ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟକୁ ଧସେଇ ପଶିବା ଘଟଣା : ୨୫ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୁଲିସ
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଖ୍ରୀଷ୍ଟିୟାନ ମଞ୍ଚ ପକ୍ଷରୁ ଗତକାଲି ଏକ ବିଶାଳ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିବାବେଳେ ଏହି କାର୍ଯ୍ୟକ୍ରମର ଅନୁମତି ନ ନେଇ ଜୋର ଜବରଦସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିବା ଭଳି ଅନେକ ଅଭିଯୋଗ କରି ୨୫ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ମାଲକାନଗିରି ଆଦର୍ଶ ଥାନା ପୁଲିସ ନିଜ ଆଡୁ ଏହି ମାମଲା ରୁଜୁ କରିଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି ।
ସୂଚନା ଅନୁଯାୟୀ, ଗତ ଜୁନ ୨୧ ତାରିଖରେ ଜିଲ୍ଲାର କତାମାଟେରୁ ଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡୋଗୋଳ ଯୋଗୁଁ ପ୍ରାୟ ୩୦ ଜଣ ବ୍ୟକ୍ତି ଆହତ ହୋଇଥିଲେ । ଆହତ ବ୍ୟକ୍ତିମାନେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ହୋଇଥିବା ବେଳେ ଏହାକୁ ନେଇ ଜିଲ୍ଲା ଖ୍ରୀଷ୍ଟିୟାନ ମଞ୍ଚ ମାଲକାନଗିରି ଆଦର୍ଶ ଥାନାରେ ମାମଲା ରୁଜୁ କରିବାର ଅନେକ ଦିନ ବିତି ଯାଇଥିବା ବେଳେ ପୁଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଇ ନଥିବାରୁ ଗତକାଲି ଜିଲ୍ଲା ଖ୍ରୀଷ୍ଟିୟାନ ମଞ୍ଚ ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା କରଯାଇଥିଲା । ଏଥିରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଲୋକେ ସାମିଲ ରହିଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗେ ଏହି ଶୋଭାଯାତ୍ରା ପହଞ୍ଚିଥିଲା । ତେବେ ସେଠାରେ ଦାବିପତ୍ର ଗ୍ରହଣ କରିବା ପାଇଁ ଅଧିକାରୀମାନେ ବାହାରକୁ ଆସିବାରେ ବିଳମ୍ବ ହେଉଥିବାରୁ ଏହାକୁ ନେଇ ହୋ ହଲ୍ଲା ହୋଇଥିଲା । ଏହି ସମୟରେ କିଛି ସମୟ ପାଇଁ ସାମାନ୍ୟ ଉତ୍ତେଜନା ମୂଳକ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଏହି ଘଟଣାରେ ଅନୁମତି ନ ନେଇ ସରକାରୀ କାର୍ଯ୍ୟାଳୟରେ ଧସେଇ ପଶିବା ସହ ସରକରୀ ଅଧିକାରୀଙ୍କୁ ଦୁର୍ବ୍ୟବାହାର ଭଳି ଅନେକ ଧାରା ଦେଇ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।