ବାଣ ତିଆରି ସାମଗ୍ରୀ ଜବତ; ଜଣେ ଗିରଫ
କବାଟବନ୍ଧ : ବୁଧବାର ଭୋର ସମୟରେ ବେଆଇନ ବାଣ କାରଖାନା ଉପରେ ଚଢ଼ାଉ କରି ଜେନାପୁର ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ରେଖିଦେଇପୁର ଗ୍ରାମର ସ୍ୱର୍ଗତ ନାଥ ଦାସଙ୍କ ପୁଅ ଧୋଇଆ ଓରଫ ଧବଳେଶ୍ୱର ହୋଇଥିବା ବେଳେ ସେ ଦୀର୍ଘ ଦିନ ହେବ ଘରେ ବେଆଇନ ଭାବେ ବାଣ ତିଆରି କରିବା ସହିତ ବିକ୍ରି କରି ଆସୁଥିଲା । ଜନବସତି ତଥା ନିଜ ଘରେ ବାଣ ତିଆରି ପାଇଁ ବ୍ଲାକ ପାଉଡର, ଚାରକଏଲ,ସଲଫର, ପୋଟାସିୟମ ନାଇଟ୍ରେଟ, ମ୍ୟାଗ୍ନେସିୟମ, ସୁତୁଲୀ, ବାରୁଦ, କରତଗୁଣ୍ଡ, ଗୋଡି ବିଭିନ୍ନ ପ୍ରକାର ସାମଗ୍ରୀ ମହଜୁଦ ରଖି ତିଆରି କରି ବିଭିନ୍ନ ସ୍ଥାନକୁ ଚାଲାଣ କରିଥାଏ । ଜେନାପୁର ପୁଲିସ ଚଢ଼ାଉ କରି ଏକ ବୋରିଂ ଘର ଭିତରୁ ଗନ ପାଉଡର, କାଠ ଗୁଣ୍ଡ, ୪ପ୍ୟାକେଟ ଫାୟାର କ୍ରାକର, ଝରଝରି ପ୍ରସ୍ତୁତ ମାଟେରିଆଲକୁ ଜବତ କରିଥିଲେ । ଜବତ ବାଣ ତିଆରି ବିସ୍ପୋରକ ସାମଗ୍ରୀକୁ ଜିଲ୍ଲା ବମ୍ବ ନିଷ୍କ୍ରିୟ ଟିମ ଦ୍ୱାରା ସେ ସବୁକୁ ନିଷ୍କ୍ରିୟ କରାଯାଇଥିଲା । ଏନେଇ ଜେନାପୁର ଥାନା କେସ ନମ୍ବର ୧୭୬/୨୫ ସେକ୍ସନ ୨୮୮ ବିଏନ ଏସ, ସେକ୍ସନ ୯(ବି) ଅଫ ଇଣ୍ଡିଆନ ଏକ୍ସ ଏକ୍ସପ୍ଲୋସିଭରେ ଆକ୍ଟ ୧୯୮୪ରେ ଧୋଇଆକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରିଣୀ ନିରୂପମା ଜେନା ସୂଚନା ଦେଇଛନ୍ତି ।