ପ୍ରବାସୀ ଶ୍ରମିକଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କ ବୈଠକ

 ନବରଙ୍ଗପୁର: ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଶ୍ରମିକଙ୍କ ସଂକଟ କାଳୀନ ପ୍ରବାସକୁ ହ୍ରାସ କରିବା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ ସଭା ପରିଚାଳନା କରିଥିଲେ । ଜିଲ୍ଲାର ଅନେକ ଲୋକ ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ, କେରଳ ଆଦି ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଯାଇ କାମ କରୁଛନ୍ତି ଏବଂ କାର୍ଯ୍ୟସ୍ଥଳରେ ଠିକାଦାରମାନଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି । ଏହିସବୁ ଅସୁବିଧା ବିଷୟରେ ଆଲୋଚନା ସହ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ( ନିଯୁକ୍ତି ନିୟନ୍ତ୍ରଣ ଓ ସେବାସର୍ତ୍ତ) ଆଇନ ୧୯୭୯ରେ ବିଭିନ୍ନ ବ୍ୟବସ୍ଥା, ଶ୍ରମିକ ଠିକାଦାରର ଲାଇସେନ୍ସ ଉପରେ ଆଲୋଚନା ହୋଇଥିଲା । ପ୍ରତ୍ୟେକ ଶ୍ରମିକକୁ  ଲାଇସେନ୍ସ ଠିକାଦାର ଏକ ପରିଚୟ ପତ୍ର ଦେବେ, ଯେଉଁଥିରେ ଶ୍ରମିକର ନିଜର ନାମ, ମୋବାଇଲ ନମ୍ବର, ସମ୍ପୂର୍ଣ୍ଣ ଠିକଣା, କାର୍ଯ୍ୟସ୍ଥଳର ବିବରଣୀ, ନିଯୁକ୍ତି ତାରିଖ, କେତେ ଦିନ ପାଇଁ ଯିବେ, କେବେ ଫେରିବେ ଏହି ସବୁ ତଥ୍ୟ ରହିବ ।  ସ୍ତ୍ରୀ ଓ ପୁରୁଷଙ୍କର ସମାନ କାମ ପାଇଁ ସମାନ ମଜୁରୀ, ରହିବା ପାଇଁ ଉପଯୁକ୍ତ ବାସଗୃହ, ଶୌଚାଳୟ, ପାନୀୟ ଜଳ ଯୋଗାଇବା, ଶୋଷଣ ର ଶିକାର ହେଲେ ନିଜ ଜିଲ୍ଲାର ଶ୍ରମ ଅଧିକାରୀ କିମ୍ବା ସେହି ରାଜ୍ୟର ଶ୍ରମ ଅଧିକାରୀଙ୍କୁ ଜଣାଇବା, ଶ୍ରମିକର ଦୁର୍ଘଟଣା, ଦେହ ଅସୁସ୍ଥ ହେଲେ ସଙ୍ଗେ ସଙ୍ଗେ ଚିକିତ୍ସା ବ୍ୟବସ୍ଥା, ଠିକାଦାରଙ୍କ ଦ୍ୱାରା ଯାତାୟାତ ଓ ଖାଇବା ଖର୍ଚ୍ଚ ବହନ ଉପରେ ବିଶେଷ ଆଲୋଚନା ହୋଇଥିଲା । ଏଥିପାଇଁ ନିଶୁଳ୍କ ଶ୍ରମିକ ସହାୟତା ନମ୍ୱର ୧୫୫୩୬୮( ରାଜ୍ୟ ଭିତରେ) ଏବଂ ରାଜ୍ୟ ବାହାରେ ସହାୟତା ନମ୍ୱର ୧୮୦୦୩୪୫୬୭୦୩ ଜାରି କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆଙ୍କ ସମେତ ବିଭିନ୍ନ ବିଭାଗୀୟ, ଡିଆଇପିଆର୍ଓ, ଅତିରିକ୍ତ କୃଷି ଅଧିକାରୀ, ନିର୍ବାହୀ ଅଧିକାରୀ, ପୌରପାଳିକା,ଶିଶୁ ମଙ୍ଗଳ କମିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ ।