ପ୍ରଶାସନ ଓ ନେତାଙ୍କ ଦୃଷ୍ଟି ପଡିବ କେବେ? ମରଣଯନ୍ତା ପାଲଟିଛି ମାନପୁରରୁ ବେଙ୍ଗପାଟିଆ ରାସ୍ତା
ଦାନଗଦୀ: ଦାନଗଦୀ ବ୍ଲକ ଅନ୍ତର୍ଗତ ଧୂଳିଗଡ଼ ପଞ୍ଚାୟତର ବେଙ୍ଗପାଟିଆ ଗାଁକୁ ଯିବା ପାଇଁ ପଡ଼ିଥିବା ରାସ୍ତାଟି ଖାଲ ଖମାରେ ଭର୍ତ୍ତୀ ହୋଇ ମରଣଯନ୍ତା ପାଲଟିଛି । ମାନପୁର ଗାଁରୁ ବେଙ୍ଗପାଟିଆ ଗାଁକୁ ଯିଏ ଯାଇଛି ସେ ମନରେ ଆଶଙ୍କା ଭିତରେ ଭଗବାନଙ୍କୁ ଡାକି ରାସ୍ତା ପାର ହେଉଛି ।
ମାନପୁରରୁ ବେଙ୍ଗପାଟିଆକୁ ସଂଯୋଗ କରୁଥିବା ଅଙ୍କାବଙ୍କା ଅଣ ଓସାରିଆ ରାସ୍ତାଟି ସମ୍ପୂର୍ଣ ଭାଙ୍ଗିରୁଜି ବିପଦପୂର୍ଣ୍ଣ ଭାବରେ ପରିଣତ ହୋଇଛି । ବିପର୍ଯ୍ୟସ୍ତ ରାସ୍ତାଟି ଉପରେ ଦୈନିକ ମାନପୁର ଦେଇ କଳିଙ୍ଗନଗର କଳ କାରଖାନା, ଦାନଗଦୀ ଓ ଯାଜପୁର ରୋଡ ବଜାର, ହାଟ, ମେଡିକାଲ, ବ୍ଲକ, ବ୍ୟାଙ୍କ, କଲେଜ, ବିଦ୍ୟାଳୟକୁ ଶତାଧିକ ଲୋକ ଯାତାୟାତ କରନ୍ତି । ୫୦ବର୍ଷ ହେବ ଗଠିତ ହୋଇଥିବା ଏହି ପୁରାତନ ଗାଁଟିର ଲୋକ ସଂଖ୍ୟା ୧୧୦୦ରୁ ଉର୍ଦ୍ଧ ହୋଇଥିବା ବେଳେ ଘର ସଂଖ୍ୟା ୩୦୦ରୁ ଉର୍ଦ୍ଧ ହେବ । ଏହି ଗାଁର ଅଧିକାଂଶ ଲୋକ ଚାଷୀ ଚାଷ ଉପରେ ନିର୍ଭର କରିଥାନ୍ତି । ଏହି ବିପଦ ସଂକୁଳ ରାସ୍ତାରେ ଚାଷୀମାନେ କୁଇଣ୍ଟାଲ କୁଇଣ୍ଟାଲ ପନିପରିବା ମୋଟର ସାଇକେଲ ଓ ସାଇକେଲ, ଅଟୋରେ ବିକ୍ରି କରିବା ପାଇଁ ଦାନଗଦୀ ଓ ଯାଜପୁର ରୋଡ଼ ବଜାରକୁ ଯାତାୟାତ କରନ୍ତି । ସନ୍ଧ୍ୟା ସମୟରେ ଅନ୍ଧାରରେ ଏହି ରାସ୍ତା କଡରେ ଆଲୋକର ବ୍ୟବସ୍ଥା ନ ଥିବାରୁ ବିପଦ ସଂକୁଳ ରାସ୍ତାରେ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ଏହି ଗାଁକୁ ଯିବା ରାସ୍ତାରେ ଥିବା ଏକ ପୋଲ ଆଉ ଏକ ଦୁଃଖର କାରଣ ପାଲଟିଛି । ଗଣ୍ଡାନାଳ ଉପରେ ରହିଥିବା ପୋଲଟିର ଦୁଇ ପାର୍ଶ୍ୱରେ କିଛି ବ୍ୟାରିକେଡ୍ ନାହିଁ । ପୋଲ ଦୁଇ ସାଇଡ ରାସ୍ତା ମଧ୍ୟ ବିପଦ ପୂର୍ଣ୍ଣ ଭାବରେ ପଡି ରହିଛି । ବିଗତ ବର୍ଷରେ ଯେଉଁ ଅଧାପନ୍ତରିଆ କଂକ୍ରିଟ ରାସ୍ତା ଓ ପୋଲ କାମ ହୋଇଛି ତାହା ସମ୍ପୂର୍ଣ ନିମ୍ନ ମାନର । ଠିକାଦାର ନିମ୍ନ ମାନର ପୋଲ ଓ ରାସ୍ତା କରି ଅର୍ଥ ଚଳୁ କରିଦେଥିବାରୁ ଅଳ୍ପ ଦିନରେ ରାସ୍ତା ଭାଙ୍ଗି ଯାଇଛି । ଦାନଗଦୀ ବ୍ଲକ ପାଖରେ ଓ ଶିଳ୍ପନଗରୀ ପାର୍ଶ୍ୱରେ ଯଦି ବେଙ୍ଗ ପାଟିଆ ଗାଁର ସାଧାରଣ ମୌଳିକ ସୁବିଧା ଏମିତି କି ଯାତାୟାତ ପାଇଁ ରାସ୍ତାଟିଏ ଠିକ ଭାବେ ନାହିଁ । ଦୀପ ତଳ ଅନ୍ଧାର ପରି ଅବହେଳିତ ହୋଇ ରହିଛନ୍ତି ଗ୍ରାମବାସୀ । ପ୍ରଶାସନ ଓ ନେତାଙ୍କର ଶୁଭଦୃଷ୍ଟି କେବେ ପଡୁଛି ଆଉ ବିପଦପୂର୍ଣ୍ଣ ରାସ୍ତା ଅବସ୍ଥା ସୁଧୁଛି, ତାହା ଦେଖିବାର ଅଛି ।