ଯୋଗାଣ ହେଲାଣି ମାର୍ଚ୍ଚର ରାସନ ରିଟେଲରଙ୍କୁ ମିଳିନି ଫେବୃଆରିର ୨୦ % ଚାଉଳ

ବୈତରଣୀ ରୋଡ:  ବ୍ୟବସ୍ଥା ଗତ ତ୍ରୁଟି ନାଁ ଯୋଜନା ବଦ୍ଧ ତାହାକୁ ନେଇ ପ୍ରଶ୍ନ ଉଠିଛି । ଆଉ ଚଳନ୍ତି ମାସର ପୁରା ଚାଉଳ ଉପଭୋକ୍ତାଙ୍କୁ ଯୋଗାଇ ଦେବା ନିମନ୍ତେ ରିଟେଲରଙ୍କୁ ପ୍ରାପ୍ତ ହୋଇ ନଥିବା ବେଳେ, ସେପରି ସ୍ତଳେ ଆଗୁଆ ମାସର ଚାଉଳ ଯୋଗାଇ ଦିଆଯାଉଛିା ଯାହାକୁ ନେଇ ରିଟେଲର ବିଧାୟକ, ବ୍ଲକ ଯୋଗାଣ ଅଧିକାରୀ ଏବଂ ବିଡିଓଙ୍କୁ ଦେଖା କରିବା ପୂର୍ବକ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଭଳି ଅବ୍ୟବସ୍ଥା କୋରେଇ, ଯାଜପୁର, ବିଞ୍ଝାରପୁର, ଦଶରଥପୁର ବ୍ଲକ ସହ ଯାଜପୁର ପୌରପାଳିକାରେ ଘଟିଛି । ଗତକାଲି କୋରେଇ ବ୍ଲକ ଅନ୍ତର୍ଗତ ରିଟେଲର ଯୋଗାଣ ଅଧିକାରୀ ଛବିଲତା ପଲେଇ ଏବଂ ବିଡିଓ ଅବନୀକାନ୍ତ ସାହୁ ଭେଟି ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଆଜି କୋରେଇ ବିଧାୟକ ଆକାଶ ଦାସନାୟକଙ୍କୁ ଜଲ୍ଲା ସଂଘ ସଭାପତି ବାସୁଦେବ ବେହେରା ଏବଂ ଅନ୍ୟମାନେ ଭେଟି ଚାଉଳ ଆବଣ୍ଟନ ଅବ୍ୟବସ୍ଥାକୁ ନେଇ ଲିଖିତ ଅଭିଯୋଗ କରିଛନ୍ତି । ରିଟେଲରଙ୍କ ଅଭିଯୋଗ ମତେ ଫେବୃଆରି ମାସରେ ଉପଭୋକ୍ତାଙ୍କୁ ଯେତିକି ଚାଉଳ ବଣ୍ଟନ କରାଯାଏ ସେଥି ମଧ୍ୟରୁ ୨୦ ପ୍ରତିଶତ ରିଟେଲରଙ୍କୁ ପ୍ରଦାନ କରାଯାଇନି । ମିଳିଥିବା ୮୦ପ୍ରତିଶତ ଚାଉଳ ବଣ୍ଟନ ସାରି ସେମାନେ ବାକି ଚାଉଳ ଅପେକ୍ଷାରେ ଥିବା ବେଳେ ମାର୍ଚ୍ଚମାସର ଚାଉଳ ଯୋଗାଇ ଦିଆଯାଉଛି । ଯାହାଦ୍ୱାରା ଚାଉଳ ପାଇ ନଥିବା ଉପଭୋକ୍ତା ସେମାନଙ୍କ ଦୁଆରୁ ଫେରୁଛନ୍ତି । ବାକିଆ ଚାଉଳ ମିଳିବ କି ନମିଳିବ ତାକୁ ନେଇ ରିଟେଲର ଆଶା ଓ ଆଶଙ୍କାରେ ରହିଛନ୍ତି । କୋରେଇ ବ୍ଲକ ରିଟେଲର ସଙ୍ଘ ପକ୍ଷରୁ ସଭାପତି ଚର୍ତୃଭୂଜ ନାୟକ, ସମ୍ପାଦକ ପ୍ରଦୀପ ମହାପାତ୍ର ଓ ଅନ୍ୟ ମାନେ କିପରି ବାକିଆ ଚାଉଳ ମିଳିବ ସେଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।