ହଟୁନି ମେଡିକାଲରୁ ତଦନ୍ତ ଅନିଶ୍ଚିତତା : ଦ୍ୱନ୍ଦ୍ୱ ବଢାଉଛି ସିଡିଏମଓ କାର୍ଯ୍ୟାଳୟ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକଙ୍କ ବିରୋଧରେ ବହୁ ସଂଖ୍ୟକ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସଙ୍ଗୀନ ଅଭିଯୋଗ ଆଧାରିତ ତଦନ୍ତ ନେଇ ପ୍ରହେଳିକା ସୃଷ୍ଟି ହୋଇଛି । ଦୀର୍ଘ ଦେଢ ମାସ ପୂର୍ବରୁ ହୋଇଥିବା ଏହି ଅଭିଯୋଗକୁ ଚପାଇବା ପାଇଁ ସି.ଡି.ଏମ.ଓ. କାର୍ଯ୍ୟାଳୟର ଉଦ୍ୟମ ଫସର ଫାଟିବା ପରେ ଏବେ ତଦନ୍ତର ଭେଳିକି ଚାଲୁ ରହିଛି । ଏହି ଅଭିଯୋଗ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡା କମଳାକାନ୍ତ ସ୍ୱାଇଁଙ୍କ ବିରୋଧରେ କେବଳ ହୋଇଥିଲା । ସି.ଡି.ଏମ.ଓ. କାର୍ଯ୍ୟାଳୟ ବାଧ୍ୟବାଧ୍ୟକତାରେ ତଦନ୍ତ ପାଇଁ ଗତ ୫ ଓ ୬ ତାରିଖ ଦୁଇ ଦିନରେ ଅଭିଯୋଗକାରୀ ସି.ଏଚ.ଓ. ଓ ଅଧିକ୍ଷକଙ୍କ ଠାରୁ ସନେ୍ଦହ ଜନକ ଭାବେ ବୟାନ ରେକର୍ଡ କରିଥିଲା । ତଦନ୍ତକୁ ଭିନ୍ନ ମୋଡ ଦେବା ପାଇଁ ଅଧିକ୍ଷକଙ୍କ ଅନୁଗତ ସ୍ୱାସ୍ଥ୍ୟକର୍ମୀ ଗୋଷ୍ଠୀ ସି.ଏଚ.ଓ.ଙ୍କ ବିରୋଧରେ ଆଣିଥିବା ସଦ୍ୟ ଅଭିଯୋଗକୁ ମୂଳ ତଦନ୍ତ ସହ ଯୋଡି ଦିଆଯାଇ ସି.ଡି.ଏମ.ଓ. କାର୍ଯ୍ୟାଳୟ ତଦନ୍ତ ପ୍ରକ୍ରିୟାକୁ ଅଯାତିତ ଭାବେ ଦୀର୍ଘ କରାଯାଇଛି । ଏଥିପାଇଁ ଗତ ୧୧ ତାରିଖରେ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରୁ ୨ଟି ବୋଲେରୋ ଯୋଗେ ସ୍ୱାସ୍ଥ୍ୟକର୍ମୀମାନେ ସି.ଡି.ଏମ.ଓ. କାର୍ଯ୍ୟାଳୟକୁ ଯାଇ ବୟାନ ଦେଇଥିବା ଜଣାଯାଇଛି । ପୁନଶ୍ଚ ୧୨ ତାରିଖ ଦିନ ସ୍ୱାସ୍ଥ୍ୟକେନ୍ଦ୍ରର ଅର୍ଥ ପରିଚାଳନା କର୍ମଚାରୀମାନେ ନିଦେ୍ର୍ଦଶ ମୁତାବକ ସି.ଡି.ଏମ.ଓ. କାର୍ଯ୍ୟାଳୟକୁ ଯାଇ ତଦନ୍ତରେ ସାମିଲ ହୋଇଥିବା ଜଣାଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ଠାରୁ ସି.ଡି.ଏମ.ଓ. କାର୍ଯ୍ୟାଳୟ ବୟାନ ରେକର୍ଡ କରାଯିବ ବୋଲି ଶୁଣାଯାଉଛି । ଗତ ୧୩ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଅଧିକ୍ଷକ ଡା.ସ୍ୱାଇଁଙ୍କ ବିରୋଧରେ ଏଭଳି ତଦନ୍ତ ହେବା ପ୍ରଥମ ଘଟଣା । ପୂର୍ବରୁ ସବୁ ଅଭିଯୋଗକୁ ଅକାମୀ କରିଦେଉଥିବା ଡା.ସ୍ୱାଇଁ ଏବେ ତଦନ୍ତକୁ ନେଇ ବିଚଳିତ ହେବା ସହ ଗତ ୮ ଦିନ ଧରି ଛୁଟିରେ ରହିଥିବା ଜଣାଯାଇଛି । ଏଥିସହ ବହୁ ଗୋଷ୍ଠୀରେ ବିଭାଜିତ ହୋଇ ପରସ୍ପରକୁ ଅକଳରେ ପକାଉଥିବା ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଗୋଷ୍ଠୀ ତଦନ୍ତର ଫଳାଫଳକୁ ନେଇ ଉକôଣ୍ଠା ମଧ୍ୟରେ ରହିଥିବାରୁ ରୋଗୀସେବା ଉପରେ ଏହାର କୁପ୍ରଭାବ ପରିଲକ୍ଷିତ ହୋଇଛି । ଡା.ସ୍ୱାଇଁଙ୍କ ସମୟରେ ଗୋଷ୍ଠୀସ୍ୱାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରେ ପାରସ୍ପରିକ ଅବିଶ୍ୱାସ ଓ ସନେ୍ଦହ ଲାଗି ରହି ବିଶୃଙ୍ଖଳିତ ଭାବ ଦେଖାଦେଇଛି । ସମ୍ପ୍ରତି ତଦନ୍ତ ସମୟରେ ଡା.ସ୍ୱାଇଁ ନିଦେ୍ର୍ଦାଶ ସାବ୍ୟସ୍ତ ହୋଇ ଅଧିକ୍ଷକ ଭାବେ ପୁନଃ କାର୍ଯ୍ୟ ଆରମ୍ଭ କଲେ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୃଙ୍ଖଳା ଫେରିବ ନାହିଁ ବୋଲି ତଦନ୍ତ ସମୟରେ ଖୋଦ କର୍ମଚାରୀମାନେ ମତଦେଇଛନ୍ତି ବୋଲି ଚର୍ଚ୍ଚା ଲାଗି ରହିଛି । ଅନ୍ୟପକ୍ଷରେ ସି.ଡି.ଏମ.ଓ. କାର୍ଯ୍ୟାଳୟ ତଦନ୍ତରୁ ନ୍ୟାୟ ମିଳିବ ନାହିଁ ବୋଲି ପୁର୍ବାନୁମାନ କରି ସି.ଏଚ.ଓ.ମାନେ ପରିବର୍ତ୍ତି ପଦକ୍ଷେପ ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାଯାଇଛି । ତଦନ୍ତ ଅନ୍ତିମ ପର୍ଯ୍ୟାୟରେ ରହିଛି । ଅଳ୍ପ ଦିନ ମଧ୍ୟରେ ଚୁଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସି.ଡି.ଏମ.ଓ. ଡା. ଉମାଚରଣ ବିଶ୍ୱାଳ ମତ ରଖିଛନ୍ତି ।