ବିଜେଡିରେ ହଟଚମଟ : ବେଗୁନିଆ ବିଜେପି ସମ୍ଭାଳିବେ ଗଣେଶ!

 ଖୋର୍ଦ୍ଧା (ଗୋବିନ୍ଦ ଚନ୍ଦ୍ର ପଣ୍ଡା):  ଡବଲ ଇଞ୍ଜିନ ସରକାରର ନଜରରେ ବେଗୁନିଆ ବୋଲଗଡ଼ (୧୧୬) ନିର୍ବାଚନମଣ୍ଡଳୀ । ସାଧାରଣ ନିର୍ବାଚନରେ ବିଜେପି ରାଜ୍ୟରେ କ୍ଷମତାକୁ ଆସିଥିବା ବେଳେ ବିଜେଡି ଗଡ଼ ବୋଲାଉଥିବା ବେଗୁନିଆ ବୋଲଗଡ଼ ନିର୍ବାଚନମଣ୍ଡଳୀରେ ହୋଇ ନ ଥିଲା ପରିବର୍ତ୍ତନ । ଏବେ କିନ୍ତୁ ବିଜେଡି ଗଡ଼କୁ ଭାଙ୍ଗି ନିଜ କବ୍ଜାକୁ ନେବା ପାଇଁ ଶାସକ ବିଜେପି ଦଳ ଆରମ୍ଭ କରିଛି ରଣନୀତି । ବେଗୁନିଆ ବୋଲଗଡ଼ ନିର୍ବାଚନମଣ୍ଡଳୀରେ ଏଭଳି କିଛି ଚର୍ଚ୍ଚା ଏବେ ଛକ ଛକରେ । ବିଜେଡି ଶାସନ ସମୟରେ ସକ୍ରିୟ ଥିବା ସବୁ ଭୋଟ ବ୍ୟାଙ୍କକୁ ଭାଙ୍ଗି ନୂତନ ଭୋଟ ବ୍ୟାଙ୍କ ସୃଷ୍ଟି କରୁଛି ବିଜେପି । ଖୋର୍ଦ୍ଧା ଏବଂ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚାଲୁଚି ଘନ ଘନ ଗୁପ୍ତ ବୈଠକ ।
ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ ସେଥିପାଇଁ ବେଗୁନିଆର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନେତୃତ୍ୱରେ ଶାସକ ଦଳ କିପରି ଦୁଇଟି ଯାକ ବ୍ଲକ୍ ଅଧ୍ୟକ୍ଷ ପଦବୀ ଦଖଲ କରିବ ସେଥିପାଇଁ ପ୍ରସ୍ତୁତ କରୁଛି ବ୍ଲୁପ୍ରିଣ୍ଟ । ବିଶେଷ ସୂତ୍ରରୁ ପ୍ରକାଶ ଯେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଏବଂ ଜିଲ୍ଲା ପରିଷଦ ସଭ୍ୟମାନେ ବିଭିନ୍ନ ସମୟରେ ଭୁବନେଶ୍ୱର ଯାଇ ବିଧାୟକ ଏବଂ ସାଂସଦଙ୍କ ସହ ବୈଠକ କରି ସାରିଛନ୍ତି । କେବଳ ଏତିକି ନୁହେଁ ବିଜେପିର ବଳକୁ କିପରି ବେଗୁନିଆ ନିର୍ବାଚନମଣ୍ଡଳୀରେ ବୃଦ୍ଧି କରାଯାଇ ପାରିବ ସେଥିପାଇଁ ପ୍ରଶାସନିକ କ୍ଷେତ୍ରକୁ ମଧ୍ୟ ନିଜ ଢଙ୍ଗରେ ପ୍ରସ୍ତୁତ କରାଯାଉଥିବା ଚର୍ଚ୍ଚା ହେଉଛି । ଦୁଇ ବ୍ଲକର ବିଡିଓଙ୍କ ଠାରୁ ଥାନା ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ବିଜେପି କର୍ମୀମାନଙ୍କୁ ସହଯୋଗ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । ଖାଲି ସେତିକି ନୁଁହ ବରଂ ବେଗୁନିଆର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଖୋର୍ଦ୍ଧା ବିଧାୟକଙ୍କ ସହ ବହୁ ନେତା ଏବେ ଭିତିରିଆ ସମ୍ପର୍କ ରଖିଥିବା ଚର୍ଚ୍ଚା ଜୋର ଧରିଛି । ଏ କଥା ସତ ଯେ ପ୍ରଶାନ୍ତ ଜଗଦେବଙ୍କ ଏବେ ବି ବେଗୁନିଆରେ ସଂଗଠନ ରହିଛି । ଆଉ ଏଇଥି ପାଇଁ ତାଙ୍କୁ ଦଳୀୟ ନେତୃତ୍ୱ ଭରସାକୁ ନେଇ ବେଗୁନିଆ ଦାୟିତ୍ୱ ଦେଇଥିବା ଶୁଣିବାକୁ ମିଳିଛି । ଦାୟିତ୍ୱ ପାଇବା ପରେ କିପରି ଦଳକୁ ମଜଭୁତ କରିହେବ ସେହିପାଇଁ ଖୁବ କମ ଦିନ ମଧ୍ୟରେ କିଛି ଜିଲ୍ଲାପରିଷଦ, ସରପଞ୍ଚ ଓ ସମିତିସଭ୍ୟଙ୍କୁ ଦଳରେ ଏକ ମିଶ୍ରଣ ପର୍ବ ଆୟୋଜନ କରି ସାମିଲ କରିବା ପାଇଁ ଯୋଜନା ରହିଛି । ସେହିପରି କିଛି ଜିଲ୍ଲା ପରିଷଦ ସଭ୍ୟ ତାଙ୍କ ଗାଡ଼ିରେ ଲାଗିଥିବା ଶଙ୍ଖ ଚିହ୍ନକୁ ହଟେଇ ଦେଇଥିବା ଦେଖିବାକୁ ମିଳିଛି । ସାମ୍ପ୍ରତିକ ରାଜନୈତିକ ସ୍ଥିତିକୁ ଦେଖିଲେ ଆଗାମୀ ଦିନରେ ବେଗୁନିଆ ବୋଲଗଡ଼ରେ ରାଜନୈତିକ ପରିବର୍ତ୍ତନ ହେବାକୁ ଯାଉଥିବା ଦେଖାଦେଇଛି । କିଭଳି ତୃଣମୂଳସ୍ତରରୁ ବ୍ଲକ୍ସ୍ତର ପର୍ଯ୍ୟନ୍ତ ସାଙ୍ଗଠନିକ କ୍ଷେତ୍ରରେ ବିଜେପିର ହାତ ମୁଠା ଟାଣ ହେବ ଏବଂ ବିଜେଡି ଛାଡି ସମସ୍ତେ ବିଜେପିର ଅନୁଗତ୍ୟ ହେବେ ତାର ପ୍ରସ୍ତୁତି ଚୂଡାନ୍ତ ହୋଇସାରି ଥିବା ଚର୍ଚ୍ଚା ହେଉଛି ।
ସେପଟେ ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ପ୍ରକାଶ ରଣବିଜୁଳି ଦଳକୁ ନିଜ କ୍ଷେତ୍ରରେ ସେତେଟା ସଂଗଠିତ କରିବାରେ ବିଫଳ ହୋଇଥିବା ଦଳୀୟ ନେତୃତ୍ୱ ଜାଣି ସାରିଥିବା ବେଳେ ନିର୍ବାଚନମଣ୍ଡଳୀରେ ତାଙ୍କ କାଟତିକୁ ସଙ୍କୁଚିତ କରି ପକ୍ଷ ଛେଦନ ଆରମ୍ଭ ହୋଇଥିବା ଜୋରଦାର ଚର୍ଚ୍ଚା । ଅପରପକ୍ଷେ ଦୀର୍ଘ ୧୪ ବର୍ଷ ଧରି ବେଗୁନିଆ ଲୋକଙ୍କ ନାଡୀ ଚିପି ଭଲକରି ଚିହ୍ନି ପରଖି ରଖିଛନ୍ତି ବର୍ତ୍ତମାନର ବିଜେଡି ବିଧାୟକ ପ୍ରଦୀପ ସାହୁ । କେଉଁ ନେତା କୋଉ ତୁଠରେ ପାଣି ପିଇବ ବିଧାୟକଙ୍କୁ ସବୁ ଗୋହି ଜଣା । ତଥାପି ସବୁ ପରିସ୍ଥିତିକୁ ନିରବ ହୋଇ ଗତିବିଧିକୁ ବିଧାୟକ ଲକ୍ଷ୍ୟ ରଖିଥିବା ଦଳୀୟ କର୍ମୀଙ୍କ ଠାରୁ ସୂଚନା ମିଳିଛି । ସେହିପରି ଦଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆମ କର୍ମୀ କାମ କରୁଥିବା କହିଛନ୍ତି ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ । କିନ୍ତୁ ବିଧାୟକଙ୍କ ସରଳତାର ସୁଯୋଗ ନେଇ ତାଙ୍କ ଅଗୋଚରରେ ବିଭୀଷଣ ପରି କିଛି କର୍ମକର୍ତ୍ତାମାନେ ରଚୁଛନ୍ତି ଷଡ୍ୟନ୍ତ୍ର । ବିଜେଡି ଗଡ଼ ବୋଲାଉଥିବା ବେଗୁନିଆ ବୋଲଗଡକୁ ବିଧାୟକ ପ୍ରଦୀପ ସାହୁ ମଜଭୁତ କରି ରଖିପାରୁଛନ୍ତି ନା ବିଜେପି ମାୟାଜାଲରେ ଫସି ଯାଉଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ ।