ଜନ୍ମଦିନ ପାଳନ ପାଇଁ ବିଡିଓ ବ୍ଲକ କାର୍ଯ୍ୟାଳୟରେ ତାଲା ଠୁଙ୍କି ଦେଲେ

 ଭଣ୍ଡାରିପୋଖରୀ : ବୁଧବାର ୧୨.୧୦ ମିନିଟ । ବହୁ ଲୋକ ଅପେକ୍ଷା କରିଥିଲେ ବ୍ଲକରେ ବିଭିନ୍ନ କାର୍ଯ୍ୟ ପାଇଁ ଓ ବିଡିଓଙ୍କୁ ସାକ୍ଷାତ ପାଇଁ । ହେଲେ ଭଣ୍ଡାରିପୋଖରୀ ବିଡିଓଙ୍କ ନିଦେ୍ର୍ଦଶରେ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକକୁ ଉଭୟ ଭିତର ପଟୁ ଓ ବାହାର ପଟୁ ତାଲା ପକାଇଲେ କର୍ମଚାରୀ । ଉପସ୍ଥିତ ସମସ୍ତ କର୍ମଚାରୀ ବିଡିଓଙ୍କ ପଛେ ପଛେ ଚାଲିଲେ ବ୍ଲକ ସମ୍ମିଳନୀ କକ୍ଷକୁ । ବିଡିଓଙ୍କ ଜନ୍ମଦିନ ପାଳନ ପାଇଁ ପ୍ରସ୍ତୁତ କେକ କଟାଗଲା । କର୍ମଚାରୀମାନେ ବିଡିଓଙ୍କୁ ପୁଲତୋଡା ଦେଇ ଦୀର୍ଘ ଜୀବନ ମନାସିଲେ । ଇତି ମଧ୍ୟରେ ସକାଳୁଆ ଅଫିସ କାର୍ଯ୍ୟ ନିର୍ଘଣ୍ଟ ସମୟ ଗୋଟାଏ ବାଜି ସାରିଥିଲା । ଡହ ଡହ ଖରାରେ ଅପେକ୍ଷାରତ ଲୋକେ ମନଭରି ଗାଳିଦେଇ ଘରକୁ ଫେରିଗଲେ । ଫାଟକ ବାହାରେ ଅପେକ୍ଷାରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଭିତରକୁ ପ୍ରବେଶ ମନା ହେଲା । କାର୍ଯ୍ୟାଳୟ କାର୍ଯ୍ୟ ସମୟସୀମା ମଧ୍ୟରେ ବ୍ଲକ କାର୍ଯ୍ୟାଳୟକୁ ବନ୍ଦ କରିବା ଦୁଃସାହସ ପାଇଁ ବିଡିଓ ଦେବଦତ୍ତ ଦାଶଙ୍କୁ ସବୁ ମହଲରେ ତୀବ୍ର ଭର୍ସନା କରାଯାଇଛି । ଏହା ଶାସନର ଅଧୋଗତି ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ବିଡିଓଙ୍କ ସହ ଫୋନ ଯୋଗେ ଯୋଗାଯୋଗ ପାଇଁ ବହୁବାର ଉଦ୍ୟମ କରାଯାଇଥିଲେ ବି ବିଡିଓ ଫୋନ ରିସିଭ କରିନଥିଲେ । ଏହି ଘଟଣା ଜିଲ୍ଲାପାଳ ଦିଲ୍ଲିପ କୁମାର ରାଉତରାୟଙ୍କ ଦୃଷ୍ଟିକୁ ଅଣାଯିବା ପରେ ଜିଲ୍ଲାପାଳ ତଦନ୍ତ ନିଦେ୍ର୍ଦଶ ଦେଇଥିବା ଜଣାଯାଇଛି ।