ପୁଲିସର ରୋଡମ୍ୟାପ୍; ଥାନାରେ ସୁଧାର ପ୍ୟାରେଡ୍; ୨୫୬ ପେଶାଦାର ଅପରାଧୀ ହାଜର

ପୁଲିସର ରୋଡମ୍ୟାପ୍; ଥାନାରେ ସୁଧାର ପ୍ୟାରେଡ୍; ୨୫୬ ପେଶାଦାର ଅପରାଧୀ ହାଜର

ଭୁବନେଶ୍ୱର,୨୪ା୧୧ : ରାଜଧାନୀକୁ ଅପରାଧ ମୁକ୍ତ କରିବାକୁ ଭୁବନେଶ୍ୱର ଅର୍ବାନ ପୁଲିସ ପକ୍ଷରୁ ସୁଚିନ୍ତିତ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହିକ୍ରମରେ ରବିବାର ରାଜଧାନୀର ସମସ୍ତ ଥାନା ପୁଲିସ ପକ୍ଷରୁ ପୂର୍ବାହ୍ନରେ ଥାନାରେ ସୁଧାର ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି । ଏହି ସୁଧାର ପ୍ୟାରେଡରେ ଭୁବନେଶ୍ୱର ଅର୍ବାନ ପୁଲିସ ଅଧିନରେ ଥିବା ସମସ୍ତ ଥାନାରେ ୨୫୬ ଜଣ ପେଶାଦାର ଅପରାଧୀ ହାଜର ହୋଇଥିଲେ । । ହାଜର ହୋଇଥିବା ଅପରାଧୀମାନଙ୍କୁ ପୁଲିସ ପକ୍ଷରୁ ଆଗାମୀ ଦିନରେ ଅପରାଧ ନ କରିବା ଲାଗି କୁହାଯିବା ସହ ସମାଜର ମୁଖ୍ୟସ୍ରୋତକୁ ଫେରିବା ଲାଗି କ’ଣ ସବୁ ଆବଶ୍ୟକ ସେ ନେଇ ପଚରାଉଚରା କରାଯାଇଥିବା ଜଣାପଡ଼ିଛି । ଏହାବାଦ ଯଦି କୌଣସି ଜଣେ ଅପରାଧୀ ସମାଜର ମୁଖ୍ୟ ସ୍ରୋତକୁ ଫେରିବାକୁ କିଛି ଟଙ୍କା କିମ୍ବା ଋଣର ଆବଶ୍ୟକତା କରୁଛି, ତେବେ ସେଥିରେ ମଧ୍ୟ ସ୍ଥାନୀୟ ଥାନାଧିକାରୀମାନେ ସହଯୋଗ କରିଥିବା ପ୍ୟାରେଡ୍ ପରେ ବିଭିନ୍ନ ଥାନା ସୂତ୍ରରୁ ଖବର ମିଳିଛି । ଏହାବାଦ ଅପରାଧୀଙ୍କ ମନରେ ପୁଲିସ ପ୍ରତି ଏକ ଭୟ ଏବଂ ସେମାନଙ୍କ ନାମ ଏବେ ବି ପୁଲିସ ଡାଏରୀରେ ଉଲ୍ଲେଖ ଥିବା ଭଳି ଏକ ବାର୍ତ୍ତା ଥିବା ନେଇ ପୁଲିସ ପକ୍ଷରୁ ଏଭଳି ଏକ ପ୍ୟାରେଡର ଆୟାଜନ କରାଯାଉଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ପୂର୍ବରୁ ଏହାକୁ ଗୁଣ୍ଡା ପ୍ୟାରେଡର ଆଖ୍ୟା ଦିଆଯାଉଥିଲା, କିନ୍ତୁ ଅପରାଧୀଙ୍କ ମାନସିକତାର ପରିବର୍ତ୍ତନ ଏବଂ ପୁଲିସ ସେମାନଙ୍କ ପ୍ରତି ଅଯଥାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଦର୍ଶାଇବାକୁ ଯାଇ ଏହାକୁ ସୁଧାର ପ୍ୟାରେଡର ନାମକରଣ ଦିଆଯାଇଥିବା ଡିସିପି ପିନାକ ମିଶ୍ର ସ୍ପଷ୍ଟ କରିଛନ୍ତି । ତେବେ ଏହି ପ୍ୟାରେଡରେ କେବଳ ବୃତ୍ତିଗତ ଅପରାଧୀ ନୁହନ୍ତି ବରଂ ଯେଉଁମାନେ ନୂଆନୂଆ ଅପରାଧ ଦୁନିଆରେ ପାଦ ଥାପୁଛନ୍ତି ସେମାନଙ୍କୁ ମଧ୍ୟ ଥାନାକୁ ଡକାଯାଇଥିବା ରାଜଧାନୀର କେତେକ ଥାନାଧିକାରୀ ନିଜ ନାମ ଗୋପନ ରଖିବା ର୍ସ୍ତରେ କହିଛନ୍ତି । ସେମାନଙ୍କ କହିବାନୁଯାୟୀ, ଅପରାଧୀମାନେ କେବଳ ପୁଲିସ ପ୍ରତି ଭୟ ରଖିବା ଉଚିତ ନୁହେଁ, ପୁଲିସ ସେମାନଙ୍କ ଭଲ ମନ୍ଦ କଥା ଚିନ୍ତା କରୁଛନ୍ତି ତାହା ମଧ୍ୟ ସେମାନଙ୍କ ମନରେ ରହିବା ଉଚିତ । ଏହାକୁ ଆଖି ଆଗରେ ରଖି କମିଶନରେଟ ପୁଲିସ ପକ୍ଷରୁ ଏହି ପ୍ୟାରେଡର ଆୟୋଜନ କରାଯାଉଛି । ଏହାଫଳରେ ଅପରାଧୀମାନେ ସାବାଡ଼ ହେବା ସହ ସେମାନଙ୍କ ପ୍ରତି ପୁଲିସର ଏକ ଭଲ ଚିନ୍ତାଧାରା ରହିଥିବା ଅନୁମେୟ ହେବା ଆଶାରେ ଏହିଭଳି ଯୋଜନା ହାତକୁ ନିଆଯାଇଥିବା ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।