ପୋଖରୀ ଖୋଳା ନାଁ ଅର୍ଥ ଆତ୍ମସାତ
ନବରଙ୍ଗପୁର/ଝରିଗାଁ : ସରକାର ଗ୍ରାମବାସୀଙ୍କର ଜଳ ସମସ୍ୟାକୁ ଦୂର କରିବା ପାଇଁ ଗାଁରେ ପୋଖରୀ ଖନନ ଯୋଜନା କରି ପୋଖରୀ ଖନନ ପାଇଁ ଅର୍ଥ ଦେଲେ ହେଲେ ଗାଁ ଲୋକ ପୋଖରୀ ପାଇଲେ ନା ଜଳ ସମସ୍ୟା ଦୂର ହେଲା । ସରକାର ଦେଇଥିବା ଟଙ୍କାକୁ ପୋଖରୀ ଖନନ ନାଁରେ ନାମକୁ ମାତ୍ର କାଁ ଭାଁ ଖୋଳି ଦେଇ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ଟେମରା ପଞ୍ଚାୟତ ର ଜବାଗୁଡା ଗାଁରେ । ଜବାଗୁଡା ଗାଁରେ ୨୦୧୯/୨୦୨୦ ଆର୍ଥିକ ବର୍ଷରେ ପୋଖରୀ ଖନନ ପାଇଁ ଅନୁମୋଦନ ହୋଇ ୧୦ ଲକ୍ଷ ଟଙ୍କାର ଅଟକଳ ମୂଲ୍ୟ କରାଯାଇଥିଲା । ୨୦୨୦ ମସିହାରେ ଜବାଗୁଡା ଠାର ନୁ୍ୟ ଟ୍ୟାଙ୍କ ନାମରେ ପୋଖରୀ ଖୋଳା ଯାଇ ଏଠାରେ ପ୍ରାୟ ୭ଲକ୍ଷ ୧୭ହଜାର ୬ ଶହ ୬୯ ଟଙ୍କା ଖର୍ଚ୍ଚ କରାଯାଇଥିବା ମନରେଗା ୱେବସାଇଟରେ ଦର୍ଶାଯାଇଛି । ଏବଂ ସେହିଭଳି ୫୪୮ ଜଣ ଶ୍ରମିକଙ୍କୁ ଏହି କାର୍ଯ୍ୟ କରିଥିବା ଦର୍ଶାଯାଇଛି । ହେଲେ ପୋଖରୀ ଖନନ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରାଦ ହୋଇ ଥିଲେ ମଧ୍ୟ ଲୋକଙ୍କ କାର୍ଯ୍ୟରେ ଆସି ପାରୁନାହିଁ । କେବଳ ନାମକୁ ମାତ୍ର ଜେସିବି ମେସିନରେ ମାଟି ଖୋଳି ଟଙ୍କା ଉଠାଯାଇଛି । ଦେଖନ୍ତୁ ଏହି ପୋଖରୀକୁ କେବଳ କାଗଜ କଲମରେ ଗାଁରେ ପୋଖରୀ ଖନନ ହୋଇଛି କିନ୍ତୁ ବାସ୍ତବରେ ଗାଁ ଲୋକଙ୍କ ପାଖରେ ପୋଖରୀ ନାହିଁ । ବର୍ଷା ମାସରେ ମଧ୍ୟ ଏଠାରେ ପାଣି ରହି ପାରୁନାହିଁ ଯାହାକି ପୋଖରୀ ଭିତରେ ଧାନ ଲଗାଯାଇଛି । ଏହି ସ୍ଥାନରେ ପୂର୍ବରୁ ଗାଁର ହିରୋ ସାନ୍ତାଙ୍କ ପରିବାର ଚାଷ କରୁଥିଲେ, ହେଲେ ୪ ବର୍ଷ ତଳେ ସେଠାରେ ପୋଖରୀ ପାଇଁ ମାଟି ଖୋଳା ଯାଇଥିଲା । ହେଲେ ଖୋଳା ଯାଇଥିବା ପୋଖରୀରେ ଜମି ସଦୃଶ୍ୟ ଏବଂ ପାଣି ନଥିବାରୁ ଧାନ ଚାଷ କରିଥିବା କହିଛନ୍ତି ହିରୋ ସାନ୍ତା । ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ୪ ବର୍ଷ ତଳେ ଗାଁରେ ପୋଖରୀ ଖୋଳାଆରମ୍ଭ ହୋଇଥିଲା । ଗାଁର କେତେ ଲୋକ କୋଦାଳରେ ୨ ଫୁଟ ପାଖାପାଖି ଗୋଟିଏ ସପ୍ତାହ ଧରି ମାଟି ଖୋଳି ଥିଲେ ଏବଂ ପରେ କାମ ବନ୍ଦ ହୋଇଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ୨ ବର୍ଷ ପରେ ଏକ ଜେସିବି ମେସିନ ଯାଇ ଆଉ ଥରେ ୩ ରୁ ୪ ଫୁଟ ମାଟି ଖୋଳା ଯାଇଥିବା କହିଛନ୍ତି ଗ୍ରାମବାସୀ । ତେବେ ସରକାରଙ୍କ ମନରେଗା ୱେବସାଇଟରେ ୨୦୨୦ ମସିହାରେ କାର୍ଯ୍ୟ ଆରମ୍ଭ ହୋଇ ୨୦୨୦ ମସିହାରେ ହିଁ ଶ୍ରମିକ ମାନଙ୍କ ନାମ ରେ ୭ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଉଠା ଯାଇଛି ହେଲେ କାର୍ଯ୍ୟ ଆରମ୍ଭରେ ଗାଁ ଲୋକଙ୍କୁ କାର୍ଯ୍ୟରେ ଲଗାଇ କାଁ ଭାଁ ମାଟି ଖୋଳି ଟଙ୍କା ଚଳୁ କରିଦେଇଥିବା ବେଳେ ପୁଣି ଥରେ ୨ ବର୍ଷ ପରେ ଦୁର୍ନୀତି କୁ ଲୁଚାଇବା ପାଇଁ ଜେସିବି ଲଗାଇ ନାମକୁ ମାତ୍ର କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷେ ଏହି କାର୍ଯ୍ୟରେ ଶ୍ରମିକମାନଙ୍କ ନାଁରେ ଟଙ୍କା ଯାଇଥିବା ବେଳେ ଶ୍ରମିକ ମାନଙ୍କ ଖାତାରୁ ଶ୍ରମିକଙ୍କ ଫିଙ୍ଗର ପ୍ରିଣ୍ଟ ନେଇ ଟଙ୍କା ନେଇଥିବା କହିଛନ୍ତି ଶ୍ରମିକ । ତେବେ ଏହି ପୋଖରୀ ଖନନ କାର୍ଯ୍ୟ ବହୁ ଦୁର୍ନୀତି ହୋଇଥିବା ବେଳେ କିପରି କାର୍ଯ୍ୟ ନ କରି ଲକ୍ଷ ଲକ୍ଷ ଉଠାଣ ହେଲା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି କାର୍ଯ୍ୟରେ ସିଧାସଳଖ ବିଭାଗୀୟ କର୍ମଚାରୀମାନଙ୍କ ମଧୁଚନ୍ଦ୍ରିକାରେ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଗାଁ ରେ ଲୋକଙ୍କ ଜଳ ସମସ୍ୟା ଦୂର କରିବା ପାଇଁ ପୋଖରୀ ଖୋଳା ଯାଇଥିଲେ ମଧ୍ୟ କାର୍ଯ୍ୟରେ ଦୁର୍ନୀତି ଯୋଗୁଁ ଗାଁ ଲୋକଙ୍କ ଜଳ ସମସ୍ୟା ଦୂର ହୋଇ ପାରିନାହିଁ ବୋଲି କହିଛନ୍ତି ଗ୍ରାମବାସୀ । ତେବେ ଏହି କାର୍ଯ୍ୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ତେବେ ଏ ସମ୍ପର୍କ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀଙ୍କୁ ପଚାରିବାରୁ ମୁଁ ଏ ସମ୍ପର୍କ ଜାଣି ନାହିଁ କି ଅଭିଯୋଗ ହୋଇନାହିଁ । କାର୍ଯ୍ୟର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଝରିଗାଁ ଏକ ଉପାନ୍ତ ବ୍ଲକ ହୋଇଥିବାରୁ ଏହାର ତଦାରଖ କରିବାକୁ କେହି ନ ଥିବା ବେଳେ ସରକାରୀ କର୍ମଚାରୀ ନିଜର ଫାଇଦା ଉଠାଇବାରେ ସଫଳ ହୋଇ ପାରିଛନ୍ତି ।