ପୂତିଗନ୍ଧମୟ ଘଣ୍ଟତୋଳା ତୁଠ
କାକଟପୁର: ଓଡିଶାର ଇତିହାସରେ ବେଶ ଗୁରୁତ୍ୱ ବହନ କରୁଥିବା ଐତିହ୍ୟ ସମ୍ପନ୍ନ ପ୍ରାଚୀ ନଦୀ ଆଜି ଓଡିଶା ମାନଚିତ୍ରରୁ ଲିଭିଯିବାକୁ ବସିଲାଣି । ଏହି ପ୍ରାଚୀ ନଦୀର ଘଣ୍ଟତୋଳା ତୁଠ ମା ମଙ୍ଗଳାଙ୍କ ଯାନିଯାତ୍ରା ସମୟରେ ବେଶ ଗୁରୁତ୍ୱ ବହନ କରେ । ଏବେ ଗତ କିଛି ଦିନ ହେବ ଘଣ୍ଟତୋଳା ତୁଠର ଅବସ୍ଥା ସଙ୍ଗୀନ ହୋଇପଡିଛି । ଏବେ ତୁଠ ପରିବେଶ ଅଳିଆ ଆବର୍ଜନା ସାଙ୍ଗକୁ କଟକି ଦଳ ମାଡିବସି ତୁଠକୁ ପୁରା କବ୍ଜା କରିରଖିଛି । ପ୍ରତ୍ୟେହ ଦିନ ମାନସିକଧାରୀ ଶ୍ରଦ୍ଧାଳୁ ଛୋଟ ପିଲାଙ୍କୁ ମୁଣ୍ଡନ କରିବା ପରେ ପ୍ରାଚୀ ଘାଟରେ ଗାଧୋଇବା ପାଇଁ ନଦୀ ଜଳ ଅପରିଷ୍କାର ଯୋଗୁଁ ନାକ ଟେକି ଫେରିଯାଉଛନ୍ତି । କାକଟପୁର ମଙ୍ଗଳାଙ୍କ ସହିତ ପ୍ରାଚୀ ନଦୀର ଘଣ୍ଟତୋଳା ତୁଠ ପୌରାଣିକ ପରମ୍ପରାର ଗୁରୁତ୍ୱ ବହନ କରୁଥିବାବେଳେ ମନ୍ଦିରରୁ ଉଦବୃତ ଜଳ ଓ ସେବକ ସାହିର ଆବର୍ଜନା ପୂର୍ଣ୍ଣ ପାଣି ପ୍ରାଚୀ ନଦୀରେ ମିଶିବା ଯୋଗୁଁ ଏହା ନାର୍ଦ୍ଦମାରେ ପରିଣତ ହୋଇଛି ।
ଏ ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅଭିଯୋଗ ହୋଇଆସୁଥିବାବେଳେ, ଘଣ୍ଟତୋଳା ତୁଠର ପୁନଃରୁଦ୍ଧାର ଜରୁରୀ ହୋଇପଡିଛି । ପ୍ରତିବର୍ଷ କାକଟପୁର ଅଧୀନରେ ଥିବା ଡ୍ରେନେଜ ବିଭାଗ ମାତ୍ର କୋଡିଏ ହାତ କଟକି ଦଳ ସଫାକରି ଲକ୍ଷ ଲକ୍ଷ ଟଙ୍କା ହଡପ୍ କରୁଥିବାବେଳେ, ପ୍ରାଚୀ ଘଣ୍ଟତୋଳା ତୁଠ ପ୍ରତି ଉଦାସୀନତା ମନୋଭାବ ଅଞ୍ଚଳବାସୀଙ୍କ ମନରେ ନକାରାତ୍ମକ ପ୍ରଭାବ ସୃଷ୍ଟି କରିଛି । ତୁରନ୍ତ ଜିଲ୍ଲା ପ୍ରଶାସନ, ପର୍ଯ୍ୟଟନ ଅଧିକାରୀ ଓ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ତୁଠର ପୁନଃରୁଦ୍ଧାର ପ୍ରତି ଦୃଷ୍ଟି ଦେଲେ ପ୍ରାଚୀ ଘଣ୍ଟତୋଳା ତୁଠ ତାର ପୂର୍ବ ଗୌରବ ଫେରି ପାଇବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
 
 Rasmita Behera
                                    Rasmita Behera                                 
    
 
    
 
 
 
