ମଝି ଚିଲିକାରେ ଫସିଲା ଭସାପୋଲ, ଜଣେ ନିଖୋଜ
ଚିଲିକା : ନୂଆବର୍ଷ ସକାଳୁ ସକାଳୁ ବଡ଼ ଅଘଟଣ। ଆଜି ସକାଳ ସମୟରେ ମଝି ଚିଲିକାରେ ଅଟକିଛି ଭସାପୋଲ । ଯାହାଫଳରେ ସେଥିରେ ଯାତ୍ରା କରୁଥିବା ୫୦ରୁ ଅଧିକ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରବଳ କୁହୁଡ଼ି କାରଣରୁ ଏଭଳି ହୋଇଛି ସୂଚନା ମିଳିଛି । ଏହା ସହ ଜଣେ ଯାତ୍ରୀ ମଧ୍ୟ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ଜଣକ ହେଲେ ଉମାଶଙ୍କର ଶାବତ। ତାଙ୍କ ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବୋଲି ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ ନିଖୋଜ ଯାତ୍ରୀଙ୍କ ଖୋଜାଖୋଜି ଜାରି ରହିଛି । କେତେବେଳେ ଓ କେଉଁ ସମୟରେ ଯାତ୍ରୀଜଣଙ୍କ ନିଖୋଜ ହେଲେ ତାହା ଜଣା ପଡ଼ିନାହିଁ।
ଖବର ଅନୁଯାୟୀ, ଆଜି ସକାଳ ସମୟରେ କିଛି ଯାତ୍ରୀଙ୍କୁ ନେଇ ବ୍ରହ୍ମଗିରିରୁ ଜହ୍ନିକୁଦା ଅଭିମୁଖେ ଯାଉଥିଲା ଭସାପୋଲ । ହେଲେ ପ୍ରବଳ କୁହୁଡ଼ି ଲାଗି ଭସାପୋଲଟି ଚ୍ୟାନେଲ ବାହାରକୁ ଚାଲିଯାଇଥିଲା । ଯାହାଫଳରେ ଭସାପୋଲ ମଝି ଚିଲିକାରେ ଅଟକି ଯାଇଥିଲା । ସେହି ସମୟରେ ଭସାପୋଲରେ ଆସୁଥିବା ଜଣେ ଯାତ୍ରୀ ନିଖୋଜ ହୋଇ ଯାଇଥିଲେ । ଚିଳିକା କୂଳରେ ଯାତ୍ରୀଜଣଙ୍କର ଟୋପି ଓ ଚପଲ ମିଳିଥିବା ବେଳେ ଏପର୍ଯ୍ୟନ୍ତ ଯାତ୍ରୀଜଣଙ୍କର ପତ୍ତା ମିଳି ନାହିଁ।
Samir Kumar Rout