ଫଗୁ ଦଶମୀ

ଦୋଳଯାତ୍ରାର ପ୍ରଥମ ଦିନକୁ ଫଗୁ ଦଶମୀ କୁହାଯାଇଥାଏ  । ଏହା ଫାଲଗୁନ୍ ମାସ ଶୁକ୍ଳପକ୍ଷ ଦଶମୀ ଦିନରେ ପାଳିତ ହୁଏ  । ଚଳିତ ସପ୍ତାହର ରବିବାର ମାର୍ଚ୍ଚ ନଅ ତାରିଖରେ ଏହି ଶୁଭ ଅବସର ପଡ଼ୁଛି  । ଆମ ରାଜ୍ୟରେ ଏହି ଦିନ ଠାରୁ ପାଞ୍ଚ ଦିନିଆ ଦୋଳ ଉତ୍ସବ ଆରମ୍ଭ ହୋଇଥାଏ  । ଦେବୀ ରାଧା ଓ ଭଗବାନ କୃଷ୍ଣଙ୍କ ମୂର୍ତ୍ତିକୁ ଆଣି ବିମାନରେ ବସାଯାଇଥାଏ  । ବସନ୍ତ ଉତ୍ସବର ଅଂଶବିଶେଷ ସ୍ୱରୂପ ଏହି ଦିନ ଠାରୁ ପରମ୍ପରା ମୁତାବକ ଦୋଳ ମେଲଣ ଆରମ୍ଭ ହୋଇଥାଏ  । ଦୁଇ ପ୍ରତିମାକୁ ରଙ୍ଗ ଓ ଅଭିର ବୋଳି ପୂଜା କରାଯାଇଥାଏ  । ଏହି ଦିନ ଠାରୁ ରାଧାକୃଷ୍ଣ ମନ୍ଦିର ଗୁଡ଼ିକ ଚଳଚଞ୍ଚଳ ହୋଇଉଠେ  । ଭଗବାନ ବିଷ୍ଣୁଙ୍କ ଅବତାର ସ୍ୱୟଂ ଜଗନ୍ନାଥଙ୍କ ଅନ୍ୟ ନାମ ହେଉଛି ଗୋବିନ୍ଦ  । ଫଗୁ ଦଶମୀ ତିଥିରୁ ସାଧାରଣତଃ ଗୋବିନ୍ଦଙ୍କର ଯାତ୍ରା ଏବଂ ଗ୍ରାମ ପରିକ୍ରମା ଆରମ୍ଭ ହୋଇଥାଏ  । ଫଗୁ ଦଶମୀ ପରଠାରୁ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଚାଚେରୀ ଲୀଳା ଆରମ୍ଭ ହୋଇଥାଏ  । ଫଗୁ ଦଶମୀ ଦିନ ଦୋଳବିମାନରେ ମଦନମୋହନ ଓ ଲକ୍ଷ୍ମୀ, ସରସ୍ୱତୀ ଦୋଳବେଦୀକୁ ବିଜେ କରିଥାନ୍ତି  । ଏମାନେ ପାଲିଙ୍କିରେ ବସି ପ୍ରତି ସନ୍ଧ୍ୟାରେ ଶ୍ରୀଜଗନ୍ନାଥ ବଲ୍ଳଭଙ୍କ ଉଦ୍ୟାନକୁ ଚାଚେରୀ ଖେଳିବାକୁ ଯାଆନ୍ତି  । ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରି ଦୋଳବେଦୀରେ ପହଞ୍ଚôବା ପରେ ଫଗୁ ଲଗି ହୋଇଥାଏ  । ସେଠାରେ ସୁବାସିତ ପୁଷ୍ପ ଓ ଲାଲ୍ ବେଶରେ ପୂଜାର୍ଚ୍ଚନା ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ି ଆସନ୍ତି  । ଦୋଳ ପୂର୍ଣ୍ଣମୀ ଦିନ ରାତିରେ ଠାକୁରମାନଙ୍କ ମହାମିଳନ ହୋଇଥାଏ ଏକ ପ୍ରସିଦ୍ଧ ସ୍ଥାନରେ । ତେବେ ପୂର୍ଣ୍ଣିମାର ପୂର୍ବରୁ ଓ ପରେ ମଧ୍ୟ ଏହିଭଳି ମିଳନ ଉତ୍ସବ ପ୍ରାୟ ଲାଗି ରହିଥାଏ । ପ୍ରତିଦିନ ଭିନ୍ନ ଭିନ୍ନ ଗ୍ରାମରେ ଠାକୁରମାନଙ୍କୁ ମେଲଣ ପଡ଼ିଆକୁ ନିଆଯିବା ବେଳର ଦୃଶ୍ୟ ଅତି ଚମକ୍ରାର ଓ ଚିତ୍ତାକର୍ଷକ । ପାଟପଟୁଆର, ରୋଶଣୀ, ନାଚତାମସା, ବାଦ୍ୟ ସଙ୍ଗୀତ ଓ ଖୋଲ କୀର୍ତ୍ତନ ସମେତ ଠାକୁରଙ୍କ ବିମାନଗୁଡ଼ିକର ସାଜସଜ୍ଜା ତଥା ପ୍ରକୃତ ଭକ୍ତମାନଙ୍କ ଭାବବିହ୍ୱଳିତ ନାସ୍ତିକମାନଙ୍କ ମନ ଭିତରେ ବି କିଛିଟା ଭଗବତ୍ ପ୍ରେମଭାବ ଉଦ୍ରେକ କରିବା ଲାଗି ସମର୍ଥ ହୋଇଥାଏ । ରାଜଦୋଳ ହେଉ ବା ପଞ୍ଚଦୋଳ ହେଉ, ପ୍ରଧାନ ମେଲଣଗୁଡ଼ିକ ଖୁବ୍ ଜାକଜମକରେ ଦୋଳ ପୂର୍ଣ୍ଣିମା ଦିନ ହିଁ ଅନୁଷ୍ଠିତ ହୋଇଥାଏ । ସାଧାରଣତଃ ଅନ୍ୟାନ୍ୟ ଦିନମାନଙ୍କରେ ଯଦିଓ ବିଭିନ୍ନ ସ୍ଥାନରେ ମେଲଣ ଯାତ୍ରା ଅନୁଷ୍ଠିତ ହୁଏ ସେଗୁଡ଼ିକ ସେଭଳି ଭାବରେ ଉତ୍ସବ ମୁଖର ହୋଇନଥାଏ । ସାଧାରଣତଃ ଏହି ଯାତ୍ରା ପାଞ୍ଚ ଦିନ ପାଇଁ ମହାସମାରୋହରେ ପାଳିତ ହୋଇ ରଜଦୋଳ ବା ପଞ୍ଚଦୋଳ ନାମରେ ନାମିତ ହୋଇଥାଏ । 
ପୁଷ୍ପମିତ୍ର ମହାପାତ୍ର,ମୋ: ୯୪୩୭୨୨୫୬୮୯