ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ
ବାଲେଶ୍ୱର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ସମଗ୍ର ଶିକ୍ଷା ବାଲେଶ୍ୱର ପକ୍ଷରୁ ବାଲେଶ୍ୱର ଜିଲ୍ଲା ସ୍କୁଲ ପରିସରରେ ୧୮ତମ ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ପ୍ରାଚୀ ତନୟା ଗିରିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନ ଉତ୍ସବରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ । ପ୍ରବାସୀ ଭାରତୀୟମାନେ ବିଭିନ୍ନ କ୍ଷେତ୍ରରେ ଅନ୍ୟ ରାଷ୍ଟ୍ର ସହିତ ଆମ ଦେଶର ସମ୍ପର୍କ ଯୋଡ଼ିବାରେ ସେତୁ ପରି କାର୍ଯ୍ୟ କରୁଛନ୍ତି ବୋଲି ନିଜ ଅଭିଭାଷଣରେ ମୁଖ୍ୟ ଅତିଥି ଶ୍ରୀ ବିକାଶ ମତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଧରଣୀଧର ପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ୱର୍ଯ୍ୟା ସାମନ୍ତ, ଔପଦା ଗୋଷ୍ଠୀ ଶିକ୍ଷାଧିକାରୀ ନାରାୟଣ ଦାସ, ବାଲିଆପାଳ ଗୋଷ୍ଠୀ ଶିକ୍ଷାଧିକାରୀ ସୁଧାଂଶୁ ଶେଖର ଜେନା ଓ ବାହାନଗା ଗୋଷ୍ଠୀ ଶିକ୍ଷାଧିକାରୀ ସୋମାରାଣୀ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ଜିଲ୍ଲାର ୧୨ଟି ବ୍ଲକରୁ ମନୋନୀତ ହୋଇ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶିଳ୍ପୀ କେଶୁ ଦାସ, ତାପସ ପଣ୍ଡା, ସ୍ତମ୍ଭକାର ସୁରେଶ ଚନ୍ଦ୍ର ବେହେରା, ଅଞ୍ଜନ ଚାନ୍ଦ ପ୍ରମୁଖ ବିଚାରକ ଭାବରେ ଯୋଗ ଦେଇଥିଲେ । ସେହିପରି ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ରେମୁଣା ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ବାଲେଶ୍ୱର ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୂର୍ଯ୍ୟଶିଖା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।