ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର  : ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଚାଲିଥିବା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଗୁଡିକର ପୁନଃବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ଜଣାଯାଇଛି ଯେ, କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜର ପୁନଃବିକାଶ କାର୍ଯ୍ୟ ୪୪୭୪.୪୯ କୋଟି ବିନିଯୋଗରେ ଜାରି ରହିଛି । ଏହି ପ୍ରକଳ୍ପ ଜୁନ୍ ୨୦୨୬ ସୁଦ୍ଧା ସଂପୂର୍ଣ୍ଣ କରିବାପାଇଁ ଲକ୍ଷ୍ୟ ରହିଛି । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସଂପୂର୍ଣ୍ଣ ହେଲେ, ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜର ଶଯ୍ୟା ସଂଖ୍ୟା ୩୭୯୬କୁ ବୃଦ୍ଧି ପାଇବ । ଏହି ମେଡିକାଲ କଲେଜ ଏମ୍ସ ପ୍ଲସ ପ୍ଲସ ଭାବେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ସେହିପରି ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କ୍ୟାନସର୍ ପ୍ରତିଷ୍ଠାନ ତଥା ହସ୍ପିଟାଲର ମଧ୍ୟ ପୁନଃବିକାଶ  ପାଇଁ ପ୍ରଥମ ପର୍ଯ୍ୟାୟରେ ୮୯୫.୮୯ କୋଟି ଟଙ୍କା ବିନିଯୋଗ ହେଉଛି ।ଦ୍ୱିତୀୟ ପର୍ଯ୍ୟାୟ ପୁନଃବିକାଶ କାର୍ଯ୍ୟ ସଂପୂର୍ଣ୍ଣ ହେଲେ ଏହାର ଶଯ୍ୟା ସଂଖ୍ୟା ୧୧୨୭କୁ ବୃଦ୍ଧି ପାଇବ । ବୁର୍ଲା ଭିମସାରର ୧୫୯୪ କୋଟି ଟଙ୍କା ବିନିଯୋଗରେ ପୁନଃବିକାଶ କାର୍ଯ୍ୟ  କରାଯିବ । ବର୍ତ୍ତମାନ ଏହାର ଶଯ୍ୟା ସଂଖ୍ୟା ୧୪୮୫ ରହିଛି । କାର୍ଯ୍ୟ ସଂପନ୍ନ ହେବା ପରେ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ଏହା ବୃଦ୍ଧି ପାଇ ୨୮୬୧ରେ ପହଞ୍ଚିବ । ସେହିପରି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୧୦୧୪.୧୩ କୋଟି ଟଙ୍କା ପ୍ରକଳ୍ପ ମୂଲ୍ୟରେ ପୁନଃବିକାଶ କାର୍ଯ୍ୟ କରାଯିବ । ପୁନଃବିକାଶ ପରେ ଏହାର ଶଯ୍ୟା ସଂଖ୍ୟା ୧୫୮୩ରୁ ୨୦୩୩କୁ ବୃଦ୍ଧି ପାଇବ ।  ରାଉରକେଲା ସରକାରୀ ହସ୍ପିଟାଲର ପୁନଃବିକାଶ ପାଇଁ ୬୨୭.୧୬ କୋଟି ଟଙ୍କା ଅଟକଳ କରାଯାଇଛି  । ପୁନଃବିକାଶ ପରେ ଏହାର ଶଯ୍ୟା ସଂଖ୍ୟା ୪୩୭ ରୁ ୭୬୩ କୁ ବୃଦ୍ଧି ପାଇବ ।ସେହିପରି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ୫୯୫୮ କୋଟି ଟଙ୍କା ବ୍ୟୟରେ ପୁନଃବିକାଶ କରାଯିବ । ପୁନଃବିକାଶ ପରେ ଏହାର ଶଯ୍ୟା ସଂଖ୍ୟା ୭୫୦ ରୁ ୨୫୮୨କୁ ବୃଦ୍ଧି ପାଇବ । ଏହି ସମସ୍ତ ମେଡିକାଲ ପ୍ରକଳ୍ପ ଗୁଡିକରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ସୁବିଧା, ହଷ୍ଟେଲ, ଏକାଡେମିକ ବିଲ୍ଡିଂ, ରୋଗୀ ସଂପର୍କୀୟଙ୍କ ରହଣୀସ୍ଥଳ,  ଷ୍ଟାଫ କ୍ୱାର୍ଟର, ଖେଳପଡିଆ, ଅଡିଟୋରିୟମ୍ ଭଳି ଉନ୍ନତ ଭିତ୍ତିଭୂମି ନିର୍ମାଣ ହେବ । ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ୱତୀ ଏସ୍ ଏବଂ ଓବିସିସିର ପରିଚାଳନା ନିଦେ୍ର୍ଦଶକ ଓ ବରିଷ୍ଠ ଯନ୍ତ୍ରୀମାନେ  ଉପସ୍ଥିତ ଥିଲେ ।