ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ
ଛତ୍ରପୁର : ଭାରତୀୟ ମଜଦୂର ସଂଘର ଅନୁବନ୍ଧିତ ଅଲ ଓଡିଶା ଅଙ୍ଗନବାଡି ଲେଡିସ ୱାର୍କର୍ସ ଆସୋସିଏସନ ଗଞ୍ଜାମ ଜିଲ୍ଲା ପକ୍ଷରୁ ୧୦ ଦଫା ଦାବି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ଶହ ଶହ ଅଙ୍ଗନବାଡି କର୍ମୀମାନେ ସାମିଲ ହୋଇ ନିଜ ହକ ନିମନ୍ତେ ରାଜରାସ୍ତାକୁ ଓହ୍ଲାଇବା ସହିତ ରାସ୍ତାର ଉଭୟ ପାର୍ଶ୍ୱ ବନ୍ଦ କରି ଆନେ୍ଦାଳନ କରିଛନ୍ତି । ଯାହା ଫଳରେ ଉଭୟ ପାର୍ଶ୍ୱ ଯାତାୟତ ଠପ ହୋଇଯାଇଛି । ଏନେଇ ଏକ ସମ୍ବଳିତ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କୁ ଭେଟି ପ୍ରଦାନ କରିଛନ୍ତି । ବିଏମଏସ ଜିନ୍ଦାବାଦ ନାରାବାଜି ଦେଇ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ସରକାରଙ୍କ ବିରୁଦ୍ଧରେ ରଣ ହୁଙ୍କାର ଦେଇଥିଲେ । ସରକାରୀ କର୍ମଚାରୀ ଘୋଷଣା କରିବା, ପରିତୋଷିକ ଯୋଗାଇ ଦେବା, ୩ ମାସର ଟିଏଚଆର ହଟ କୁକ, ଏମଏସପିୱାଇ ବାବଦରେ ଆଗୁଆ ଖର୍ଚ୍ଚ ଯୋଗାଇଦେବା, କେନ୍ଦ୍ର ଗୃହ ଯୋଗାଇଦେବା ଆଦି ଯୋଗାଇଦେବା ନିମନ୍ତେ ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନରେ ଅଲ ଓଡିଶା ଅଙ୍ଗନବାଡି ଲେଡିସ ୱାର୍କର୍ସ ଆସୋସିଏସନର ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ହେମଲତା ମହାନ୍ତି, ସମ୍ପାଦିକା ବାସନ୍ତୀ କୁମାରୀ ପ୍ରଧାନ, ସଂଗଠନ ମନ୍ତ୍ରୀ ଅମିତା ରାଉତ ଓ ଭାରତୀୟ ମଜଦୂର ସଂଘ ର ଜିଲ୍ଲାସଭାପତି ଭବନୀ ଶଙ୍କର ଦାଶ, ଜିଲ୍ଲା ସମ୍ପାଦକ ଉମା ଶଙ୍କର ସାହୁ, ସଂଗଠନ ସମ୍ପାଦକ ଗୋପାଳକୃଷ୍ଣ ସ୍ୱାଇଁ, ଉପସଭାପତି ଅର୍ଜୁନ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ସାହୁ ଓ ବିଜୟ କୁମାର ପାତ୍ର ଏବଂ ଅନ୍ୟାନ୍ୟ ନେତୃରୀ ବୃନ୍ଦମାନେ ସାମିଲ ଥିଲେ । ପ୍ରାରମ୍ଭରେ ନିଜ ହକ ନିମନ୍ତେ ସ୍ଥାନୀୟ ଡିଆରଡିଏ ଛକ ଠାରୁ ଶହ ଶହ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଏକ ବିଶାଳ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ ।