ପୌର ଉପାଧ୍ୟକ୍ଷ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଜଗତସିଂହପୁର : ଜଗତସିଂହପୁର ପୌର ପରିଷଦ ଉପାଧ୍ୟକ୍ଷଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ । ବିଜେପି ସମର୍ଥୀତ ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଶୋୟୀଙ୍କ ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ଜଗତସିଂହପୁର ପୌର ପରିଷଦର ୧୩ ଜଣ ପାରିଷଦ । ଏହି ଅନାସ୍ଥା ପ୍ରସ୍ତାବକୁ ୧୩ ଜଣ ପାରିଷଦ ଆଜି ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟଙ୍କୁ ଭେଟି ପ୍ରଦାନ କରିଛନ୍ତି । ଜଗତସିଂହପୁର ପୌର ପରିଷଦର ମୋଟ ୨୧ଟି ପାରିଷଦଙ୍କ ମଧ୍ୟରୁ ୧୩ ଜଣ ପାରିଷଦ ଅନାସ୍ଥା ପ୍ରସ୍ତାବ ଦାବୀ ପତ୍ରରେ ଦସ୍ତଖସ୍ତ କରିଥିବା ଜଣାଯାଇଛି । ୧୫ ନମ୍ବର ୱାର୍ଡର ପାରିଷଦ ମନୋଜ କୁମାର ମହାନ୍ତିଙ୍କ ନେତୃତ୍ୱରେ ସମସ୍ତ ପାରିଷଦ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଥିଲେ । ଉପାଧ୍ୟକ୍ଷ ବିଶୋୟୀ ପୌର ପରିଷଦ ଅଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ପାରିଷଦମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଦର୍ଶାଇ ପାରିଷଦମାନେ ଅନାସ୍ଥା ଆଣିଥିବା ୧୫ ନମ୍ବର ୱାର୍ଡର ପାରିଷଦ ମନୋଜ କୁମାର ମହାନ୍ତି କହିଛନ୍ତି । ପୌର ପାଳିକା ନିୟମ ୧୯୫୦ ଭାଗ ୫୪(୧) ଅନୁଯାୟୀ ଉପାଧ୍ୟକ୍ଷଙ୍କ ବିରୋଧରେ ଏକ ତୃତୀୟାଂଶରୁ ଅଧିକ ସଦସ୍ୟ ଓ ସଦସ୍ୟାମାନେ ଅନସ୍ଥା ଆଣିଛନ୍ତି । ଗତ ଅପ୍ରେଲ ୧୦ତାରିଖରେ ପୌର ପରିଷଦର ସଦସ୍ୟା ଓ ସଦସ୍ୟମାନଙ୍କ ବୈଠକରେ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ସ୍ଥିର କରାଯାଇଥିଲା । ସୁଚନା ଅନୁସାରେ ୨୧ଟି ୱାର୍ଡ ବିଶିଷ୍ଟ ଜଗତସିଂହପୁର ପୌର ପରିଷଦ ନିର୍ବାଚନରେ ବିଜେଡି ୧୦, କଂଗ୍ରେସ ୭, ସ୍ୱାଧୀନ ୨ ଓ ବିଜେପି ୨ଟି ଆସନରେ ପାରିଷଦମାନେ ବିଜୟୀ ହୋଇଥିଲେ । ୧୪ ନମ୍ବର ୱାର୍ଡରୁ ବିଜେପିର ରାଜେନ୍ଦ୍ର କୁମାର ବିଶୋୟୀ ବିଜୟୀ ହୋଇ ଏକ ନୂଆ ସମୀକରଣରେ ପୌର ଉପାଧ୍ୟକ୍ଷ ପଦ ହାତେଇଥିଲେ । ବିଜେଡିକୁ ଚ୍ୟାଲେଞ୍ଜ ଦେବାକୁ ଯାଇ କଂଗ୍ରେସ ପାରିଷଦମାନେ ସ୍ୱାଧୀନ ପାରିଷଦମାନଙ୍କୁ ହାତ କରି ବିଜେପିର ରାଜେନ୍ଦ୍ରଙ୍କୁ ଉପାଧ୍ୟକ୍ଷ ପଦରେ ବିଜୟୀ କରାଇଥିଲେ ।