ପେନ୍ସନ୍ ସଂଶୋଧନ ଦାବିରେ ବିଏମ୍ଏସ୍ର ଦାବିପତ୍ର 

ଭଦ୍ରକ: ଭାରତୀୟ ମଜଦୁର ସଂଘ ବିଏମ୍ଏସ୍ ତରଫରୁ ଜିଲ୍ଲାପାଳମାନଙ୍କ ଜରିଆରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଭାରତୀୟ ମଜଦୁର ସଂଘ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଇପିଏସ୍-୯୫ କୁ କେନ୍ଦ୍ରକରି ଗୃହୀତ ପ୍ରସ୍ତାବ ବିରୁଦ୍ଧରେ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ ଏବଂ ଜିଲ୍ଲା ମୁଖ୍ୟାଳୟରେ ପ୍ରତିବାଦ ପ୍ରଦର୍ଶନ ସହିତ ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦାବିପତ୍ରରୁ ପ୍ରକାଶ ଯେ, ଦେଶରେ ବର୍ତ୍ତମାନ ପ୍ରାୟ ୭୬ ଲକ୍ଷରୁ ଉଦ୍ଧ୍ୱର୍ ଇପିଏସ୍ -୯୫ ଅନ୍ତର୍ଗତ ପେନ୍ସନ୍ ଭୋଗୀ ଅଛନ୍ତି, ଯେଉଁମାନଙ୍କୁ  ସର୍ବନିମ୍ନ ୧୦୦୦/- ପେନ୍ସନ୍ ମିଳୁଛି । ଯେଉଁମାନେ ଦେଶ ଗଠନରେ ଦେଶର ବିଭିନ୍ନ ବେସରକାରୀ କ୍ଷେତ୍ରରେ କାମ କଲେ, ଆଜି ସେମାନେ ଉପେକ୍ଷାର ଶିକାର ହେଉଛନ୍ତି । ଗତ ତିନି ବର୍ଷ ଧରି, ବିଏମ୍ଏସ୍ ଇପିଏସ୍-୯୫ ଅନ୍ତର୍ଗତ ସର୍ବନିମ୍ନ ପେନସନକୁ ୧୦୦୦/- ରୁ  ୫୦୦୦/- କୁ ବୃଦ୍ଧି କରିବା ସହିତ ମହଙ୍ଗା ଭତ୍ତା ସହିତ ଯୋଡ଼ିବା ପାଇଁ ଦାବି କରିଆସୁଛି । ଏହା ସହିତ ବିଏମ୍ଏସ୍ ଏହି ପେନସନଭୋଗୀଙ୍କ ପାଇଁ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛି । ସରକାର ଅଦ୍ୟାବଧି ଅସଙ୍ଗଠିତ ଶ୍ରମିକଙ୍କ ଭବିଷ୍ୟତ ସୁରକ୍ଷିତ ପାଇଁ କୌଣସି ଠୋସ ନିର୍ଣ୍ଣୟ ନେଇନାହାଁନ୍ତି  । ସାଂପ୍ରତିକ ନିତ୍ୟବ୍ୟବହୃତ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ସମୟରେ ୧ ହଜାର ପେନସନ ଟଙ୍କାରେ ବଞ୍ଚିବା କଳ୍ପନା ଯୋଗ୍ୟ ନୁହେଁ । ଅଙ୍ଗନୱାଡି, ଆଶା, ମଧ୍ୟାହ୍ନ ଭୋଜନ ପ୍ରସ୍ତୁତକାରୀ ଭଳି ସ୍କିମ୍ କର୍ମଚାରୀ ତଥା ବିଡି, ବୃକ୍ଷରୋପଣ, ଚା’ ବଗିଚା କର୍ମଚାରୀ, କୃଷି ଶ୍ରମିକ ଏବଂ ଖଣି ଶ୍ରମିକଙ୍କ ଭଳି ଅସଂଗଠିତ କର୍ମଚାରୀ ମାନେ ସାମାଜିକ ସୁରକ୍ଷା ଅନ୍ତର୍ଗତ ପେନସନ ଓ ୬୦ ବର୍ଷ ପରେ ଚିକିତ୍ସାରୁ ବଞ୍ଚିତ ଓ ଅବହେଳିତ ହେଉଛନ୍ତି ।
ଚଳିତ ବଜେଟରେ ସରକାର ୨୦୩୦ ସୁଦ୍ଧା ସମ୍ପତ୍ତି ମୋନିଟାଇଜେସନ୍ ମାଧ୍ୟମରେ ୧୦ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏଥି ସହିତ, ଜୀବନ ବୀମା ନିଗମରେ ଶତପ୍ରତିଶତ ବିଦେଶୀ ପୁଞ୍ଜି ବିନିଯୋଗକୁ ଅନୁମତି ଦେଇ ଏହା ସାଧାରଣ ସମ୍ପତ୍ତି ବିକ୍ରୟ ପାଇଁ ରାସ୍ତା ଖୋଲିବା ଅତ୍ୟନ୍ତ ଭୁଲ ନିଷ୍ପତ୍ତି ବୋଲି ବିଏମଏସ ଅନୁଭବ କରୁଛି । ସରକାରଙ୍କ ଏହି ପଦକ୍ଷେପ ଆତ୍ମନିର୍ଭରଶୀଳ ଭାରତର ଅବଧାରଣା ନଷ୍ଟ କରୁଛି । ଏଣୁ ଭାରତୀୟ ମଜଦୁର ସଂଘ ଭାରତ ସରକାରଙ୍କ ନିକଟରେ ଦାବି କରୁଛି ଯେ ଇପିଏସ୍ -୯୫ ଅନୁଯାୟୀ ସର୍ବନିମ୍ନ ପେନ୍ସନ୍ ୫ ହଜାର ପ୍ରଦାନ କରାଯିବା ସହିତ ମହଙ୍ଗା ଭତ୍ତା ସହ ଯୋଡ଼ା ଯାଉ, ଇପିଏଫ୍ର ବେତନ ସୀମା ପୁନଃ ନିର୍ଦ୍ଧାରଣ କରାଯାଇ ୧୫ ହଜାରର ରୁ ୩୦ ହଜାରକୁ ବୃଦ୍ଧି ସହିତ ଇଏସ୍ଆଇସିସର ବେତନ ସୀମା ୨୧ହଜାରରୁ ୪୨ ହଜାର ଟଙ୍କାକୁ ବୃଦ୍ଧି, ସର୍ବସାଧାରଣ ସମ୍ପତ୍ତି ବିକ୍ରୟ ଉପରେ ନିଷେଦ୍ଧାଦେଶ ଜାରି ନେଇ ଭାରତୀୟ ମଜଦୁର ସଂଘ କର୍ମକର୍ତ୍ତା ଏବଂ ସମର୍ଥକମାନେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ସଭାପତି ମନୋଜ ବସନ୍ତରାୟଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁକ୍ତିକାନ୍ତ ସାହୁ, ବିଶ୍ୱକର୍ମା ମଜଦୁର ସଂଘ ଜିଳ୍ଲା ସମ୍ପାଦକ ବିଭୁତି ପାଣିଗ୍ରାହୀ, ବିଶ୍ୱନାଥ ଯେନା, ଅଶୋକ ନାୟକ,କମଳାକାନ୍ତ ସାହୁ, ବିପ୍ର ସେଠୀ, ସନ୍ଧ୍ୟାରାଣୀ  ପୋହୀ, ଆରତୀ ପଣ୍ଡା, ବିଳାସିନୀ ନାୟକ, ମୃଗତୃଷ୍ଣା ପଟ୍ଟନାୟକ, ବସନ୍ତ ରାଉତ, ଅମୂଲ୍ୟ ଭୋଇ, ମମତା ବାରିକ, କ୍ଷୀରସିନ୍ଦୁ ନାୟକ, ଅମିୟ ନାୟକ, ନିରୂପମା ପତ୍ରୀ, ଦେବୀପ୍ରସନ୍ନ ସାମଲ, ପ୍ରଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।