କାରଖାନାରୁ ନିର୍ଗତ ବର୍ଜ୍ୟଜଳ ଲୋକଙ୍କ ପାଇଁ ହେଉଛି କାଳ
ଦାନଗଦୀ : ଶିଳ୍ପ ହେଲେ ସ୍ଥାନୀୟ ଜନସାଧାରଣ ଓ ଚାଷୀଙ୍କର ଯେଉଁ ଉନ୍ନତି ହେବ । ହେଲେ ଏହା ବାସ୍ତବରେ ଓଲଟା ହୋଇଛି । ବାପା ଅଜା ଅମଳର ସୁନାର ଫସଲ ଫଳୁଥିବା ସବୁଦିନର ଭାତ ହାଣ୍ଡି ଚାଷ ଜମିକୁ ସରକାର ଚାଷୀଙ୍କ ଠାରୁ ନେଇ ଶିଳ୍ପ ପତିଙ୍କୁ ଟେକି ଦେବା ପରେ ଏବେ ଏହାର କୁପରିଣାମ ଭୋଗୁଛନ୍ତି । କଳିଙ୍ଗନଗରରେ ପରିବେଶ ପୁରା ବିଷ ହୋଇଯାଇଛି । ବାୟୁ ପ୍ରଦୂଷଣ ମାତ୍ରାଧିକ ଥିବା ବେଳେ ଜଳ ପ୍ରଦୂଷଣ ଆହୁରି ଚାଷୀଙ୍କ ଦୁଃଖ ବଢ଼ାଇଲାଣି । ଗଣ୍ଡା ଜଳ ପ୍ରଦୂଷିତ ହୋଇ ହେଲାଣି ଜହର । ସୁକିନ୍ଦା ନିର୍ବାଚନ ମଣ୍ଡଳୀର ପନ୍ଦରରୁ ଉର୍ଦ୍ଧ ଛୋଟ ବଡ଼ କାରଖାନା ନେଇ କଳିଙ୍ଗନଗର ଶିଳ୍ପନଗରୀ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ନିଜର ପରିଚୟ ସୃଷ୍ଟି କରିଥିବା ବେଳେ କାରଖାନାର ବର୍ଜ୍ୟଜଳ ଲୋକଙ୍କ ପାଇଁ କାଳ ହୋଇଛି । ଦାନଗଦୀ ବ୍ଲକ ଓ ସୁକିନ୍ଦା ବ୍ଲକର ଅନେକ ପଞ୍ଚାୟତ ପ୍ରଭାବିତ ହେଉଛନ୍ତି । ବିଷାକ୍ତ ଗଣ୍ଡା ପାଣିରେ ଶହ ଶହ ଏକର ଚାଷ ଜମି ଓ ଜନସାଧାରଣ, ଗୃହପାଳିତ ପଶୁ ପ୍ରଭାବିତ ହେଉଛନ୍ତି । ଦାନଗଦୀ ବ୍ଲକର ଗଣ୍ଡାନାଳ କୂଳରେ ଥିବା ଗାଁ ଗୁଡିକର ଦୁଃଖ ବଢ଼ାଉଛି ଗଣ୍ଡା ନାଳର ବିଷାକ୍ତ ଜଳ । କଳିଙ୍ଗନଗର ବକ୍ଷ ଦେଶରେ ଥିବା ଗଣ୍ଡା ନାଳଟି ଉପରେ ନିର୍ଭରକରନ୍ତି ଚାରି ପଞ୍ଚାୟତର ଦଶଟି ଗାଁ ର ଶତାଧିକ ଚାଷୀ । ଏହା ଧୂଳିଗଡର ବେଙ୍ଗପାଟିଆ, ମାନଗୋବିନ୍ଦପୁର, ଧପଙ୍କି, ଓଲ୍ଲଲ ପଞ୍ଚାୟତର କଣ୍ଟିପୁର, ନୁଆସାହି, କାଳିଆପାଳ, ରାଣୀପଡ଼ା ପଞ୍ଚାୟତର ଗହୀରପାଟୁଳି, ଗଳିଆଛନ୍ଦା, ବାଘବିନ୍ଧା, ତ୍ରିଜଙ୍ଗା ପଞ୍ଚାୟତର ତୋଟାସାହି ଦେଇ କୁସୁନପୁର ଗଣ୍ଡା ନାଳ ଦେଇ ପ୍ରଭାହିତ ହେଉଛି । ଦୁର୍ଭାଗ୍ୟ କଥା ଗଣ୍ଡା ନାଳ ପାଖକୁ ଲାଗିଥିବା ଚାଷ ଜମି ଉଜୁଡି ଯାଉଛି । ଏହି ବଡ଼ ସମସ୍ୟାକୁ ଜାଣି ଶୁଣି ଆଖି ବୁଜି ଦେଇଛନ୍ତି ଶିଳ୍ପ ଅଧିକାରୀ ଓ ଜିଲା ପ୍ରଶାସନ । ଗ୍ରୀଷ୍ମ ଆରମ୍ଭରୁ ଶିଳ୍ପ ଶୋଷୁଛି ଜଳ, କୂଅ, ପୋଖରୀ ଶୁଖିଲା ହେଲାଣି । ଚିର ସ୍ରୋତା ଗଣ୍ଡା ନାଳ କ୍ଷୀଣ ସ୍ରୋତାରେ ପରିଣତ ହେଲାଣି । ଗଣ୍ଡା ଜଳରେ କେମିକାଲ ବର୍ଜ୍ୟଜଳ ଛଡ଼ାଯାଉଥିବାରୁ ଏହା ବିଷାକ୍ତ ହୋଇ ବିଭିନ୍ନ ଚର୍ମ ରୋଗ ହେଉଛି । ଗଣ୍ଡା ନାଳରେ ପାଣି କମିଯାଉଛି । ଯେଉଁ ଅଳ୍ପ ପାଣି ଆସୁଛି ତାହା କଳା ପାଣି । ଫସଲରେ ଦେଲେ ଏହା ହଳଦିଆ ପଡି ପୋଡି ଯାଉଛି । ଗାଈ ଗୋରୁ ପିଇବା ଦ୍ୱାରା ରୋଗ ହେଉଛି ବୋଲି ଅଭିଯୋଗ କରନ୍ତି ଚାଷୀ ମାନେ । ମାଛ ମଧ୍ୟମରି ଭାସୁଛନ୍ତି । କାରଖାନା ଯେତେବେଳେ ନଥିଲା ଶହ ଶହ ଚାଷୀ ଏହି ଗଣ୍ଡା ନାଳ ଉପରେ କାହିଁ କେଉଁ କାଳରୁ ନିର୍ଭର କରି ଚଳି ଆସୁଥିଲେ । କିନ୍ତୁ ଶିଳ୍ପ ଆରମ୍ଭ ଦିନରୁ ଧୀରେ ଧୀରେ ଏହା ବିଷାକ୍ତ ହୋଇଛି । ଯେଉଁ କାରଖାନାର ବର୍ଜ୍ୟ ଜଳ ଗଣ୍ଡା ନାଳରେ ଆସୁଛି ତାହା ବିନା ବିଶୋଧନରେ ବୋଲି ଅଭିଯୋଗ ହୁଏ । ବିଷାକ୍ତ ପାଣି କାରଖାନା ଗୁଡ଼ିକ ଗଣ୍ଡା ନାଳରେ ନିର୍ଭୟ ରେ ଛାଡ଼ୁଥିବାରୁ ମୁଣ୍ଡରେ ହାତ ଦେଲାଣି ଚାଷୀକୂଳ । ପ୍ରଦୂଷଣ ବିଭାଗ କୁମ୍ଭକର୍ଣ୍ଣ ନିଦରେ । ଶିଳ୍ପ ପାଇଁ ସମସ୍ତେ ନିରବ । କଣ୍ଟିପୁର ଓ ନୁଆସାହି ବାସିନ୍ଦାଙ୍କ କହିବା କଥା ଏବିଷୟରେ ବାରମ୍ବାର ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କିଛି ସମସ୍ୟାର ସମାଧାନ ଆଜି ପଯ୍ୟନ୍ତ ହୋଇନାହିଁ । ଗଣ୍ଡା ନାଳ କୂଳରେ ଥିବା ଗାଁ ଗୁଡିକରେଅସନ୍ତୋଷ ବଢ଼ି ଚାଲିଛି । ହେଲେ ଏଭଳି ଗୁରୁତର ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ନାରାଜ ପ୍ରଦୂଷଣ ବିଭାଗ । ଚାଷୀ ମାନେ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବୀ କରିଥିବାବେଳେ ଯଦି କୈାଣସି ପ୍ରତିକାର ବ୍ୟବସ୍ଥା କରାନଯାଏ ତେବେପ୍ରଦୂଷଣ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପାଇଁ ଚେତାବନୀ ଦେଇଛନ୍ତି ।