ପେଜ, ପଖାଳ ଓ ପ୍ରଭୁ ଜଗନ୍ନାଥ
କବୀର କୁମାର ଜେନା : ଆମ କୋଟି ଓଡ଼ିଆଙ୍କ ମଉଡ଼ମଣି ଆମ ହୃଦୟର ସ୍ପନ୍ଦନ, ଆମ ଭାବର ଆରାଧ୍ୟ ହୃଦୟେଶ୍ୱର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ସମ୍ପୂର୍ଣ୍ଣ ଭାବେ ମାନବୀୟ ଲୀଳା ଭାବେ ପରିଗଣିତ । ପ୍ରତିଟି ମଣିଷର ଜୀବନ ଚକ୍ର ପରି ପ୍ରତିଦିନ କର୍ମ ସମ୍ପାଦନ ପରି ସେ ତାଙ୍କର ପ୍ରତିଟି କର୍ମ କରିଥାନ୍ତି । ଷାଠିଏ ପଉଟି ପ୍ରସାଦ ପ୍ରତିଦିନ ନିର୍ଦ୍ଧାରିତ ସମୟରେ ଗ୍ରହଣ କରୁଥିବା ମହାପ୍ରଭୁ ମଧ୍ୟ ଆମ ଓଡ଼ିଆଙ୍କ ପରି ପଖାଳ ଖାଇଥାନ୍ତି ।
ଆମ ଓଡ଼ିଆ ମାଟି, ପାଣି, ପବନର ପ୍ରତିଟି ପାରମ୍ପରିକ ଖାଦ୍ୟ ଭିତରେ ପଖାଳର ବାସ୍ନା ସ୍ୱତନ୍ତ୍ର । ପ୍ରାୟ ପ୍ରତିଟି ଓଡ଼ିଆ ଘରର ଜନଜୀବନରେ ଏହି ପଖାଳ ଯୋଡ଼ା ହୋଇଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଶ୍ରୀମନ୍ଦିର ପରମ୍ପରାରେ ମଧ୍ୟ ପଖାଳର ବିଧି ରହିଛି । ମହାପ୍ରଭୁଙ୍କ ନିକଟରେ ଦୈନନ୍ଦିନ ଲାଗି ହେଉଥିବା ଛପନ ଭୋଗ ମଧ୍ୟରେ ପଖାଳ ଅନ୍ୟତମ । ଶ୍ରୀଗୁଣ୍ଡିଚା ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସମୟକୁ ଛାଡ଼ିଦେଲେ ବାକି ବର୍ଷର ସମସ୍ତ ଦିବସରେ ଦାରୁଦିଅଁ ପଖାଳରେ ଆତ୍ମସନ୍ତୋଷ ପାଇଥାନ୍ତି । ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ଲାଗି ଚନ୍ଦନ ଯାତ୍ରା ଅବସରରେ ଦହିପଖାଳ ମଣୋହି କରି ମଦନମୋହନ ଚାପ ଖେଳ ପାଇଁ ବାହାରନ୍ତି । ଖରାଦିନେ ଭକ୍ତମାନେ ମହାପ୍ରସାଦକୁ ପଖାଳ କରି ଖାଇଥାନ୍ତି । ଶ୍ରୀମନ୍ଦିରରେ ଯେଉଁ ଟଙ୍କତୋରାଣି ମିଳେ ତାହା ମହାପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ । ଏହି ପଖାଳ ତୁଣ ସୁଆର ଓ ଥାଳି ସୁଆର ସେବକମାନେ ପ୍ରସ୍ତୁତ କରିଥାନ୍ତି । ପନ୍ତି ବଡ଼ୁ ସେବକ ଯେଉଁ ଭୋଗରେ ଯେଉଁ ପଖାଳ ଲାଗି ହେବା କଥା ତାହା ପନ୍ତି ଲଗାଇଥାନ୍ତି ।
ଶ୍ରୀ ମନ୍ଦିରରେ ପଖାଳର ବ୍ୟବସ୍ଥା ସମ୍ପର୍କରେ ସ୍ୱତ୍ୱଲିପିର ମଧ୍ୟ ଉଲ୍ଲେଖ ରହିଛି । ବଡ଼ୁ ସୁଆର ନିଯୋଗ ପରିଚାଳିତ ଏହି ପଖାଳରେ ଶ୍ରୀମନ୍ଦିରରେ ପାଞ୍ଚ ପ୍ରକାର ପଖାଳ ଅର୍ପଣ ହୋଇଥାଏ । ସେଗୁଡ଼ିକ ହେଉଛି ଘିଅ ପଖାଳ, ଦହି ପଖାଳ, ଚିପୁଡା ପଖାଳ, ଟଭା ପଖାଳ ଓ ସୁବଶିତ ପଖାଳ । ଏହି ପଖାଳ ତିଆରି ପାଇଁ ଶ୍ରୀମନ୍ଦିରର ରୋଷ ଘର ଭିତରେ ସ୍ୱତନ୍ତ୍ର ଭାବେ ଖଡ଼ି ପଥରରେ ଏକ ପଖାଳ କୁଣ୍ଡ ରହିଛି ଯେଉଁଥିରେ ଅନ୍ନ ଓ ପାଣି ଦ୍ୱାରା ମହାପ୍ରଭୁଙ୍କ ପାଇଁ ଦିବ୍ୟ ପଖାଳ ପ୍ରସ୍ତୁତ ହୋଇଥାଏ । ଆସନ୍ତୁ ଏହି ପଖାଳର ପ୍ରସ୍ତୁତି ଓ ସ୍ୱତନ୍ତ୍ରତା ବିଷୟରେ ଜାଣିବା ।
ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଅନ୍ନରେ ପାଣି, ଲୁଣ ଇତ୍ୟାଦି ମିଶା ଯାଇ ଚିପୁଡା ଯାଇ ଏକ ଓଳିରେ ରଖାଯାଏ ଏବଂ ଏହା ଉପରେ ଅଦା, ପାତି, ଭଜା ଜିରା ପକାଯାଇ ଚିପୁଡ଼ା ପଖାଳ ପ୍ରସ୍ତୁତ କରାଯାଇଥାଏ । ପ୍ରତିଦିନ ମଧ୍ୟାହ୍ନ ଧୂପ ସମୟରେ ଏହି ପଖାଳ ଠାକୁରଙ୍କ ପାଖରେ ଲାଗି କରାଯାଏ । ଏହାକୁ ଚିପୁଡ଼ା ପଖାଳ କୁହାଯାଏ । ସେହିପରି ଆମ ଓଡ଼ିଆରେ ଟଭା ଯାହାକି କମଳା ଭଳି ଦେଖାଯାଉଥିବା ଗ୍ରାମାଞ୍ଚଳରେ ଉପଲବ୍ଧ ହେଉଥିବା ଠିକ କମଳା ଭଳି ଏକ ଖଟା ଜାତୀୟ ଫଳ । ଏହାସହ ଜିରା, ଲୁଣ, ଅଦାଖଣ୍ଡ ଓ ପାଣି ମିଶ୍ରିତ ହୋଇ ପ୍ରସ୍ତୁତ କରାଯାଏ । ଏହା ମହାପ୍ରଭୁଙ୍କ ପାଖରେ ଠିକ ଦ୍ୱିପ୍ରହର ଧୂପ ସମୟରେ ଲାଗି କରାଯାଏ । ଠିକ ସେହିପରି ଅନ୍ନରେ ପାଣି ମିଶ୍ରିତ ପୂର୍ବକ ଏଥିରେ ଲୁଣ, ଭଜା ଜିରା, ଅଦାଖଣ୍ଡ, ଲବଙ୍ଗ, ଗୋଲମରିଚ ଇତ୍ୟାଦି ପକାଯାଇ ସୁବାସିତ ପଖାଳ ପ୍ରସ୍ତୁତ ହୋଇଥାଏ । ଏହା ମଧ୍ୟ ମଧ୍ୟାହ୍ନ ଧୂପରେ ଠାକୁରଙ୍କ ପାଖରେ ଲାଗି କରାଯାଇଥାଏ । ତେବେ ଦହି ପଖାଳଟି ଯେଉଁଥିରେ ଅନ୍ନରେ ପାଣି ମିଶି୍ରତ ପୂର୍ବକ ଏଥିରେ ଲୁଣ, ଭଜା ଜିରା, ଅଦାଖଣ୍ଡ, ଦହି ଇତ୍ୟାଦି ପକାଯାଇ ଏହି ପଖାଳ ପ୍ରସ୍ତୁତ ହୋଇଥାଏ । ଏହା ସନ୍ଧ୍ୟା ଧୂପରେ ଠାକୁରଙ୍କ ପାଖରେ ଲାଗି କରାଯାଇଥାଏ । ତେବେ ସବୁଠାରୁ ଆକର୍ଷଣୀୟ ହୋଇଥାଏ ଘିଅ ପଖାଳ । ଯାହା ମହାପ୍ରଭୁଙ୍କ ବଡ଼ ସିଂହାର ଧୂପ ପରେ ଅର୍ପଣ ହୋଇଥାଏ । ଏଥିରେ ଅନ୍ନ, ଲୁଣ, ଅଦାଖଣ୍ଡ, ଦହି, ଭଜା ଜିରା ଇତ୍ୟାଦି ଓଳିରେ ରଖାଯାଇ ଏଥିରେ ଘିଅ ମିଶାଯାଏ । ଶ୍ରୀମନ୍ଦିର ପାରମ୍ପରିକ ପରିଭାଷାରେ ଏହାକୁ ଘିଅ ପଖାଳ କୁହାଯାଏ । ଏଭଳି ଭୋଗ ଅର୍ପଣ ଓ ପ୍ରସ୍ତୁତ ପରମ୍ପରା ବାସ୍ତବିକ ସମଗ୍ର ବିଶ୍ୱରେ ବିରଳ । ଯେଉଁଥିପାଇଁ ଏକ ପ୍ରବାଦ ରହିଛି "ଏମିତିଆ ଦିଅଁ କେଉଁଠି ଅଛି, ପଖାଳ ଭାତରେ ଘିଅ ଖାଉଛି ।'
ଶ୍ରୀମନ୍ଦିର ପରମ୍ପରାରେ ପଖାଳ ସମ୍ପର୍କରେ ସ୍ୱତ୍ୱଲିପିରେ ଯାହା ବର୍ଣ୍ଣନା ରହିଛି ସେହି ତଥ୍ୟ ମୁତାବକ ମାଦଳା ପାଞ୍ଜିରେ ଉଲ୍ଲେଖ ଥିବା ନୀତି ବ୍ୟବସ୍ଥାରେ ମହାପ୍ରଭୁଙ୍କ ପିଠା ଓ ଭୋଗ ଯୋଡ଼ା ଯାଇଥିବା ସହିତ ପଖାଳ କିନ୍ତୁ ଏହା ଭିତରୁ ପ୍ରାଚୀନ ଓ ସର୍ବପ୍ରଥମ । ତେବେ କେଶରୀ ବଂଶଙ୍କ ସମୟରେ ଥିବା ରୋଷ ଘରେ ପଖାଳ ସମ୍ପର୍କରେ କିଛି ତଥ୍ୟ ମଧ୍ୟ ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଦିବ୍ୟ ମାନବ ବାଦର ସମନ୍ୱିତ ଲୀଳାଖେଳାର ଶ୍ରେଷ୍ଠତମ ପ୍ରତୀକ । ସାଧାରଣ ମଣିଷଟିଏ ପରି ଦୈନନ୍ଦିନ ଓ ଅନ୍ୟାନ୍ୟ ବିଶେଷ କର୍ତ୍ତବ୍ୟ ସମ୍ପାଦନ କରି ସେ ଜନ୍ମ ଓ ମୃତୁ୍ୟ ମଧ୍ୟ ପ୍ରାପ୍ତ ହୁଅନ୍ତି । ଜନ୍ମ-ଜୀବନ-ମୃତୁ୍ୟ, ମୃତୁ୍ୟ ପରେ ପୁଣି ଜୀବନ ଓ ଜୀବନର ପୁନଶ୍ଚ ମୃତୁ୍ୟ ସାରା ଜୀବଜଗତ ପାଇଁ ଏକ ସ୍ୱାଭାବିକ ପ୍ରକ୍ରିୟା ।
ଓଡ଼ିଆରେ ଗୋଟିଏ କଥା ଅଛି "ଶାଗଖିଆକୁ ପେଜପିଆ ସହିପାରେ ନାହିଁ ।' ଏହାର ଅର୍ଥ ଯିଏ ପେଜ ପିଇ ଜୀବନ ବଞ୍ଚୁଥାଏ, ଅର୍ଥାତ୍ ଅତି ଗରିବ, ସିଏ ଶାଗ ପଖାଳ ଖାଇ ବଞ୍ଚୁଥିବା ଗରିବ ଲୋକଟିକୁ ଈର୍ଷା କରେ । କିନ୍ତୁ ଏଇ ପେଜ ଓ ପଖାଳ ଏ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ କଥା ଓ ଗାଥା ସହ ଯୋଡ଼ି ହୋଇ ଏହାକୁ ଗୌରବ ଦେଇଛି । ଆମେ ମହାପ୍ରଭୁଙ୍କ ପଖାଳ ନୀତି ସମ୍ପର୍କରେ ଆଲୋଚନା ରଖିବାବେଳେ ଆମ ସାମ୍ନାକୁ ଆସିଥିଲା ମହାନ ଭକ୍ତ ରାମଦାସଙ୍କ ଦ୍ୱାରା ଲିଖିତ "ଦାର୍ଢ଼୍ୟତା ଭକ୍ତି' ପୁସ୍ତକ ସମ୍ପର୍କରେ ଯେଉଁଥିରେ ମହାପ୍ରଭୁଙ୍କ ସେହି ପ୍ରାତଃ ସ୍ମରଣୀୟ ଭକ୍ତ ଦାସିଆ ବାଉରୀଙ୍କ କଥା ଉଲ୍ଲେଖ ରହିଛି । ତକ୍ରାଳୀନ ଶ୍ରୀକ୍ଷେତ୍ର ପୁରୀ ଠାରୁ ଅନୁନ୍ୟନ ଦୁଇକୋଶ ଦୂରରେ ବାଲିଗାଁ ବା ବାଲି ଗ୍ରାମ । ପାରମ୍ପରିକ କୌଳିକ ଜାତିରେ ସେ ଥିଲେ "ଖନ୍ଦାଳ' ସମ୍ପ୍ରଦାୟର । ଏହି ଖନ୍ଦାଳ ବା ଖଦାଳ ତନ୍ତୀ ଜାତିବିଶେଷ ଲୁଗାପଟା ନିଜ ତନ୍ତ ଦ୍ୱାରା ତିଆରି କରି ଜୀବନ ନିର୍ବାହ କରନ୍ତି । ଦାସିଆ ବାଉରୀଙ୍କ ସଂସାର ବୋଇଲେ ସ୍ୱାମୀ-ସ୍ତ୍ରୀ ଦୁଇଜଣ । ତାଙ୍କର କୋଳ କିନ୍ତୁ ଶୂନ୍ୟ ଥିଲା । ଦୁଇ ପ୍ରାଣୀଙ୍କ ସଂସାରରେ ପିଲାଝିଲ୍ଲା ହିଁ ନଥିଲେ । ଭକ୍ତ ଦାସିଆ ତାଙ୍କ ସମୟରେ ଗ୍ରାମରେ ବ୍ରାହ୍ମଣଙ୍କ ଘରେ ବ୍ରତ ବା ଆଧ୍ୟାତ୍ମିକ କାର୍ଯ୍ୟ ସମ୍ପାଦନ ବେଳେ ଯେଉଁ ନାମ ଗାୟନ ସବୁ ହୁଏ ତାହା ତାଙ୍କୁ ଭିତର ହୃଦୟରୁ ଯେପରି କେହି କିଛି ସଂକେତ ଦେଇ ଡାକିଥାଏ ।
ଜାତିରେ ଛୋଟ ହୋଇଥିବାରୁ ମାଙ୍ଗଳିକ କାର୍ଯ୍ୟକ୍ରମ ସମ୍ପାଦିତ ସ୍ଥାନ ଠାରୁ ଦୂରରେ ରହି ସେ ଏହାକୁ ଶୁଣୁଥାନ୍ତି । ଏହି ଶୁଣିବା ଭିତରେ ହିଁ ତାଙ୍କର ଦିବ୍ୟ ଜ୍ଞାନର ଚୈତନ୍ୟ ଉଦୟ ହୋଇଥିଲା । ସମାଜରେ ଗୁରୁଜ୍ଞାନୀ, ବିଦ୍ୱାନ ମଣ୍ଡଳୀଙ୍କ ଠାରୁ ଟିକେ ଦୂରରେ ହେଉ ବରଂ ବସି ଭଗବତ ଜ୍ଞାନ ଶୁଣୁଥିଲେ । କର୍ମମୟ ଜୀବନରେ ପୁଣ୍ୟ କ'ଣ ପାପ କ'ଣ ସେ ବୁଝି ପାରିନଥାଏ । ପ୍ରତିଦିନ ଯେତିକି ଯାହା ମିଳେ ସେଇଥିରେ ସେ ଆନନ୍ଦରେ ନିଜକୁ ଅତିବାହିତ କରିଥାଏ । ସୁଖ ବି ଠାକୁର ଦେଇଛନ୍ତି ଦୁଃଖ ବି ଠାକୁର ଦେଇଛନ୍ତି । ଏହାକୁ ଗ୍ରହଣ କରି ସେ ତାଙ୍କ ଦୈନନ୍ଦିନ ଜୀବନ ଆଗେଇ ନେଉଥିବାବେଳେ ପ୍ରତିବର୍ଷ ପରି ସେ ବର୍ଷଟି ଥିଲା ଗୁଣ୍ଡିଚା ଯାତ୍ରା ଆସିବାର ପୂର୍ବ ସମୟ । ଛୋଟିଆ ତନ୍ତୀ କାରିଗରଟି ହୋଇଥିଲେ ମଧ୍ୟ ଭକ୍ତ ଭାବନାରେ ଗଦ ଗଦ ହୋଇ ମହାପ୍ରଭୁଙ୍କୁ ରଥାରୂଢ଼ରେ ଦର୍ଶନ କରି ଭାବତନ୍ମୟ ହୋଇପଡ଼ୁଥିଲା । ଦାଢ଼ାତ୍ୟା ଭକ୍ତିରେ କବିରାମ ଦାସ ଅତି ଚମକ୍ରାର ଭାବେ ବର୍ଣ୍ଣନା କରିଛନ୍ତି - "କଳା ଶ୍ରୀମୁଖକୁ ଅନାଇ, ବେନି ନୟନୁ ଧାର ବହି, ରଙ୍ଗ ଅଧର କଳା ଡୋଳା, ଦେଖି ଭାବରେ ହେଲା ଭୋଳା ।' ଶ୍ରୀକ୍ଷେତ୍ରରୁ ରଥାରୂଢ଼ ପରମବ୍ରହ୍ମ କାଳିଆ ସାଆନ୍ତଙ୍କୁ ପେଟ ପୁରାଇ ଦର୍ଶନ କରି ଭକ୍ତ ଦାସିଆ ଘରକୁ ଫେରିଥିଲେ । ତନ୍ତୀ ଘର ଯେହେତୁ, ତାଙ୍କ ଧର୍ମପତ୍ନୀ ଘରେ ଥିବା ରଙ୍ଗ ହାଣ୍ଡିରେ ରାନ୍ଧିଥିବା ଖାଦ୍ୟ ଭାବେ ପେଜମିଶା ଭାତ ବା ଜାଉ ଆଣି ତାଙ୍କ ସାମ୍ନରେ ରଖିଥିଲେ । ଆଉ ତା ମଝିରେ ଥିଲା ନିଜ ବାରିର ମେଞ୍ଚାଏ ଶାଗର ଭଜା । ହୃଦୟସ୍ପର୍ଶୀ ଭାବେ ଏହାର ଅତି ସୁନ୍ଦର ବର୍ଣ୍ଣନା ରହିଛି "ଦାର୍ଢ଼୍ୟତା ଭକ୍ତି'ରେ । ତାହା ଦେଖି ଦାସିଆ ମନରେ ଭାବାନ୍ତର ହେଲା "ହାଣ୍ଡି ସୁରଙ୍ଗ ପେଜ ଧଳା, ତା ମଧ୍ୟେ ଶାଗ ଦିଶେ କଳା, ସାକ୍ଷାତେ ପଦ୍ମଡୋଳା, ଏହି, ଗୋଳି କି ରୂପେ ଖାଇବଇଁ ।'
ଆମ ଓଡ଼ିଆ ଚଳଣିରେ ଓ ଖାଦ୍ୟ ପ୍ରସ୍ତୁତିରେ ପେଜ ହେଉଛି ରନ୍ଧା ଭାତର ଫେଣ । ଭାତ ରାନ୍ଧିଲେ ଯେଉଁ ଫେଣମୟ ଜଳ ବାହାରେ ତାହା ପେଜ । ପେଜ ମଧ୍ୟ ଅନେକ ଅଞ୍ଚଳରେ ରନ୍ଧାଭାତକୁ ବୁଝାଏ । ତାତ୍ପର୍ଯ୍ୟପୂର୍ଣ୍ଣ ଏହି ଯେ ଦାସିଆ ବାଉରିର ଏହି ପେଜ ବା ପଖାଳ ମଧ୍ୟ ତା ନଡ଼ିଆ ପରି ଭକ୍ତଭାବଗ୍ରାହୀଙ୍କ କିମ୍ବଦନ୍ତୀ ଅଙ୍ଗ ହୋଇଛି । ଶ୍ରୀଜଗନ୍ନାଥଙ୍କ ଭୋଗସାମଗ୍ରୀ ମଧ୍ୟରେ ଅନୂ୍ୟନ ପାଞ୍ଚ ପ୍ରକାରର ପଖାଳ ଭୋଗ । ଶ୍ରୀଜଗନ୍ନାଥଙ୍କ ପଖାଳପ୍ରିୟତାର ନିଦର୍ଶନ ହୋଇଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି ଓଡ଼ିଆ ଭକ୍ତି ଭାବନାର ବିଶ୍ୱାସ, ପରମ୍ପରା ଓ ବିଚାର ଉପରେ ପର୍ଯ୍ୟବେଶିତ । ମହାପ୍ରଭୁ ଆମ ସମସ୍ତଙ୍କୁ କୃପା ପ୍ରଦାନ କରୁଥାନ୍ତୁ ଏହା ହିଁ କାମନା ।
ଅଣିକଣା, ବରୀ, ଯାଜପୁର
ମୋ : ୮୯୧୭୩୭୭୯୮୭