ପୁଅ ବଦଳରେ ମାଆକୁ ଇଞ୍ଜେକସନ୍

 ନୂଆପଡା : ପୁଅ ବଦଳରେ ମାଆକୁ ଇଞ୍ଜେକସନ, ଏମିତି ଏକ ଅଭିଯୋଗ ଆସିଛି ଖଡ଼ିଆଳ ସବ ଡିଭିଜନ ହସ୍ପିଟାଲରୁ । ଖବର ମୁତାବକ ଖଡ଼ିଆଳ ବ୍ଲକ୍ ବର ଗାଁ ର ରାଜୁ ତାଣ୍ଡି ଓ ଅଞ୍ଜୁ ତାଣ୍ଡି ନିଜର ଦୁଇ ବର୍ଷର ପୁଅ ଡୁଲେଶ୍ୱରକୁ ଜ୍ୱର ହେବାରୁ ଆଜି ଡାକ୍ତରଖାନାକୁ ଆଣିଥିଲେ । ସେମାନେ ଶିଶୁ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର ମାଝୀଙ୍କୁ ଦେଖାଇଥିଲେ । ଡାକ୍ତର ଚିଠା ଲେଖି ଇଞ୍ଜେକସନ ଦେବା ପାଇଁ ନର୍ସଙ୍କ ପାଖକୁ ପଠାଇଥିଲେ । କାର୍ଯ୍ୟରତ ନର୍ସ ରଶ୍ମିତା ପଣ୍ଡା ଛୁଆ ବଦଳରେ ମାଆ ଅଂଜୁଙ୍କ ପେଟରେ ଫୋଡି ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଅଂଜୁଙ୍କ ପେଟରେ ମଧ୍ୟ ଛୁଞ୍ଚି ଫୋଡି ଦେବାର ଚିହ୍ନ ସ୍ପଷ୍ଟ ଭାବରେ ଦିଶୁଛି । ତାଙ୍କ ପେଟ ଦରଦ ହେଉଥିବା ମଧ୍ୟ ଅଞ୍ଜୁ କହିଛନ୍ତି । ଏନେଇ ସଂପୃକ୍ତ ନର୍ସଙ୍କୁ ପଚାରିବାରୁ ଘଟଣାକୁ ଅସ୍ୱୀକାର କରିଥିଲେ । କାଳେ ଫୋଡିବା ସମୟରେ ବାଜି ଯାଇଥିବ ବୋଲି କହିଥିଲେ । ଏନେଇ ମେଡିକାଲ ଇନଚାର୍ଜ ଡାକ୍ତର ମହେନ୍ଦ୍ର ମାଝୀଙ୍କୁ ପଚାରିବାରୁ ଏହାର ତଦନ୍ତ କରିବେ ବୋଲି କହିଛନ୍ତି । ମାଆର ଚିକିତ୍ସା କରାଯାଇଛି, କୌଣସି ଅସୁବିଧା ହେବ ନାହିଁ ବୋଲି ଜଣାଇଥିଲେ ।