ପୁରୀରେ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ : ମୁତୟନ ହେବେ ୭୦ ପ୍ଲାଟୁନ ପୁଲିସ
ପୁରୀ : ଆଉ ଦିନକ ପରେ ନୂଆବର୍ଷ । ସେଥିପାଇଁ ଏବେଠାରୁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ବଢ଼ିବାରେ ଲାଗିଛି । ନୂଆବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲାଭ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ପୁରୀ ଆସୁଛନ୍ତି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ସୁବିଧାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସମ୍ପୂର୍ଣ୍ଣ ଶ୍ରୀମନ୍ଦିର, ସମୁଦ୍ର କୂଳ ସହ ପୁରୀ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ, ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହ ବଡ଼ଦାଣ୍ଡ ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ଏ ନେଇ ପୁରୀ ଏସ୍ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।
ଶୃଙ୍ଖଳିତ ଦର୍ଶନ ସହ ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ସୁପରିଚାଳନା ପାଇଁ ସହରରେ ୭୦ରୁ ଅଧିକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ସମଗ୍ର ସହରକୁ ସିସିଟିଭି ବଳୟ ମଧ୍ୟରେ ରଖାଯାଇଛି । ଶ୍ରୀମନ୍ଦିର ଭିତରେ ୧୫୨ଟି ସିସିଟିଭି ଏବଂ ବାହାରେ ୧୯୨ ସିସିଟିଭି ଲଗାଯାଇଛି । ୨ ଜଣ କମାଣ୍ଡାଣ୍ଟ, ୧୩ ଅତିରିକ୍ତ ଏସପି, ୪୩ ଜଣ ଡିଏସପି, ୮୭ ଇନ୍ସପେକ୍ଟର, ୨୪୬ ଏସ୍ଆଇ ଏବଂ ଏଏସ୍ଆଇ ମୁତୟନ ରହିବେ ।
ଅନ୍ୟପଟେ ଆଜିଠାରୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ । ମୁଖ୍ୟ କାର୍ଯ୍ୟାଳୟ ନଛାଡିବାକୁ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ ଜାରି କରିଛନ୍ତି । ନୂଆବର୍ଷରେ ପୁରୀ ପର୍ଯ୍ୟଟକ ଏବଂ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
Samir Kumar Rout