରୀ ନଗର ଛକ, ବେହେରା ସାହି ଛକ, ଜୟଦେବ ବିହାରରୁ ଜାଭିୟର ଛକ ପର୍ଯ୍ୟନ୍ତ କୌଣସି ଗାଡ଼ି ଯାତାୟତ କରିପାରିବ ନାହିଁ । ସେହିପରି ୯ ତାରିଖ ଦିନ ୧୧ଟା ୨୦ରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ନାଲକୋ ଛକ, ଜାଭିୟର ଛକ, ଜୟଦେବ ବିହାର ଛକ, ବେହେରା ସାହି ଛକ, ଶାସ୍ତ୍ରୀ ନଗର ଛକ, ୧୨୦ ବାଟାଲିୟନ ଛକ, ପାୱାର ହାଉସ ଛକ, ରାଜଭବନ, ଏଜି ଛକ, ଓ ଏୟାରପୋର୍ଟ ଛକ ଦେଇ କୌଣସି ସାଧାରଣ ଯାନାବାହାନ ଚଳାଚଳ ଉପରେ ରୋକ ଲଗାଯାଇଛି । ଉକ୍ତ ଦିନ ଅପରାହ୍ନ ୪ଟା ୨୦ରୁ ୪ଟା ୫୦ ମିନିଟ ମଧ୍ୟରେ ଏୟାରପୋର୍ଟ ଛକ, ହସ୍ପିଟାଲ ଛକ ଓ ଏଜି ଛକରୁ ରାଜଭବନକୁ ଯାଇଥିବା ରାସ୍ତାଟି ବନ୍ଦ ରହିବ । ୧୦ ତାରିଖ ଅର୍ଥାତ ଉକ୍ତ ସମ୍ମିଳନୀର ଉଦଯାପନୀ ଦିନ ସକାଳ ୧୧ଟା ୨୦ରୁ ୧୧ଟା ୫୦ ମଧ୍ୟରେ ରାଜଭବନ, ପାୱାର ହାଉସ, ୧୨୦ ବାଟାଲିୟନ, ଶାସ୍ତ୍ର ନଗର, ବେହେରା ସାହି, ଜୟଦେବ ବିହାର ଓ ଜାଭିୟର ଛକ ରାସ୍ତା ଗୁଡିକ ସିଲ ରହିବ । ଏଥିସହ ଅପରାହ୍ନ ୪ଟା ୫୦ରୁ ୫ଟା ୨୫ ମିନିଟ ମଧ୍ୟରେ ନାଲକୋ ଛକରୁ ଏୟାରପୋର୍ଟ ଛକ ମଧ୍ୟରେ ଥିବା ସମସ୍ତ ଛକ ସ୍ଥାନ ଓ ରାସ୍ତାକୁ ସିଲ କରାଯାଇଥିବା ଭୁବନେଶ୍ୱର ଟ୍ରାଫିକ ପୁଲିସ ପକ୍ଷରୁ ଅବଗତ କରାଯାଇଛି । ଏହି ସମସ୍ତ କାର୍ଯ୍ୟରେ ଭୁବନେଶ୍ୱରବାସୀଙ୍କ ସହଯୋଗ ଲୋଡ଼ିଛନ୍ତି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ ।