ପ୍ରଭାତୀଙ୍କ ପରାକ୍ରମ ଶୋଭାଯାତ୍ରା
ନିମାପଡା : ଜାମ୍ମୁ କାଶ୍ମୀରର ପହଲଗାମ ଠାରେ ଗତ ୨୨ତାରିଖରେ ଆତଙ୍କବାଦୀ ମାନେ ଘଟାଇଥିବା ବର୍ବରୋଚିତ ହତ୍ୟାକାଣ୍ଡରେ ୨୬ଜଣ ନୀରିହ ଭାରତୀୟ ପ୍ରାଣ ହରାଇଥିଲେ । ପ୍ରତିଶୋଧ ନେବାପାଇଁ ଆମ ଦେଶର ତିନି ସେନା ବାହିନୀ ମାନଙ୍କ ଦ୍ୱାରା ଅପରେସନ ସିନ୍ଦୁର ମାଧ୍ୟମରେ ଆତଙ୍କବାଦୀଙ୍କ ବିଭିନ୍ନ ଆଡ୍ଡାସ୍ଥଳୀ ଉପରେ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ପାକିସ୍ତାନର ୯ଟି ଆତଙ୍କବାଦି ଆଡ୍ଡାସ୍ଥଳୀ ଧ୍ୱଂସ ହେବା ସହ ପାକିସ୍ତାନୀ ଏୟାରବେସ ଉପରେ ଜୋରଦାର ଆକ୍ରମଣ ହୋଇଥିଲା । ଏଥିରେ ପାକିସ୍ତାନ ମୁଣ୍ଡ ନୁଆଇଁବା ସହ ଅସ୍ତ୍ରବିରତି ଘୋଷଣା କରିଥିଲା । ଏହି ପରିପ୍ରେକ୍ଷୀରେ ସେନା ବାହିନୀର ମନୋବଳ ବଢ଼ାଇବା ପାଇଁ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ନିମାପଡା ପୂର୍ଣ୍ଣେଶ୍ୱରୀ ମନ୍ଦିର ନିକଟରୁ ଦିଘାଳ ପର୍ଯ୍ୟନ୍ତ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ପିପିଲି ବିଧାୟକ ଆଶ୍ରିତ୍ ପଟ୍ଟନାୟକ, ପୁରୀ ଜିଲ୍ଲା ବିଜେପି ସଭାପତି ଡ଼ଃ ଦେବେନ୍ଦ୍ରନାଥ ତରାଇ, ବିଜେପି ନେତା ପୂର୍ଣ୍ଣଚନ୍ଦ୍ର ଓଝା, କାଉନସିଲର ନିରଞ୍ଜନ ନାୟକ, କୃର୍ଷକ ମୋର୍ଚ୍ଚା ଉପସଭାପତି ଅର୍ଜୁନ ବରାଳ, ମଣ୍ଡଳ ଉନ୍ନୟନ ଅଧିକାରୀ ଡ଼ଃ ଅଭିଜିତ୍ ଷଡଙ୍ଗୀ, ତହସିଲ୍ଦାର ମନୋଜ ପ୍ରଧାନ ପ୍ରମୁଖ ଯୋଗଦେଇଥିବା ବେଳେ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ, ମିଶନଶକ୍ତିର ହଜାର ହଜାର ସଂଖ୍ୟାରେ ମହିଳାଙ୍କ ସହ ବ୍ଲକର ବିଭିନ୍ନ ସାମାଜିକ ସଂଗଠନ ଶୋଭାଯାତ୍ରାରେ ଯୋଗଦେଇଥିଲେ । ଦେଶବାସୀଙ୍କୁ ସୁରକ୍ଷା ଦେବା ସହ ପାକିସ୍ତାନର ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସକରି ବୀରତ୍ୱ, ସାହାସିକତା ଓ ପରାକ୍ରମ ଦେଖାଇଥିବା ଯବାନଙ୍କ ଲାଗି ଆମେ ଗର୍ବିତ କହି ସଲାମ କରିଥିଲେ ଏବଂ ଭାରତ ମାତାର ଜୟଗାନ କରିଥିଲେ ।