ପ୍ରସ୍ତାବିତ ଠିପି ଖୋଲା ମଦ ଦୋକାନକୁ ବିରୋଧ
ଦାନଗଦୀ : ଦାନଗଦୀ ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ସ୍ଥାନାନ୍ତର ହୋଇ ଏକନୂଆ ଠିପି ଖୋଲା ମଦ ଦୋକାନ ହେବାକୁ ନେଇ ସରପଂଚ ବାବୁଲି ନାଟିଆଙ୍କ ପାଖକୁ ଅବକାରୀ ବିଭାଗ ପକ୍ଷରୁ ଚିଠି ଆସିଥିଲା । ଯାହାକୁ ସରପଂଚ ଘୋର ବିରୋଧ କରି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଖବର ମତେ ଜିଲ୍ଲା ଅବକାରୀ ବିଭାଗ ତରଫରୁ ଏକ ପତ୍ର ସଂଖ୍ୟା ୧୭୬୩ ତାରିଖ ୩୦/୦୬/୨୫ରେ ସରପଞ୍ଚ ପ୍ରାପ୍ତ କରିଥିଲେ । ଯେଉଁଥିରେ ଲେଖାଥିଲା ଯାଜପୁର ରୋଡ଼ରେ ଥିବା ଘୁଙ୍ଗୁର ଠିପିଖୋଲା ମଦ ଦୋକାନ ନୂଆଗାଁ ମୌଜାର ପ୍ଲଟ ନମ୍ବର୯୪/୧୦୧୧ ଓ ଖାତା ନମ୍ବର ୨୩୮/୨୬୨ରେ ହେବା ପାଇଁ ପ୍ରସ୍ତାବିତ ହୋଇଛି । ସରପଂଚଙ୍କ ଅଭିଯୋଗ ହେଲା ଏହି ପଂଚାୟତର ଅଧିକାଂଶ ଲୋକ ଦିନ ମଜୁରିଆ, କୃଷକ ଓ ସରଳ । ପଂଚାୟତର ପ୍ରବେଶ ପଥରେ ଯଦି ଏମଦ ଦୋକାନଟି ହୁଏ ତାହାର ପ୍ରଭାବ ଉକ୍ତ ରାସ୍ତା ଦେଇ ଯିବା ଆସିବା କରୁଥିବା ଛାତ୍ର ଛାତ୍ରୀଙ୍କ ଉପରେ ପଡ଼ିବ । ସବୁ ସମୟରେ ଏହି ଛକଟି ଭିଡ ରହୁଛି । ଦୁର୍ଘଟଣା, ଗଣ୍ଡଗୋଳ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏହାକୁ ନେଇ ସରପଞ୍ଚ ଏକ ଗ୍ରାମ ସଭା କରି ସମସ୍ତଙ୍କ ନିଷ୍ପତି କ୍ରମେ ଜିଲାପାଳଙ୍କୁ ସାକ୍ଷାତ କରି ପ୍ରସ୍ତାବିତ ଠିପି ଖୋଲା ମଦ ଦୋକାନଟିକୁ ନ ଖୋଲିବା ପାଇଁ ଲିଖିତ ଅଭିଯୋଗ ଦେଇଛନ୍ତି ।