ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟ୍
ତାଳଚେର : ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୨ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ । ତାଳଚେର ଟାଉନ ଥାନା ଅନ୍ତର୍ଗତ ବହ୍ଲରଛକ ନିକଟସ୍ଥ ପେଟ୍ରୋଲ ପମ୍ପର ୨ଜଣ କର୍ମଚାରୀ ହାଟତୋଟା ସ୍ଥିତ ଏସବିଆଇ ବ୍ୟାଙ୍କରେ ଟଙ୍କା ପୈଠ କରିବାକୁ ଯାଉଥବା ବେଳେ ୪ଜଣ ଦୁର୍ବୃତ୍ତ ଏହାର ସୁରାକ୍ ପାଇ କର୍ମଚାରୀଙ୍କୁ ଭୟଭୀତ କରାଇ ଟଙ୍କା ଛଡ଼ା ନେଇ ଆଖିପିଛୁଳାକେ ଛୁ’ ମାରିଛନ୍ତି । ଏହି ଘଟଣା ତାଳଚେର ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ପ୍ରକାଶ ଯେ, ମଧ୍ୟାହ୍ନ ସମୟରେ ଭଜମନ ମୋହନ ବେହେରା ପେଟ୍ରୋଲ ପମ୍ପର ୨ଜଣ ଜଣେ କର୍ମଚାରୀ ୨ଲକ୍ଷ ଟଙ୍କା ନେଇ ବାଇକ ଯୋଗେ କେନାଲ ରାସ୍ତା ଦେଇ ବ୍ୟାଙ୍କ ଯାଉଥିଲେ । ହଠାତ୍ ୪ଜଣ ଦୁର୍ବୃତ୍ତ ନିଛାଟିଆ ସ୍ଥାନ ଦେଖି ତାଙ୍କୁ ଅଟକାଇଥିଲେ । ସେ କିଛି ନ ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ଭୟଭୀତ କରାଇ ତାଙ୍କ ବ୍ୟାଗରେ ଥିବା ୨ଲକ୍ଷ ଟଙ୍କାକୁ ଲୁଟିନେଇ ଚମ୍ପଟ ମାରିଥିଲେ । ତେଲଟାଙ୍କି ମାଲିକ ଏ ସମ୍ପର୍କରେ ତାଳଚେର ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ମାଲିକଙ୍କ ପକ୍ଷରୁ ଜଣାପଡ଼ିଛି । ଏହାର କିଛି ମାସ ପୂର୍ବରୁ ସେହିଭଳି ନିକଟସ୍ଥ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପୁଲିସ୍ ଏହାର କୌଣସି ସନ୍ଧାନ ପାଇନାହିଁ ବୋଲି କୁହାଯାଉଛି । ତେବେ ତାଳଚେର ଅଞ୍ଚଳରେ ମାରାତ୍ମକ ନିଶା କାରବାର ବୃଦ୍ଧି ପାଇବା ସହ ଚୋରି, ରାହାଯାନୀ, ଡ଼କାୟତି, ଛିନତାଇ ଇତ୍ୟାଦି ବୃଦ୍ଧି ପାଉଥିଲେ ମଧ୍ୟ ପୁଲିସ୍ର ପାରିବା ପଣିଆକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।