ବିଜ୍ଞାପନ ପ୍ରଚାର ପାଇଁ ବଳିପଡ଼ୁଛି ଗଛ
ନବରଙ୍ଗପୁର : କୁହାଯାଏ ଗଛ ହିଁ ଜୀବନ । ପିଲାଟିଏକୁ ଗଛ ଟିଏ । ବୃକ୍ଷ ରୋପଣ କର ଜୀବନ ବଞ୍ଚାଅ । ପରିବେଶକୁ ସୁରକ୍ଷା ଦେବାପାଇଁ ସ୍କୁଲକଲେଜ, ବନବିଭାଗ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ପ୍ରଚାର ଚାଲୁଛି । ଲୋକଙ୍କୁ ସଚେତନ କରାଯାଉଛି । କିନ୍ତୁ କିଛି ସ୍ଥାନରେ ଫଳ ଶୂନ । ଘରୋଇ ଅନୁଷ୍ଠାନଗୁଡ଼ିକ ସେମାନଙ୍କ ପ୍ରଚାର ପ୍ରସାର ଓ ଲାଭ ପାଇଁ ରାସ୍ତାପାର୍ଶ୍ୱ ଗଛକୁ ଟାର୍ଗେଟ କରିଛନ୍ତି । ଗଛଗୁଡ଼ିକ ଦେହରେ ବଡ଼ ବଡ଼ କଣ୍ଟା ପିଟି ହୋଡିଂ ଲଗାଇଛନ୍ତି । ବନ ବିଭାଗ ଦେଖୁ ଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜିଛି । ନବରଙ୍ଗପୁର ଜିଲା ପ୍ରବେଶ ଦ୍ୱାର ବୋରିଗୁମ୍ମା ଠାରୁ ଆରମ୍ଭ କରି ଶେଷସୀମା ମୈଦଲପୁରଓ କଳାହାଣ୍ଡି ପର୍ଯ୍ୟନ୍ତ ରାସ୍ତାପାର୍ଶ୍ୱ ଯେଉଁ ଗଛକୁ ଦେଖିବ ୧୦ଇଞ୍ଚର ଲୁହାକଣ୍ଟା ବାଡେଇ ବିଜ୍ଞାପନ ହୋର୍ଡିଂ ଲଗାଯାଇଛି । ନବରଙ୍ଗପୁରରୁ ପାପଡାହାଣ୍ଡି, ଆମ୍ବପାଣି ଠାରୁ କଳାହାଣ୍ଡି ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ବଡ଼ବଡ଼ ଗଛରେ କଣ୍ଟା ପିଟାଯାଇ ଗଛକୁ ନଷ୍ଟ କରାଯାଉଛି । ଏଥି ପ୍ରତି ବନ ବିଭାଗ ଚୁପ୍ । ବିଶେଷ କରି ଏବେ ନୂତନ ଶିକ୍ଷାବର୍ଷ ପାଇଁ ଘରୋଇ ବିଦ୍ୟାଳୟ, ମହାବିଦ୍ୟାଳୟର ପ୍ରଚାରପ୍ରସାର ପାଇଁ ଗଛକୁ କଣ୍ଟା ଫୋଡି ବିଜ୍ଞାପନ ଫଳକ ଲଗାଯାଉଛି । ଗଛର ଅବସ୍ଥା ଶୋଚନୀୟ ହୋଇପଡୁଥିବାରୁ ବୁଦ୍ଧିଜୀବୀ ଉଦ୍ବେଗ ପ୍ରକାଶ କରିଛନ୍ତି ।