ଶାଗୁଆନ ଗଛ ଚୋରି ଘଟଣା : ବନ ବିଭାଗର ଚଢ଼ାଉ, ୩ କାଠଗଣ୍ଡି ଜବତ
ବୁଗୁଡ଼ା : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଗୋଲିଆ ଗ୍ରାମସ୍ଥ ଶ୍ରୀ କାନ୍ତ ସ୍ୱାମୀ ତପୋବନ ଉଚ୍ଚ ବିଦ୍ୟାଳୟର ଜାଗାରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ତିନୋଟି ଶାଗୁଆନ ଗଛ ଚୋରି ହୋଇଥିବା ବେଳେ କଟାଯାଇଥିବା ଅନ୍ୟ ଏକ ଗଛର ତିନୋଟି କାଠଗଣ୍ଡିକୁ ବୁଗୁଡା ବନ ବିଭାଗ ପକ୍ଷରୁ ଜବତ କରାଯାଇଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ମାସରେ କୌଣସି ଦୁର୍ବୃତ୍ତ ଗୋଲିଆ ହାଇସ୍କୁଲ ଜାଗାରେ ଥିବା ତିନୋଟି ଶାଗୁଆନ ଗଛ କାଟି ନେଇଯାଇଛି । ସ୍ପଷ୍ଟ ଦିବାଲୋକରେ କଟାଯାଇଥିବା କାଠଗଣ୍ଡିଗୁଡିକୁ ଜେସିପି ଯୋଗେ ଟ୍ରାକ୍ଟରରେ ବୋଝେଇ ହୋଇ ସେଠାରୁ ଚାଲାଣ କରାଯାଇଛି । ଦୁର୍ବୃତ୍ତ ଜଣକ ସେହି ଅଞ୍ଚଳର କୁଖ୍ୟାତ କାଠଚୋର ଏସ୍ଡି ବୋଲି ଲୋକେ ଟୁପୁରୁଟାପୁର ହେଉଥିଲେ ହେଁ ସାଧାରଣରେ ପୂରା ନାମ ପ୍ରକାଶ କରିବାକୁ ଡରି ଯାଉଛନ୍ତି । ଯଦି ସ୍କୁଲ ଜାଗାରେ ଥିବା ମୂଲ୍ୟବାନ ଗଛ କାଟିବାର ଆବଶ୍ୟକତା ରହିଥିଲା ତେବେ ବନ ବିଭାଗର ଅନୁମତି ନେଇ ସେହି କାମ କରିବା ସହ ସଂଗୃହୀତ ଅର୍ଥକୁ ସ୍କୁଲର ଉନ୍ନତିରେ ବିନିଯୋଗ କରାଯାଇପାରିଥାନ୍ତା ବୋଲି ସ୍କୁଲର ପ୍ରାକ୍ତନ ଛାତ୍ରଗଣଙ୍କ ମତ ପ୍ରକାଶ ପାଇଥିଲା । ଏହି ବହୁ ଚର୍ଚ୍ଚିତ ଘଟଣାରେ ସ୍କୁଲ ପରିଚାଳନା କମିଟି ଓ ବନ ବିଭାଗର ଭୂମିକା ପ୍ରତି ସାଧାରଣରେ ନକାରାତ୍ମକ ମନୋଭାବ ଦେଖାଯାଇଥିବା ବେଳେ ଯଦି ଏଥି ପ୍ରତି କୌଣସି ପ୍ରଶାସନିକ ଦୃଢ ପଦକ୍ଷେପ ଗ୍ରହଣ ନକରାଯାଏ ତେବେ ଆଗାମୀ ଦିନରେ ସ୍କୁଲ ଜାଗାରେ ଥିବା ଆଉ କେତେକ ମୂଲ୍ୟବାନ ଶାଗୁଆନ ଗଛ ମଧ୍ୟ ଗାଏବ ହୋଇଯିବାର ସମ୍ଭାବନା ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଥିଲା । ଏଥି ପ୍ରତି ଶିକ୍ଷା ବିଭାଗ ଏବଂ ବନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପ୍ରତିକାରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଥିଲା । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଆଜି ଡିଏଫଓ ବିନୋଦ ଆଚାର୍ଯ୍ୟଙ୍କ ନିଦେ୍ର୍ଦଶ କ୍ରମେ ରେଞ୍ଜର ପ୍ରଦୀପ କୁମାର ମିଶ୍ରଙ୍କ ନେତୃତ୍ୱରେ ବନ ବିଭାଗକର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି କଟାଯାଇଥିବା ଗଛ ତିନୋଟିର ମୂଳଗୁଡିକୁ ଚିହ୍ନଟ କରିବା ସହ ସେଠାରେ ପଡ଼ିଥିବା ଅନ୍ୟ ଏକ ଗଛର ତିନୋଟି କାଠଗଣ୍ଡିକୁ ଜବତ କରି ଟ୍ରାକ୍ଟର ଯୋଗେ ସ୍ଥାନୀୟ ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲା ବେଳେ ଚୋରି ଘଟଣାର ତଦନ୍ତ ଚାଲିଥିବା ଜଣାପଡ଼ିଛି । ତେବେ ସମ୍ପୃକ୍ତ କାଠ ଚୋର କେବେ ଗିରଫ ହେବ ବୋଲି ସେନେଇ ସାଧାରଣରେ ପ୍ରଶ୍ନ ଉଠିଥିବା ଜଣାଯାଇଛି ।