ଜିଲ୍ଲାପାଳଙ୍କ ଶୁଣାଣି ଶିବିର

 ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟର ନୂତନ ସଭାଗୃହରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୩୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ଚିତ୍ରକୋଣ୍ଡା ସଦର ମହକୁମାରେ ଦଶ ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଥିବାବେଳେ ଠିକ୍ ଭାବେ ପାନୀୟ ଜଳ ଯୋଗାଯାଉ ନାହିଁ । ବିଶୁଦ୍ଧ ପାଣି ପାଇଁ ପ୍ରଶାସନ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରାଯାଇନାହିଁ । ଦୀର୍ଘ ୧୦ ବର୍ଷ ହେବ ଚିତ୍ରକୋଣ୍ଡା ଦୁର୍ଗା ମନ୍ଦିର ନିକଟରେ ଆରଡବ୍ଲୁଏସ୍ଏସ୍ ପକ୍ଷରୁ ବିଶୁଦ୍ଧ ପାଣି ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ମୁନ୍ଦାଏ ବିଶୁଦ୍ଧ ପିଇବା ପାଣି ମିଳିପାରୁନଥିବା ନେଇ ଚିତ୍ରକୋଣ୍ଡାବାସୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେଣୁ ତୁରନ୍ତ ପ୍ରଶାସନ ଏହି ସବୁ ଅଭିଯୋଗ ଗୁଡ଼ିକର ସମାଧାନ କରିବାକୁ ଦାବି କରିଛନ୍ତି । ଏହି ଶିବିରରେ ଏସପି ବିନୋଦ ପାଟିଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଶବର, ଚିତ୍ରକୋଣ୍ଡା ବିଡିଓ ପ୍ରିତା କୁମାର, ଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡ଼ା ଏବଂ ଜିଲ୍ଲାର ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।