ବିଧାୟକ ଓ ବିଡ଼ିଓଙ୍କ ବନ୍ୟାଞ୍ଚଳ ପରଦର୍ଶନ
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇରେ ବନ୍ୟା ପରିସ୍ଥିତି ଅପରିବର୍ତ୍ତିତ ରହିଛି । ହେଲେ ତୁହାକୁ ତୁହା ବର୍ଷା ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଦ୍ୱିଗୁଣିତ କରିଛି । ବ୍ରାହ୍ମଣୀ ନଦୀରେ ଦେଖା ଦେଇଥିବା ୩ୟ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିଂହ ଗାଁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଥିବାବେଳେ ମାଳିପୁର ରାସ୍ତାରେ ବନ୍ୟା ସ୍ରୋତ ପ୍ରବାହିତ ଯୋଗୁଁ ଶ୍ରୀରାମପୁର ଡାମରପୁର ଓ ବଳଭଦ୍ରପୁର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି । ସେହିପରି ବନ୍ୟାର ପ୍ରଖର ସ୍ରୋତ ପ୍ରବାହିତ ହେଇଥିବାରୁ ବାଛରା -ମଣ୍ଡପଡା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି । ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି ସାଙ୍ଗକୁ ଫସଲହାନୀ ଘଟି ଗରିବ ଖଟିଖିଆ ଓ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ବାରମ୍ବାର ବନ୍ୟା ଆସିବା ଫଳରେ କ୍ଷୟକ୍ଷତି ଓ ଫସଲହାନୀ ଆଶଙ୍କାରେ ଗରିବ ଖଟିଖିଆ ଓ ଚାଷୀମାନେ ଚିନ୍ତିତ ହୋଇପଡିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଞ୍ଚାୟତ ଓ ପୌରାଞ୍ଚଳର ୧୧ଟି ୱାର୍ଡର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇ ପଡିବା ସହିତ ହଜାର ହଜାର ଏକର ଜମି ବନ୍ୟା ପାଣିରେ ବୁଡି ରହିଛି । ଆଜି କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ବନ୍ୟା ବିପନ୍ନ ସିଂହଗାଁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହିତ ଅଭାବ ଅସୁବିଧା ସମ୍ପର୍କରେ ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି । ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ ଓ ବିଡ଼ିଓ ଅଶୋକ ମହାନ୍ତି ବିଭାଗୀୟ ଅଧିକାରୀଙ୍କ ସହିତ ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର, ପେଣ୍ଠ ପାଳ, ଅଳପୁଆ, ତରଡ଼ିପାଳ, ଅମୃତମଣୋହି ଆଦି ପଂଚାୟତ ଓ କୃଷ୍ଣଦାସପୁର, ଦାଣ୍ଡିସାହି ଆଦି ବିଭିନ୍ନ ବିପନ୍ନ ଅଂଚଳ ପରିଦର୍ଶନ କରିବା ସହିତ ବନ୍ୟାବିପନ୍ନ ଲୋକମାନଙ୍କ ଯାତାୟାତ ପାଇଁ ୩ଟି ଏସଆରସି ବୋଟ ଓ ୧୭ଟି ଡ଼ଙ୍ଗା ଯୋଗାଇ ଦେଇଛନ୍ତି । ପଟ୍ଟାମୁଣ୍ଡାଇ ପୌର ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ, ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ସୁଦାମ ସାହୁ ପୌରାଞ୍ଚଳର ବନ୍ୟାବିପନ୍ନ ୱାର୍ଡ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହିତ ଯାତାୟାତ ପାଇଁ ଆବଶ୍ୟକ ଡ଼ଙ୍ଗା ଯୋଗାଇ ଦେଇଛନ୍ତି । ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ବିପନ୍ନ ଲୋକମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ ପୌର ପ୍ରଶାସନକୁ ନିଦେ୍ର୍ଦଶ ଦେବା ସହ ରିଲିଫି ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ।