ପିଆରଏମ୍ ମେଡିିକାଲରେ ରୋଗୀସେବା : ହାସ୍ୟାସ୍ପଦ ଅଲଟ୍ରାସାଉଣ୍ଡ ପାଇଁ ଦେଢ ମାସ ଅପେକ୍ଷା

 ବେତନଟୀ/ବୈଶିଙ୍ଗା : ସ୍ୱାସ୍ଥ୍ୟସେବା ପାଇଁ ମୟୂରଭଞ୍ଜ ଜିଲ୍ଲାର ଜୀବନରେଖା କୁହାଯାଉଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀଙ୍କ ଦୁର୍ଦ୍ଦଶା କହିଲେ ନସରେ । ବେତନଟୀର ଜଣେ ରାଜ୍ୟ ଓ ଜାତୀୟ ପୁରସ୍କାରପ୍ରାପ୍ତ ସେବାନିବୃତ୍ତ ଶିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ଗତ ୨୫ଜୁନ୍ରେ ଧାଡିରେ ଯାଇ ଆଉଟଡୋରରୁ ଟିକଟ ସଂଗ୍ରହ କରି ନାସା, ଗଳା ଓ କର୍ଣ୍ଣ ବିଭାଗରେ ତାଙ୍କର ପରୀକ୍ଷା କରାଇଥିଲେ । ଏହାପରେ ବିଭାଗୀୟ ପରାମର୍ଶରେ ଅଲଟ୍ରାସାଉଣ୍ଡ ବିଭାଗକୁ ଯାଇ ଟିକଟ ଦେଖାଇବାରୁ ତାଙ୍କୁ  ଅଗଷ୍ଟ ୮ ତାରିଖ ଅର୍ଥାତ୍ ୪୩ ଦିନ ପରେ ଆସି ଅଲଟ୍ରାସାଉଣ୍ଡ କରାଇ ନେବା ନିମନ୍ତେ ସଂପୃକ୍ତ ବିଭାଗ ତାରିଖ ଦେଇଛି । ହେଲେ ରୋଗୀର ଅବସ୍ଥା ଗୁରୁତର ଅନୁଭବ କରି ସେ ତତକ୍ଷଣାତ୍ ବାରିପଦାରେ ବାଧ୍ୟ ହୋଇ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ କଲେ । ଚିକତ୍ସା ନିମନ୍ତେ ୪୩ ଦିନ ଅପେକ୍ଷା କରିବା ଜଣେ ଯେ କୌଣସି ରୋଗୀ ପକ୍ଷେ ସମ୍ଭବ କି ? ତା’ଛଡା ଅଲଟ୍ରା ସାଉଣ୍ଡ ବିଭାଗରେ ସତରେ କ’ଣ ଏତେ ଭିଡ? ପ୍ରତ୍ୟହ କେତେ ଜଣଙ୍କର ପରୀକ୍ଷା କରାଯାଇଥାଏ ବୋଲି ସାଧାରଣ ଭାବେ ମନରେ ପ୍ରଶ୍ନ ଉଠୁଛି । ତାଛଡା ବାହାରେ ପରୀକ୍ଷା କରିବାକୁ ରୋଗୀମାନଙ୍କୁ ଏହାଦ୍ୱାରା ଜାଣିଶୁଣି ଏକ ସୁଚିନ୍ତିତ ଉପାୟରେ ବାଧ୍ୟ କରାଯିବା ଭଳି ପରିସ୍ଥିତି ସୃଷ୍ଟି କରାଯାଉନାହିଁ ତ, ଏଥିରେ ସରକାରୀ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ହାତ ଥିଲା ଭଳି ଲାଗୁଛି ବୋଲି ଅଭିଯୋଗ କରି ଏହାର ତଦନ୍ତ କରି ସତ୍ୟାସତ୍ୟ ଉନ୍ମୋଚନ କରିବାର ଆବଶ୍ୟକତା ରହିଛି ବୋଲି ସଚ୍ଚିଦାନନ୍ଦ ଅଭିଯୋଗ ଆଣିଛନ୍ତି ।