ଟୋଲପ୍ଲାଜା ପାଶ୍ୱର୍ରେ ବେଆଇନ ଦୋକାନ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ଚିଠି
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଭାଗଡା-ନାରାୟଣପୁର ଟୋଲ ପ୍ଲାଜା ଉଭୟ ପାଶ୍ୱର୍ରେ ବହୁ ବେଆଇନ ଗୁମୁଟି, ଦୋକାନ, ଠେଲା ଗାଡି ଧାଡି ଧାଡି ହୋଇ ଯାନବାହନ ଚଳାଚଳ ପ୍ରତି ଗୁରୁତର ବାଧା ସୃଷ୍ଟି କରୁଛି । ଏହି ସବୁ ଦୋକାନ ସମ୍ମୁଖରେ ଯାନବାହନଗୁଡିକ ପାର୍କିଂ କରିବା ଦ୍ୱାରା ରାଜପଥ ଅବରୋଧ ହେଉଛି । ଏପରିକି ଦୋକାନଗୁଡିକ ସମ୍ମୁଖରେ ଗରାଖମାନେ ଗହଳି କରୁଛନ୍ତି । ଟୋଲପ୍ଲାଜା ପାଇଁ ବିକ୍ରୟ କାରବାର ହେବା ସହଜ ହେଉଥିବାରୁ ଦିନକୁ ଦିନ ବେଆଇନ ଗୁମୁଟି, ଦୋକାନ ଓ ଠେଲାଗୁଡିକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଛୋଡ ବଡ ଦୁର୍ଘଟଣା ଘଟୁଛି । ଏଥିପାଇଁ ଟୋଲ ପ୍ଲାଜା ଉପରେ ଚାପ ସୃଷ୍ଟି ହେଉଛି । ବହୁ ସମୟରେ ଜାରୁରୀକାଳୀନ ଯାନବାହନଗୁଡିକ ଯାତାୟତରେ ବ୍ୟାଘାତ ଉପୁଜୁଛି । ସେମାନଙ୍କୁ ନିୟନ୍ତ୍ରଣ କରିବା ଟୋଲପ୍ଲାଜା ପକ୍ଷେ ସମ୍ଭବ ହେଉନାହିଁ । ବେଆଇନ ଗୁମୁଟି, ଦୋକାନ ଓ ଠେଲାଗୁଡିକ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ପରିଚାଳିତ ହେଉଥିବାରୁ ସେମାନଙ୍କ ପ୍ରତି ସ୍ଥାନୀୟ ଲୋକଙ୍କ ସମର୍ଥନ ରହୁଛି । ଏବେ ଠାରୁ ସେଗୁଡିକୁ ନିୟନ୍ତ୍ରଣ କରାନଗଲେ ଭବିଷ୍ୟତରେ ଏହା ଉତ୍କଟ ହେବା ବୋଲି ଆଶଙ୍କା କରାଯାଉଛି । ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଟୋଲପ୍ଲାଜା ଠାରୁ ଉଭୟ ଦିଗର ଅନ୍ୟନ ୫ଶହ ମିଟର ପର୍ଯ୍ୟନ୍ତ ଅବରୋଧ ଉଚ୍ଛେଦ ଜରୁରୀ ହୋଇପଡିଛି । ରାଜପଥ କର୍ତ୍ତୃପକ୍ଷ ଚଣ୍ଡିଖୋଲ କାର୍ଯ୍ୟାଳୟ ପ୍ରକଳ୍ପ ନିର୍ଦ୍ଦେଶକ ଜେ.ପି. ବର୍ମା ଗତ ୨୪ ତାରିଖରେ ଜିଲ୍ଲାପାଳ ଓ ଜିଲ୍ଲା ପୁଲିସ ଅଧିକ୍ଷକଙ୍କୁ ୧୮୫୪ନଂ ପତ୍ର ଯୋଗେ ଉଚ୍ଛେଦ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିବା ଜଣାଯାଇଛି ।