ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା : ଆଇନଗତ ଶିଶୁଙ୍କୁ ଆପଣେଇ ପାରିବେ ପିତାମାତା
ଭଦ୍ରକ: : ବହୁ ନିଃସନ୍ତାନ ଦମ୍ପତି ଶିଶୁ ଟିଏ ପାଇଁ ବ୍ୟାକୁଳ ହୁଅନ୍ତି । ସେଥିପାଇଁ ଯେ କୌଣସି ଉପାୟରେ ଶିଶୁ ଟିଏ କୋଳେଇ ନେବା ପାଇଁ ଚେଷ୍ଟା କରନ୍ତି, ମାତ୍ର ସଚେତନତା ଅଭାବରୁ ଆଇନଗତ ଶିଶୁ ଗ୍ରହଣ ରୁ ବଞ୍ଚିତ ହୁଅନ୍ତି । ଏଥି ନିମନ୍ତେ ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଭଦ୍ରକ ପୌରପାଳିକା ସଭାଗୃହ ପରିସରରେ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ କୁମାର ସାମଲଙ୍କ ପୌରୋହିତ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ସଠିକ୍ ପ୍ରକ୍ରିୟା ଶୀର୍ଷକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଶିଶୁ ସୁରକ୍ଷା ୟୁନିଟର ଆଇନ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସଙ୍କ ମଞ୍ଚ ପରିଚାଳନାରେ ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ଡ଼.ଦେବରାଜ ପାଣିଗ୍ରାହୀ, ଶିଶୁ ବିକାଶ ଅଧିକାରିଣୀ, ଭଦ୍ରକ ନର୍ମଦା ବେହେରା ପ୍ରମୁଖ ଯୋଗଦାନ କରି ଅନଲାଇନ ମାଧ୍ୟମରେ ସମ୍ଭାବ୍ୟ ଦମ୍ପତି ସବିଶେଷ ତଥ୍ୟ ପ୍ରଦାନ କରିବା ସହ ଆଇନଗତ ଶିଶୁ ଗ୍ରହଣ ନିମନ୍ତେ ଯୋଗ୍ୟ ବିବେଚିତ ହୋଇପାରିବେ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ବିଷୟ ବିଶାରଦ ରୂପେ ପୂର୍ବତନ ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ଏସ.ଏମ.ଫାରୁକ୍ ଯୋଗଦାନ କରି ‘କାରା’ କେନ୍ଦ୍ରୀୟ ନିୟମାବଳୀ ସମ୍ବନ୍ଧରେ ଆଲୋକପାତ କରିଥିଲେ । ପ୍ରତ୍ୟେକ ନିଃସନ୍ତାନ ଦମ୍ପତି ପୋଷ୍ୟ ସନ୍ତାନ ଶିଶୁ ଗ୍ରହଣ ନିମନ୍ତେ ଆଇନଗତ ଦିଗ ଉପରେ ସଚେତିତ ହେବା ସହ ବେଆଇନ ଉପାୟ ରେ ଶିଶୁ ଗ୍ରହଣ ଅନୁଚିତ୍ ବୋଲି କର୍ମଶାଳା ରେ ଦର୍ଶାଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୫ନମ୍ୱର ୱାର୍ଡର କାଉନସିଲର ଦିଲ୍ଲୀପ ନାୟକ, ୧୦ନମ୍ୱର ୱାର୍ଡର ପ୍ରତିନିଧି ପଙ୍କଜ ବଳ ସମେତ ବିଭିନ୍ନ ୱାର୍ଡର କାଉନସିଲର, ଶିଶୁ ବିକାଶ ବିଭାଗର ସୁପର ଭାଇଜର, ଶକ୍ତି ସଦନର ପରାମର୍ଶଦାତା, ସ୍ୱେଚ୍ଛାସେବୀ ସଂଗଠନ, ଆଶା କର୍ମୀ, ବହୁ ସମ୍ଭାବ୍ୟ ଦମ୍ପତି ଅଂଶଗ୍ରହଣ କରିଥିଲେ । ଚାଇଲ୍ଡ ଲାଇନର ଶୁଭଶ୍ରୀ ପଢିଆରି, ଲକ୍ଷ୍ମଣ ଜେନା, ଚନ୍ଦ୍ରକାନ୍ତ ଗୋଚ୍ଛାୟତ, ଲକ୍ଷ୍ମୀକାନ୍ତ ସେଠି ସମେତ ଆସିୟାନାର ରିୟାଜ ଅହମଦ, ଶିଶୁ ସୁରକ୍ଷା ବିଭାଗର ନବୀନ ଚନ୍ଦ୍ର ବେହେରା, ସୁଦର୍ଶନ ବଦ୍ରା, ସୁକାନ୍ତ ନାୟକ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ଶିଶୁ ସୁରକ୍ଷା ୟୁନିଟର ଅଣ ଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।